ରାଉରକେଲା: କୋଭିଡ୍ ମହାମାରୀ ଚତୁର୍ଥ ଲହରକୁ ନେଇ ଜନସାଧାରଣଙ୍କ ଅବହେଳା ଜାରି ରହିଛି। ବିଭିନ୍ନ ଦୋକାନ ବଜାରରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ୍ ୧୫୨୫ ଜଣ ସଂକ୍ରମିତ ହୋଇସାରିଲେଣି। ସଂପ୍ରତି ଜିଲ୍ଲାର ପଜିଟିଭ୍ ହାର ୧୪.୬୪ ପ୍ରତିଶତ ରହିଛି। ଅପରପକ୍ଷରେ ସଂକ୍ରମଣ ରୋକିବାକୁ ହେଲେ କୋଭିଡ ନିୟମାବଳୀର କଡ଼ା ପାଳନ ଅବଶମ୍ଭ୍ୟାବୀ ହୋଇପଡ଼ିଛି।
ପୂର୍ବ ତିନି ଲହର ଅପେକ୍ଷା, କୋଭିଡ୍ ଚତୁର୍ଥ ଲହରରେ ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିନି। ଚତୁର୍ଥ ଲହରରେ ସୁସ୍ଥହ ହାର ସନ୍ତୋଷଜନକ ରହିଛି। ମାର୍ଚ୍ଚ ୩୧ ତାରିଖରୁ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ, ଜିଲ୍ଲାରେ ୧୦,୪୧୪ ଜଣଙ୍କ ସ୍ବାବ୍ ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ଆର୍ଟିପିସିଆର୍ରେ ୪୪୭୨ ଜଣ ଓ ୫୯୩୭ ଜଣଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା। ଏଥିମଧ୍ୟରୁ ଆର୍ଟିପିସିଆର୍ରେ ୨୨୨ ଓ ଆଣ୍ଟିଜେନ୍ରେ ୧୩୦୧, ମୋଟ୍ ୧୫୨୫ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଯାବତ୍ ମୋଟ୍ ୫୨୨ ଜଣ ସୁସ୍ଥ ହୋଇଥିବାବେଳେ ୯୬୯ ଜଣ ସଙ୍ଗରୋଧରେ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ସ୍ଥାପିତ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତ ଚିକିତ୍ସାଧୀନ ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଇତିମଧ୍ୟରେ ଦୁଇ ଜଣ ଆକ୍ରାନ୍ତଙ୍କ ପରଲୋକ ଘଟିଛି।
ଗୋଟିଏପଟେ ସଂକ୍ରମଣ ବଢ଼ିଚାଲିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଆଶାନୁରୂପ ତତ୍ପରତା ଦେଖାଇନି। ଏବେ ବି ସବୁ ଖୋଲାମେଲା। ଜନସାଧାରଣ ବିନା ମାସ୍କରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବୁଲାବୁଲି କରୁଛନ୍ତି। ଦୂରତ ବଜାୟ ନିୟମ କେବେଠୁ ଚୂଳିକୁ ଫିଙ୍ଗିସାରିଲେଣି। ପନିପରିବା, ଆମୀଷ ବଜାରଠାରୁ ଆରମ୍ଭକରି ମାର୍କେଟ୍ କଂପ୍ଲେକ୍ସ, ସପିଂ ମଲ୍ ପର୍ଯ୍ୟନ୍ତ; କୌଣସି ସ୍ଥାନରେ ନିୟମ ମାନୁନାହାନ୍ତି। ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ନିୟମିତ ଯାଞ୍ଚ, ଅତର୍କିତ ଚଢ଼ଉ କରାଯାଉନି। ପୂର୍ବ ତିନି ଲହରବେଳେ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ଯେଭଳି ତତ୍ପରତା ଓ ନିୟମ ଉଲ୍ଲଂଘନକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ; ତାହା ଦେଖିବାକୁ ମିଳୁନି। ଏ ଦିଗରେ ପ୍ରାଥମିକତାର ସହ ସ୍ବତନ୍ତ୍ର ଦୃଷ୍ଟି ନେଇ ସମ୍ଭାବ୍ୟ ସଂକ୍ରମଣ ପ୍ରତିହତ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।