ରାଉରକେଲା: ସ୍ମାର୍ଟସିଟିରେ ଆତଙ୍କ ଖେଳାଇଛି ହଇଜା। ସଂକ୍ରମିତଙ୍କ ସଂଖ୍ୟା ୭୮୪ ପହଞ୍ଚିଥିବାବେଳେ ରୋଗୀଙ୍କ ମୃତ୍ୟୁ ବି ହେଉଛି। ବୁଧବାର ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷୀୟା ନାବାଳିକା ବି ଅଛନ୍ତି। ଗୋଟିଏପଟେ ପାଣି ଯାଞ୍ଚ, ମାନ ପରୀକ୍ଷଣ, ବ୍ୟାପକ ସଚେତନତା କରାଯାଉଥିବା ପ୍ରଶାସନ କହୁଛି। ଅପରପକ୍ଷରେ କିନ୍ତୁ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁ ୧୩ ଜଣଙ୍କ ଅକାଳ ବିୟୋଗ ଘଟିଛି, ଏବେ ସେମାନଙ୍କ ପରିବାରରେ ଶୋକର ଛାୟା। କାହାର ବାପାଙ୍କ ମୃତ୍ୟୁ ହୋଇଛି ତ କାହାର ନବବିବାହିତା ପତ୍ନୀଙ୍କ ପରଲୋକ ଘଟିଛି। ପୁଣି କାହାର ବୃଦ୍ଧା ମା’ଙ୍କ ମୃତ୍ୟୁ ହୋଇଛି ତ ପୁଣି ଦୁନିଆ ବିଷୟରେ ଜାଣିନଥିବା ନାବାଳିକା ଝିଅର ମୃତ୍ୟୁ ହୋଇଛି। ଏନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା....

Advertisment

ଫେବ୍ରୁଆରିରେ ବିବାହ କରିଥିଲେ ଫୁଲତୋଳି
ହଇଜାରେ ମୃତ୍ୟୁବରଣ କରିଥିବା ତରକେରା ପମ୍ପ ହାଉସ୍‌ ଅଞ୍ଚଳର ଫୁଲତୋଳି ଗୌଡ଼(୨୩) ଗତ ଫେବ୍ରୁଆରି ମାସରେ ହାତିବାରୀ ବମ୍ବୁଆ ଗାଁର ସୂରଜ ଗୌଡ଼ଙ୍କୁ ବିବାହ କରିଥିଲେ। ସୂରଜ ଜଣେ ଦିନମଜୁରିଆ ଥିବାବେଳେ ବିବାହ ପୂର୍ବରୁ ରାଉରକେଲାରେ ରହୁଥିଲେ। ଗତ ଫେବ୍ରୁଆରି ମାସରେ ସୂରଜ ଓ ଫୁଲତୋଳିଙ୍କର ତରକେରା ମନ୍ଦିରରେ ବିବାହ ହୋଇଥିଲା। ଏହାପରେ ଉଭୟେ ବମ୍ବୁଆରେ ରହୁଥିଲେ। ଗତ ୧୦ ତାରିଖରେ ଫୁଲତୋଳି ସ୍ବାମୀଙ୍କ ସହ ତରକେରାସ୍ଥ ନିଜ ବାପାଙ୍କ ଘରକୁ ଆସିଥିଲେ। ସବୁକିଛି ଠିକ୍‌ ଚାଲିଥିଲା। ତେବେ ଗତ ୧୫ ତାରିଖ ଭୋର୍‌ ୫ଟାରୁ ଫୁଲତୋଳିଙ୍କୁ ଝାଡ଼ା, ବାନ୍ତି ହୋଇଥିଲା। ଫଳରେ ସକାଳ ପ୍ରାୟ ୮ଟାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଥିଲା; କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇନଥିଲା। ଚିକିତ୍ସାଧୀନ ଥିବାବେଳେ ରାତି ପ୍ରାୟ ୧୨ଟାରେ ତାଙ୍କର ପରଲୋକ ଘଟିଥିଲା। ଫୁଲତୋଳିଙ୍କ ମୃତ୍ୟୁକୁ ସପ୍ତାହେ ବିତିନଥିବାବେଳେ ବୁଧବାର ତାଙ୍କ ଶ୍ବଶୂର ସହରୁ ଗୌଡ଼(୬୦) ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଖାଇବା ସମୟରେ ସହରୁଙ୍କ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ପରେ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ଆର୍‌ଜିଏଚ୍‌କୁ ନେଇ ଭର୍ତ୍ତି କରାଯାଇଛି।

୮ ଘଣ୍ଟା ମଧ୍ୟରେ ଜୀବନ ହରାଇଲେ ନାନ୍ସି
ଡାଇରିଆରେ ମୃତ୍ୟୁବରଣ କରିଥିବା ବାସନ୍ତୀକଲୋନି ଅମିତନଗର ବାସିନ୍ଦା ନାନ୍ସୀ ଦୁବେ(୭୫) ଗତ ପ୍ରାୟ ୭ ବର୍ଷ ହେଲା ଶଯ୍ୟାଶାୟୀ ଥିଲେ। ତେବେ ଖାଇବାପିଇବା ସବୁ ସ୍ବାଭାବିକ ଥିଲା। ଗତ ୧୫ ତାରିଖ ସକାଳ ପ୍ରାୟ ୯/୧୦ଟାରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଏମିତିକି ନିଶ୍ବାସପ୍ରଶ୍ବାସରେ ସମସ୍ୟା ଭୋଗିଥିଲେ। ସେତେବେଳେ ଘରେ ସାନବୋହୂ ପଞ୍ଚମୀ ଦୁବେ ଏକୁଟିଆ ଥିଲେ। ପଞ୍ଚମୀ ଏକ ଅଟୋ ଭଡ଼ା କରି ତାଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ସମୟରେ ସଂଧ୍ୟା ୫ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ନାନ୍ସିଙ୍କ ତିନିପୁଅ ଥିବାବେଳେ ପ୍ରାୟ ଦୁଇ ବର୍ଷ ପୂର୍ବେ ମଝିଆ ପୁଅର ମୃତ୍ୟୁ ହୋଇସାରିଛି। ବଡ଼ପୁଅ ଏବେ କେରଳରେ ଗାଡ଼ି ଚଲାଇ ପରିବାର ଚଳାନ୍ତି। ସାନପୁଅ ଅମିତ ନଗରରେ ରହୁଛନ୍ତି। ଅନ୍ତିମସଂସ୍କାରବେଳେ ବଡ଼ପୁଅ କେରଳରୁ ଆସିପାରି ନଥିଲେ।

ଅହଲ୍ୟାଙ୍କ ସଂକ୍ରମଣର କାରଣ ପାଉନାହାନ୍ତି ପରିବାର
ସ୍ଥାନୀୟ ଉଦିତନଗରରେ ରହିଛି କର୍ମଜୀବୀ ମହିଳା ହଷ୍ଟେଲ। ଏଠାରେ ୱାର୍ଡେନଭାବେ କାର୍ଯ୍ୟରତ ଥିଲେ ଅହଲ୍ୟା ନାୟକ। ସେ ୭୧ ବର୍ଷରେ ପଦାର୍ପଣ କରିସାରିଥିବା ସତ୍ତ୍ବେ ବେଶ୍‌ ସୁସ୍ଥସବଳ ଥିଲେ। ପ୍ରତଦିନ ଡ୍ୟୁଟି ଯିବାସହ ଘରକାମ ବି କରୁଥିଲେ। ଅନ୍ୟ ଦିନ ଭଳି ଗତ ୧୪ ତାରିଖ ମଧ୍ୟାହ୍ନ ୨ଟାରେ ଡ୍ୟୁଟି ଯାଇଥିଲେ। କିଛି ଘଣ୍ଟା ବିତିବାପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଏଣୁ ରାତି ପ୍ରାୟ ସାଢ଼େ ୯ଟାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତଥାପି ଝାଡ଼ାବାନ୍ତି ବନ୍ଦ ହୋଇନଥିଲା। ତା’ ପରଦିନ, ଅର୍ଥାତ୍‌ ୧୫ ତାରିଖ ସନ୍ଧ୍ୟାରେ ସ୍ଥିତି ବିଗିଡ଼ିଥିଲା। ଗୋଟିଏପଟେ ହସପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁଁ ୱାର୍ଡ ଭର୍ତ୍ତି ହୋଇଯାଇଥିଲା। ଏଣୁ ତାଙ୍କୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରିବାକୁ ପରିବାରଲୋକ ଯୋଜନା କରିଥିଲେ। କିନ୍ତୁ ପରିବାର ସଦସ୍ୟଙ୍କୁ ସେ ସୁଯୋଗ ମିଳିନଥିଲା। ୧୬ ତାରିଖ ସକାଳ ପ୍ରାୟ ୮.୪୦ ରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପରିବାର ସଦସ୍ୟଙ୍କ କହିବାନୁସାରେ, ଗତ କରୋନା ମହାମାରୀ ପରଠାରୁ ଅହଲ୍ୟା ଫୁଟାପାଣି ପିଉଥିଲେ। ଡ୍ୟୁଟି ସମୟରେ ମଧ୍ୟ ପାଇପ୍‌ ପାଣିକୁ ବ୍ୟବହାର ନକରି ସେଠାରେ ଥିବା ନଳକୂଅ ପାଣି ପିଉଥିଲେ। ତେବେ କେଉଁଠାରୁ ଓ କେମିତି ସଂକ୍ରମିତ ହେଲେ ସେନେଇ ପୂରା ପରିବାର ଅଜ୍ଞ।

ଚଳଚଞ୍ଚଳ ନୀଳାଚଳ ହୋଟେଲ୍‌ ​ଏବେ ଖାଁଖାଁ
ଡାଇରିଆରେ ରେଳ ଷ୍ଟେସନ ସମ୍ମୁଖସ୍ଥ ‘ନୀଳାଚଳ ହୋଟେଲ’ ମାଲିକ ପ୍ରଣବ ସ୍ବାଇଁ(୫୦)ଙ୍କ ମଧ୍ୟ ଅକାଳ ବିୟୋଗ ଘଟିଛି। ସର୍ବଦା ଚଳଚଞ୍ଚଳ ତଥା ସ୍ବାସ୍ଥ୍ୟପ୍ରତି ଯତ୍ନବାନ ପ୍ରଣବ କିନ୍ତୁ ଡାଇରିଆ ସହ ଲଢ଼େଇରେ ହାରିଯାଇଛନ୍ତି। ଉକ୍ତ ହୋଟେଲକୁ ତାଙ୍କ ବାପା ତିଆରି କରିଥିବାରୁ ମାତ୍ର ୧୦ ବର୍ଷ ବୟସରୁ ରାଉରକେଲାରେ ରହିଆସୁଥିଲେ। ସେ ସବୁବେଳେ ବିଶୁଦ୍ଧ ପାଣି ପିଉଥିବାବେଳେ କିଭଳି ସଂକ୍ରମିତ ହେଲେ ତାହା ରହସ୍ୟ ହୋଇ ରହିଛି। ଗତ ୧୫ ତାରିଖ ଦିନସାରା ପ୍ରଣବ ହୋଟେଲରେ ରହିଥିଲେ। ତେବେ ସନ୍ଧ୍ୟାରେ ଝାଡ଼ାବାନ୍ତି ହେବାରୁ ଘରକୁ ପଳାଇ ଆସିଥିଲେ। ଝାଡ଼ାବାନ୍ତି କ୍ରମଶଃ ବଢ଼ିବାରୁ ରାତି ପ୍ରାୟ ସାଢ଼େ ୯ଟାରେ ତାଙ୍କୁ ହାଇଟେକ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ୧୬ ତାରିଖ ପ୍ରାୟ ସାଢ଼େ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପଛରେ ଏବେ ପତ୍ନୀ ଓ ଦୁଇ ପୁଅ (୨୧ ଓ ୧୭)। ପ୍ରଣବ ଜଗତସିଂହପୁର ଜିଲ୍ଲା ନଲରା ଗାଁ’ର ମୂଳନିବାସୀ ଅଟନ୍ତି। ତାଙ୍କ ବିୟୋଗରେ ପରିବାର ଅସହାୟ ହୋଇପଡ଼ିଛି। ପ୍ରତିଦିନ ଶହଶହ ଲୋକଙ୍କୁ ସୁଷମ ଖାଦ୍ୟ ଖୁଆଉଥିବା ପ୍ରଣବ ସମସ୍ତ ସତର୍କତା ସତ୍ତ୍ବେ ନିଜେ କେମିତି ହଇଜାର ଶିକାର ହୋଇଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତାଙ୍କ ମୃତ୍ୟୁ ପରଠାରୁ ସର୍ବଦା ଭିଡ଼ ଲାଗି ରହିଥିବା ନୀଳାଚଳ ହୋଟେଲ୍ ଏବେ ବନ୍ଦ ପଡ଼ିଛି।