ସୁନ୍ଦରଗଡ଼ ନିର୍ବାଚନୀ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ସୁନ୍ଦରଗଡ ବିଧାନସଭା ଆସନକୁ ନେଇ ରୁଜୁ ନିର୍ବାଚନୀ ମାମଲାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ମାମଲାର ରାୟ ସଂରକ୍ଷିତ ରହିଛି। ଆଜି ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ସହଦେବ ଖାକା ଓ ଭୋଟର୍‌ ଅଜୟ ପଟେଲଙ୍କ ପକ୍ଷରୁ ଦାୟର ଆବେଦନର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା। ପୂର୍ବରୁ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ସରିଥିବା ବେଳେ ଆଜି ବିଧାୟକଙ୍କ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଆବେଦନକାରୀ ଶ୍ରୀ ଖାକାଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରଓ୍ଵାଲ ଓ ବିଧାୟକ ଶ୍ରୀ ସିଂଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।

ସୂଚନା ଯୋଗ୍ୟ, ୨୦୧୪ ନିର୍ବାଚନରେ ସୁନ୍ଦରଗଡ ସଂରକ୍ଷିତ ଆସନରୁ ବିଧାୟକ ଭାବେ ଶ୍ରୀ ସିଂ ନିର୍ବାଚନ ଜିତିଥିଲେ। ତାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେପିର ପରାଜିତ ପ୍ରାର୍ଥୀ ଶ୍ରୀ ଖାକା ଓ ଜଣେ ଭୋଟର୍‌ ଶ୍ରୀ ପଟେଲ୍‌ ହାଇକୋର୍ଟରେ ୨ଟି ପୃଥକ୍‌ ମାମଲା ଦାୟର କରିଥିଲେ। ଏହି ମାମଲାରେ ଉଭୟ ଆବେଦନକାରୀଙ୍କ ସହିତ ନିର୍ବାଚନର ରିଟର୍ଣ୍ଣିଂ ଅଫିସର, ପୁଲିସ ଅଫିସର, ବିଧାୟକଙ୍କ ସମେତ ୩୮ରୁ ଅଧିକ ବ୍ୟକ୍ତି ହାଜର ହୋଇ ହାଇକୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର