ସୁନ୍ଦରଗଡ଼ : ବାସଭବନ ମରାମତିରେ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସନ୍ଦେହ ଘେରକୁ ଆସିଥିବା ସୁନ୍ଦରଗଡ଼ର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କର ବଦଳି ହୋଇଥିବା ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି। ଏହି ଚର୍ଚ୍ଚା ଥମି ନ ଥିବାବେଳେ ଏବେ ସାମ୍ନାକୁ ଆସିଛି ସୁନ୍ଦରଗଡ଼ର ଆଉ ଜଣେ ପୂର୍ବତନ ଜିଲ୍ଲାପାଳଙ୍କ ବାସଭବନ ମରାମତି କଥା। ଅବଶ୍ୟ ମରାମତି ଏବେ ବଦଳି ହୋଇଥିବା ଜିଲ୍ଲାପାଳଙ୍କ ସମୟରେ ନୁହେଁ, ତାଙ୍କ ପୂର୍ବରୁ ଜିଲ୍ଲାପାଳ ଥିବା ସୁରେନ୍ଦ୍ର କୁମାର ମୀନାଙ୍କ କାର୍ଯ୍ୟକାଳରେ ହୋଇଛି। ଏଥିରେ ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟ ହୋଇଛି ବୋଲି କୁହା ଯାଉଛି। ଶୁଣିବାକୁ ମିଳିଛି, ଏଥିରେ କୌଣସି ସରକାରୀ ଅର୍ଥ ଉପଯୋଗ ହୋଇନାହିଁ, କୋଇଡ଼ା ଅଞ୍ଚଳର ଏକ ଖଣି କମ୍ପାନି ଏଥିପାଇଁ ଯୋଗାଇ ଦେଇଛି ଅର୍ଥ। ସବୁଠାରୁ ବିସ୍ମୟକର କଥା ହେଲା, ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲାପାଳଙ୍କ ସରକାରୀ ବାସଭବନର ମରାମତି ହୋଇଥିଲେ ହେଁ ଏ ସମ୍ପର୍କିତ କୌଣସି ରେକର୍ଡ ପ୍ରଶାସନ ପାଖରେ ନାହିଁ।
ସୁନ୍ଦରଗଡ଼ ପୌରାଞ୍ଚଳର କୌଣସି କୋଠାବାଡ଼ି ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ, ପୌରପରିଷଦ ବା ବ୍ଲକ୍ ଓ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ନିର୍ବାହ କରିଥାଏ। କିନ୍ତୁ ଜିଲ୍ଲାପାଳଙ୍କ ବାସଭବନ ମରାମତି ଏସବୁ ସଂସ୍ଥା କରି ନଥିବା ଜଣାପଡ଼ିଛି। ଏବେ ପ୍ରଶ୍ନ ଉଠିଛି, ଏତେ ଟଙ୍କାର ମରାମତି କ’ଣ ସିଧାସଳଖ କମ୍ପାନି କରିଛି? କମ୍ପାନିର କେଉଁ ଅର୍ଥ ଏଥିରେ ଉପଯୋଗ ହୋଇଛି? ଜିଲ୍ଲାପାଳଙ୍କ ବାସଭବନ ମରାମତି ପାଇଁ କମ୍ପାନିର ଏତେ ଆଗ୍ରହ ପଛର କାରଣ କ’ଣ ? ତା’ ବଦଳରେ କମ୍ପାନି କେଉଁ ଅନୁକମ୍ପା ହାସଲ କରିଛି? ଏ ସବୁ ପ୍ରଶ୍ନ ଏବେ ସଚେତନ ଜନତାଙ୍କୁ ଆନ୍ଦୋଳିତ କରିଛି।
ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତତ୍କାଳୀନ ଜିଲ୍ଲାପାଳ ମୀନାଙ୍କ ସମୟରେ ପୌରାଞ୍ଚଳର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ କେରଳର ଜନୈକ ଠିକାଦାର କୁଆଡ଼େ ଏହି ବାସଭବନ ମରାମତି କରିଛନ୍ତି। ଚର୍ଚ୍ଚାରେ ଥିବା ଜଣେ କରିତ୍କର୍ମା ସହକାରୀ ଯନ୍ତ୍ରୀଙ୍କ ଭୂମିକା ବି ଏଥିରେ ରହିଛି। ସମ୍ପୃକ୍ତ ଠିକାଦାରଙ୍କୁ ବ୍ଲକ, ପୌରାଞ୍ଚଳ ସହ ଅନ୍ୟ ବିଭାଗର ବିଭିନ୍ନ ନିର୍ମାଣ କାର୍ଯ୍ୟରେ (ଟେଣ୍ଡର ବ୍ୟତୀତ) ସିଧାସଳଖ ନିୟୋଜିତ କରାଯାଉଥିଲା। ସୁନ୍ଦରଗଡ଼ ବ୍ଲକ ପକ୍ଷରୁ ବିଭାଗୀୟ ସମ୍ପାଦନରେ ପର୍ଯ୍ୟାୟ କ୍ରମେ ୫୦ ଲକ୍ଷ ବ୍ୟୟର ରିଜେଣ୍ଟ ମାର୍କେଟ ସେଡ୍ ଓ ଦୁଇଟି ପର୍ଯ୍ୟାୟରେ ୩୫ ଲକ୍ଷ ବ୍ୟୟର ରଙ୍ଗାଢିପା ମାର୍କେଟ ସେଡ୍ ଆଦି ନିର୍ମାଣ କାର୍ଯ୍ୟ ଏହି ଠିକାଦାର କରିଥିଲେ। ଜିଲ୍ଲାପାଳ ଶ୍ରୀ ମୀନାଙ୍କ ବଦଳି ପରେ ସମ୍ପୃକ୍ତ ଠିକାଦାର ବି ଉଭାନ ହୋଇଯାଇଛନ୍ତି। ତେବେ ଜିଲ୍ଲାପାଳଙ୍କ ବାସଭବନ ମରାମତିର ରହସ୍ୟ ଉନ୍ମୋଚନ ପାଇଁ ସାଧାରଣରେ ଦାବି ହେଉଛି।