ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବ‌ାଙ୍କୋ ପଥରଖଣି ବିସ୍ଫୋରକ ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ୍‌ ଜର୍ଜ ମୁଣ୍ଡା ଓରଫ କୁଲୁ ମୁଣ୍ଡା (୪୩)କୁ ଆଜି ପୁଲିସ ଗିରଫ କରିଛି। ଜର୍ଜ ମାଓବାଦୀଙ୍କ ବଡ଼ ଇନ୍‌ଫର୍ମର ଥିଲା। ପୁଲିସ ଓ ଯବାନଙ୍କ ସର୍ଚ୍ଚ ଅପରେସନ୍‌ ସମ୍ପର୍କିତ ଖବର ସେ ମାଓବାଦୀଙ୍କ ନିକଟ ପହଞ୍ଚାଉଥିଲା। ଜର୍ଜ ସହ ଅନ୍ୟ ‌କେଉଁମାନେ ମାଓବାଦୀଙ୍କ ଇନ୍‌ଫର୍ମର ଭାବେ କାମ କରୁଥିଲେ, ସେ ନେଇ ପୁଲିସ ଖୋଳତାଡ଼ କରୁଛି। ଆଜି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ ଏହି ସୂଚନା ଦେଇଛନ୍ତି।

Advertisment

ଡିଆଇଜି ଶ୍ରୀ ରାୟ କହିଛନ୍ତି ଗତ ମେ’ ୨୭ରେ ହିନ୍ଦୀ ଓ ଶାଦ୍ରୀ ଭାଷାରେ କଥା ହେଉଥିବା କେତେକ ସଶସ୍ତ୍ର ବ୍ୟକ୍ତି ମାଓବାଦୀ ପରିଚୟ ଦେଇ ଇତମାଠୁ ବାଙ୍କୋ ପଥରଖଣିକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଗାଡ଼ିକୁ ବାଟରେ ଅଟକାଇଥିଲେ। ଜୋରଜରବସ୍ତ ୨୦୦ ପ୍ୟାକେଟ୍‌ ଅର୍ଥାତ୍‌ ୫ଟନ୍‌ ବିସ୍ଫୋରକ ଲୁଟି ନେଇଥିଲେ। ଯାହାର ମାଷ୍ଟରମାଇଣ୍ଡ୍‌ ସାଜିଥିଲା ଜର୍ଜ। ଲୁଟ୍‌ ବିସ୍ଫୋରକରୁ ଅଦ୍ୟାବଧି ୩୮୧୧.୩୦ କିଲୋଗ୍ରାମ ବିସ୍ଫୋରକ ଜବତ ହୋଇସାରିଛି। ଅବଶିଷ୍ଟ ବିସ୍ଫୋରକ ଉଦ୍ଧାର ପାଇଁ ତନଘନା ଜାରି ରହିଛି।

ମାଓବାଦୀଙ୍କ ଇନ୍‌ଫର୍ମର ଥିଲା ଜର୍ଜ
ଲୁଟ୍‌ ‌ହୋଇଥିଲା ୫ ଟନ୍‌ ବିସ୍ଫୋରକ

ଜର୍ଜ ମୁଣ୍ଡାର ଫାଇଲ ଫଟୋ

ମେ’ ୨୭ରେ ବଡ଼ଗାଁ ବାରୁଦ ଗୋଦାମରୁ ବିସ୍ଫୋରକ ନେଇ ଏକ ଟ୍ରକ୍‌ ବାଙ୍କୋ ପଥର ଖଣି ଅଭିମୁଖେ ବାହାରିଥିଲା। ବାଙ୍କୋ ଗ୍ରାମର ଜର୍ଜ  ବଡ଼ଗାଁରୁ ଗାଡ଼ି ବାହାରିବା ମାତ୍ରେ ମାଓବାଦୀଙ୍କୁ ସୂଚନା ଦେଇଥିଲା। ୯ଟା ୧୫ରେ ଗାଡ଼ି ପଥରଖଣି ନିକଟରେ ପହଞ୍ଚିବା ପରେ ୩ ଜଣ ସଶସ୍ତ୍ର ମାଓବାଦୀ ଡ୍ରାଇଭରଙ୍କୁ ବନ୍ଧୁକ ମୁନରେ ଅନ୍‌ଲୋଡ୍‌ ବିସ୍ଫୋରକକୁ ପୁଣି ଥରେ ଲୋଡ୍‌ କରିବାକୁ କହିଥିଲେ। ଲୋଡିଂ ଗାଡ଼ିକୁ ସେଠାରେ ପ୍ରାୟ ୨ରୁ ଅଢ଼େଇ କିଲୋମିଟର ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ବସିଥିବା ୩୦ରୁ ୪୦ ଜଣ ମାଓବାଦୀଙ୍କ ହାତରେ ଟାଙ୍ଗିଆ, ବ୍ୟାଗ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଥିଲା। ଦିନ ପ୍ରାୟ ୧୧ଟା ୧୫ ସମୟରେ ଗାଡ଼ି ଚାଳକ ଦେବନାଥ ଟପ୍ପୋଙ୍କୁ ଛାଡ଼ିଦେଇଥିଲେ। ଧରାପଡ଼ିଯିବା ଭୟରେ ବାଙ୍ଗୋ ପଥରଖଣିରୁ ଜଙ୍ଗଲ ଭିତରକୁ ଯାଉଥିବା ରାସ୍ତାର ସମସ୍ତ ପଥଚାରୀଙ୍କୁ ମାଓବାଦୀ କିଛି ସମୟ ଅଟକ ରଖିଥିଲେ। ପଥରଖଣିର ମ୍ୟାନେଜର ଓ କର୍ମଚାରୀଙ୍କୁ ମଧ୍ୟ ବନ୍ଧକ ରଖିଥିଲେ।

ଲୁଟ୍‌ ପରେ ଖଣି ମ୍ୟାନେଜର ଘଟଣା ସମ୍ପର୍କରେ ମାଲିକ ନୀରଜ ପାଣ୍ଡେଙ୍କୁ ଜଣାଇଥିଲେ। ନୀରଜ ପାଣ୍ଡେ କେବଲାଙ୍ଗ ଥାନାରେ ସୂଚନା ଦେଇଥିଲେ। ଲୁଟ୍‌ ସମ୍ପର୍କରେ ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଜାଣିବା ପରେ ବହୁ ବରିଷ୍ଠ ଅଧିକାରୀଙ୍କ ସହ କେବଲାଙ୍ଗ ଥାନାରେ ପହଞ୍ଚିଥିଲେ। ତାଙ୍କ ସହ ଭୁବନେଶ୍ବରରୁ ବରିଷ୍ଠ ଗୁଇନ୍ଦା ଅଧିକାରୀ, ଆଇଜି ଅପରେସନ୍‌ସ ଦୀପକ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର, ସ୍ପେସାଲ ଇଣ୍ଟେଲିଜେନ୍ସ ଅଧିକାରୀ, ବଣାଇ ଏସ୍‌ଡିପିଓ ରାମଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ।  ସମସ୍ତେ ବାଙ୍କୋ ପଥରଖଣିରେ ଅପରାହ୍‌ଣ ପ୍ରାୟ ୨ଟାବେଳେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଗାଡ଼ିଚାଳକ ଦେଓନାଥ ଟପ୍ପୋ, ଖଣିମାଲିକ ନୀରଜ ପାଣ୍ଡେ, ଖଣି ସୁପରଭାଇଜରଙ୍କ ଠାରୁ ଘଟଣା ବିଷୟରେ ପଚାରି ବୁଝିଥିଲେ।  ଗାଡ଼ିରେ ବିସ୍ଫୋରକ ଲଦିଥିବା ଶ୍ରମିକମାନଙ୍କୁ ମଧ୍ୟ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିଥିଲେ। ଉଲ୍ଲେଖଯୋଗ୍ୟ, ବାଙ୍କୋ ପଥରଖଣି ସମ୍ମୁଖରେ ଜର୍ଜ ମୁଣ୍ଡାର ଘର। ସେ ଏହି ଖଣିକୁ ଆରମ୍ଭରୁ ବିରୋଧ କରିଆସୁଥିଲା। ଏହି କାରଣରୁ ସେ ବିସ୍ଫୋରକ ଆସୁଥିବା ସମ୍ପର୍କରେ ମାଓବାଦୀଙ୍କୁ ସୂଚନା ଦେଇଥିଲା।