ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପ୍ରାୟ ୬୮ ହଜାର କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଲୋକାର୍ପଣ, ଉଦ୍‌ଘାଟନ କରିଛନ୍ତି। ଏଥି ମଧ୍ୟରୁ ସିଂହଭାଗ ପାଇଛି ସୁନ୍ଦରଗଡ଼ ଜିଲ୍ଲା। ୩ଟି ଜାତୀୟ ରାଜପଥ ସମେତ ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ୧୯ ହଜାର ୧୮୦ କୋଟି ବ୍ୟୟ ହୋଇଛି। ଆଇଆଇଏମ୍‌ ସମ୍ବଲପୁର ପରିସରରୁ ଆଭାସୀ ମାଧ୍ୟମରେ ଉଦ୍‌ଘାଟନୀ ସମାରୋହରେ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀ, ଅଧିକାରୀ ସାମିଲ ହୋଇଥିଲେ।
Advertisment
ପ୍ରଧାନମନ୍ତ୍ରୀ ୨୦୪୫ କୋଟି ଟଙ୍କାର ୩ଟି ଜାତୀୟ ରାଜପଥ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ସେଗୁଡ଼ିକ ହେଲା, ୬୭୯ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ-୧୪୩ର ବୀରମିତ୍ରପୁରରୁ ବ୍ରାହ୍ମଣୀ ବାଏପାସ୍‌ ଯାଏ ୨୪.୧୦୦ କିଲୋମିଟର ରାସ୍ତାର ୪ ଲେନ୍‌, ୫୩୮ କୋଟି ଟଙ୍କାରେ ବ୍ରାହ୍ମଣୀ ବାଏପାସ୍‌ରୁ ରାଜାମୁଣ୍ଡା ସେକ୍ସନ ଯାଏ ୪ ଲେନ୍‌ ବିଶିଷ୍ଟ ୪୭ କିଲୋମିଟର ରାସ୍ତା ଏବଂ ୮୨୮ କୋଟିରେ କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୫୨୦ର ରିମୁଳିରୁ କୋଇଡ଼ା ସେକ୍ସନ ଯାଏ ୪ ଲେନ୍‌ ରାସ୍ତାକୁ ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବକୁ ବାଲୁଘାଟ ଖେଳପଡ଼ିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଧାପ୍ରସାରଣ କରାଯାଇଥିଲା। ଏଥିରେ ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ରାଉରକେଲା ପରିବହନ ଅଧିକାରୀ ବିଭାବସୁ ସାମନ୍ତସିଂହାରଙ୍କ ସମେତ ଏନ୍‌ଏଚ୍‌ଏ୍‌ଆଇ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଥିଲେ।
ସେହିଭଳି ପ୍ରଧାନମନ୍ତ୍ରୀ ଏନଏସ୍‌ପିସିଏଲ୍‌ ରାଉରକେଲା ପାୱାର ପ୍ଲାଣ୍ଟ୍‌-୨ର ସଂପ୍ରସାରଣ ପ୍ରକଳ୍ପ(୨୫୦ ମେଗାୱାଟ୍‌)କୁ ଲୋକାର୍ପିତ କରିଥିଲେ। ୨,୩୧୩ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ପ୍ରକଳ୍ପ ପ୍ରାୟ ୬ ଶହ ଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ଆଣିଦେଇଛି। ଏହିଅବସରରେ ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ପ୍ରକଳ୍ପ ବିଭାଗର ଇଡି ଏସ.ଆର. ସୂର୍ଯ୍ୟବଂଶୀ, ଇଡି ସୋମନାଥ ତ୍ରିପାଠୀ, ଇଡି ତରୁଣ ମିଶ୍ର. ଇଡି ଆଲୋକ ବର୍ମା, ଇଡି ଏ.କେ. ବେହୁରିଆ, ଏନ୍‌ଏସ୍‌ପିସିଏଲ୍‌ର ମହାପ୍ରବନ୍ଧକ ତଥା ବ୍ୟବସାୟ ମୁଖ୍ୟ ସୁବ୍ରତ ଦେ, ଜିଏମ୍‌(ଓଏସ୍) ତ୍ରିଦିଭ ଦେବ୍‌, ଜିଏମ୍‌(ଏଚ୍‌ଆର୍‌) ଶ୍ରୀମତି ପ୍ରେମଲତା, ଜିଏମ୍‌ ପି.ସି. ହୁଦ୍ଦାର ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ଏନ୍‌ଟିପିସି ଦର୍ଲିପାଲିର ସୁପର ଥର୍ମାଲ ପାୱାର ପ୍ଲାଣ୍ଟ୍‌(୧୬୦୦ ମେଗାୱାଟ୍‌)କୁ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୧୪,୮୨୨ କୋଟି ଟଙ୍କା ବ୍ୟୟ କରାଯାଇଛି।