ସୁନ୍ଦରଗଡ଼/ହେମଗିର: କୋଲ୍ ୱାସେରି ନିକଟ ଜଙ୍ଗଲରେ ହଜାର ହଜାର ଟନ୍ ଚୋରା କୋଇଲା ଠାବ ହେବା ପରେ ବୁଧବାର ହେମଗିର ଥାନା କନିକାସ୍ଥିତ ଆର୍ଯ୍ୟନ୍ କୋଲ୍ ୱାସେରିକୁ ସିଲ୍ କରିଥିଲା ପ୍ରଶାସନ ଓ ଖଣି ବିଭାଗର ସ୍ବତନ୍ତ୍ର ଟିମ୍। ଗୁରୁବାର ୱାସେରିରେ ପୁଣି ଖଣି ବିଭାଗ ଟିମ୍ ପହଞ୍ଚି ଜଙ୍ଗଲରେ ଥିବା ବିଶୋଧିତ କୋଇଲା ମାପଚୁପ କରିବା ସହ ତଦନ୍ତ କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିର ଖଣିକ୍ଷେତ୍ରରେ ବନବିଭାଗ, ପ୍ରଶାସନ ଓ ପୁଲିସର ଆଖି ଆଗରେ ବେଆଇନ ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଲୁଟ୍ ଘଟଣାକୁ ରାଜ୍ୟ ସରକାର ମଧ୍ୟ ଗମ୍ଭୀରତାର ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶୁକ୍ରବାର ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ବିଭାଗୀୟ ସଚିବ ସୁନ୍ଦରଗଡ଼ ଆସି ଚୋରାଖଣି ଅଞ୍ଚଳ ବୁଲି ଦେଖିବେ। ସୁନ୍ଦରଗଡ଼ରେ କିଭଳି ରାଜ୍ୟର ସବୁଠାରୁ ବଡ଼ କୋଇଲା ଲୁଟ୍ ହୋଇଛି, ତାହାର ସତ ପରଖିବେ। ବେଆଇନ ଭାବେ କେତେ ଖଣି ଖୋଳାଯାଇଛି, କେତେ ପରିମାଣର କୋଇଲା ଚୋରି ହୋଇଛି, ତା’ର ଅନୁଧ୍ୟାନ କରିବା ସହ ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବେ।
‘ସମ୍ବାଦ’ରେ ଏ ନେଇ ଲଗାତାର ଖବର ପ୍ରକାଶ ପରେ ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ ଏବଂ ପୂର୍ବତନ ବିଧାୟିକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ। ଏହା ପରେ ମନ୍ତ୍ରୀଙ୍କ ଚୋରା ଖଣି ଅଞ୍ଚଳ ଗସ୍ତ ଖଣି ଓ ପ୍ରାଶାସନିକ ଅଧିକାରୀଙ୍କ ମନରେ ଛନକା ଖେଳାଇ ଦେଇଛି। ମନ୍ତ୍ରୀ ଶ୍ରୀ ଜେନା ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ସକାଳ ୧୦ଟା ୩୦ରେ ହେମଗିର ମିନି ଷ୍ଟାଡିୟମ୍ରେ ଓହ୍ଲାଇବେ। ସେଠାରୁ ସଡ଼କପଥରେ ଓସିପିଏଲ୍ ଅତିଥି ଭବନକୁ ଯିବେ। ୧୧ଟାରେ ଗୋପାଳପୁର ଅଞ୍ଚଳରେ ଥିବା ତେଲେନଡିହି, ରତନସରା ଓ ଭୋଗ୍ରାକଛାର ଜଙ୍ଗଲର ଚୋରା ଖଣି ଦେଖିବେ। ୩ ଘଣ୍ଟା ଧରି ସେ ସ୍ଥିତି ପରଖିବା ପରେ ଅପରାହ୍ନ ୨ଟାରେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ଆର୍ଯ୍ୟନ୍ କୋଲ୍ ୱାସେରିରେ ପୁଣି ପଶିଲା ଖଣି ବିଭାଗ
ଜଙ୍ଗଲରେ ଗଦା ହୋଇଥିବା ବିଶୋଧିତ କୋଇଲା ମାପିଲେ
ଉଲ୍ଲେଖଯୋଗ୍ୟ, ଖଣିଲୁଟ୍ର ପର୍ଦ୍ଦାଫାସ ହେବା ପରେ ଖଣି ବିଭାଗ, ରାଜସ୍ବ ବିଭାଗ, ବନବିଭାଗ ଏବଂ ପୁଲିସ ୧୦ ଦିନ ଧରି ସ୍ଥାନୀୟ ଅଞ୍ଚଳର ଚୋରାଖଣି, କାରଖାନା, କୋଲ୍ ୱାସେରି ଉପରେ ଚଢ଼ଉ କରିଥିଲେ। ଏହା ପରେ ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଖଣି, ଭୂତତ୍ତ୍ବ ବିଭାଗର ଏକ ୯ ଜଣିଆ ଟିମ୍ ଦୁଇଦିନ ତନାଘନା କରି ଫେରି ଯାଇଥିଲା। ତେବେ ଚଢ଼ଉ ଓ ଯାଞ୍ଚ ବନ୍ଦ ହେବା ପରେ ଗତ ମଙ୍ଗଳବାର ଆର୍ଯ୍ୟନ୍ କୋଲ୍ ୱାସେରିରେ ବଡ଼ଧରଣର କୋଇଲା କେଳେଙ୍କାରୀ ଘଟଣା ସାମନାକୁ ଆସିଥିଲା। ୱାସେରିଠାରୁ ୨ କିଲୋମିଟର ଦୂର ଏକ ଜଙ୍ଗଲ ମଝିରେ ଆର୍ଯ୍ୟନ୍ର ୨ ଏକର ଜମିରେ ୧୨ ହଜାର ଟନ୍ ଓ ୱାସେରି ନିକଟ ଜଙ୍ଗଲରେ ୨ ଏକର ଜମିରେ ଲକ୍ଷାଧିକ ଟନ୍ କୋଇଲା ଗଚ୍ଛିତ ରଖାଯାଇଥିବା ଜଣା ପଡ଼ିଥିଲା। ମଙ୍ଗଳବାର ପ୍ରଶାସନ ଗୋଟିଏ ଗଦାରୁ ୯,୫୯୫ ଟନ୍ କୋଇଲା ଜବତ କରିଥିଲା। କିନ୍ତୁ ୱାସେରି ପଛପଟ ଜଙ୍ଗଲରେ ଗଚ୍ଛିତ ପାହାଡ଼ ଉଚ୍ଚର କୋଇଲା ଗଦାକୁ ମାପ କି ଜବତ ନ କରି ଫେରି ଯାଇଥିଲେ। ଏହା ପରେ ଶହଶହ ଭାରୀଯାନରେ ରାତାରାତି ୫୦ ହଜାର ଟନ୍ରୁ ଅଧିକ କୋଇଲା ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇଥିଲା। ଏପରିକି ଚୋରି ଲୁଚାଇବାକୁ ଅବଶିଷ୍ଟ କୋଇଲାରେ ନିଆଁ ମଧ୍ୟ ଲଗାଇ ଦିଆ ଯାଇଥିଲା। ବୁଧବାର ମଧ୍ୟାହ୍ନରେ ତହସିଲଦାର ପହଞ୍ଚିଲା ବେଳକୁ କୋଇଲା ଜଳୁଥିଲା। ଏସବୁ ଲୁଚାଛପା କାରବାର ସାମନାକୁ ଆସିବା ପରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହା ସହ ୱାସେରିକୁ ଥିବା ଅନୁମତି (ଲାଇସେନ୍ସ)କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରଦ୍ଦ କରିଦିଆଯାଇଛି। ଅନ୍ୟପଟେ ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ ହେମଗିର ଥାନାରେ କୋଲ୍ ୱାସେରି ମାଲିକ ଓ କର୍ମଚାରୀଙ୍କ ନାମରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/18/Y5ib15Y98PFD2MVCnj3j.jpg)