ସୁନ୍ଦରଗଡ଼: ଏମ୍ସିଏଲ୍ କ୍ଷେତ୍ର ଅନ୍ତର୍ଗତ ତେଲେନଡିହି, ରତନସରା, ଭୋଗ୍ରାକଛାର ଆଦି ଅଞ୍ଚଳରୁ ଖଣିଜ ଲୁଟ୍ ଘଟଣା ପଦାକୁ ଆସିବାର ଏହାମଧ୍ୟରେ ୧୨ ଦିନ ବିତିଲାଣି। ଭୁବନେଶ୍ବରରୁ ଖଣି ଓ ଭୂତତ୍ତ୍ବ ବିଭାଗର ୯ ଜଣିଆ ଟିମ୍ ଆସି ଦୁଇ ଦିନ ଚୋରା ଖଣି ମାପଚୁପ କରିବା ସହ ଲୁଟ୍ କୋଇଲା ଆକଳନ କରି ଫେରିଗଲେଣି। ତେବେ ଏହି ବଡ଼ଧରଣର ଖଣି ଚୋରି ଘଟଣାରେ କେବଳ ସ୍ଥାନୀୟ ଅଞ୍ଚଳର ୪ ଜଣଙ୍କୁ ଗିରଫ କରିବା ବ୍ୟତୀତ ଏ ଯାଏଁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଖଣି ବିଭାଗର ଏତଲାକ୍ରମେ ପୁଲିସ ଯେଉଁ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି ସେମାନେ ଚୋରା ଖଣିର ଶ୍ରମିକ ବୋଲି କୁହାଯାଉଛି। ତେଣୁ ଖଣି ଲୁଟ୍ର ମୁଖ୍ୟ କାର୍ପଟଦାର କେବେ ଧରାପଡ଼ିବେ, ସାନକୁ ଧରି ବଡ଼ମାଛକୁ ପୁଲିସ, ପ୍ରଶାସନ ଛାଡ଼ି ଦେବେନି ତ ବୋଲି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠିଛି। ରାଷ୍ଟ୍ରୀୟ ସମ୍ପତ୍ତିକୁ ମାଫିଆମାନେ ବର୍ଷବର୍ଷ ଧରି ଚୋରି କରି ନେଇଯିବା ପରେ ବି ଖଣି ବିଭାଗ, ପ୍ରଶାସନ, ପୁଲିସ ସମସ୍ତେ ଚୁପ୍ ରହିଥିଲେ।
ସାନ ଚୋରଙ୍କୁ ଧରିଲେ, ବଡ଼ ମାଫିଆଙ୍କୁ କେବେ?
ଜୁଏଲ କହିଲେ, ବଡ଼ କାର୍ଯ୍ୟାନୁଷ୍ଠାନ ହେବ
ଗଣମାଧ୍ୟମ ଏହି ଖବର ସାମନାକୁ ଆଣିବା ପରେ ତଦନ୍ତ କଲେ ସତ, ଏବେ କିନ୍ତୁ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ କରି ମାମଲାକୁ ରଫାଦଫା କରିବାକୁ ବସିଥିବା ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଖଣିଲୁଟ୍ର ମୁଖ୍ୟ କାର୍ପଟ୍ଦାରଙ୍କ ମୁଖା ଖୋଲିବାକୁ ଲୋକେ ଦାବି ଉଠାଇଛନ୍ତି। ମାମଲାର ତଦନ୍ତ କରୁଥିବା ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ କହିଛନ୍ତି, ଚୋରା କୋଇଲାର ଚେର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚେଷ୍ଟା ଚାଲିଛି। ସୁନ୍ଦରଗଡ଼ରୁ କୋଇଲା ଚୋରି ହୋଇ ବାହାର ରାଜ୍ୟର ଶିଳ୍ପ ଓ ବଡ଼ବଡ଼ ଇଟାଭାଟିକୁ ଚାଲାଣ ହେଉଥିବା ସୂଚନା ମିଳିଲାଣି। ଅତିଶୀଘ୍ର ସେଠାରେ ପହଞ୍ଚି ଚୋରଙ୍କୁ ଧରାଯିବ। ସୁନ୍ଦରଗଡ଼ ସଦର ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ର କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ। ଯିଏ ବି ଏହି କୋଇଲା ଚୋରି କରିଛି ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ୪ ଜଣଙ୍କୁ ଗିରଫ ପରେ ତଦନ୍ତ ଜାରି ରହିଛି। ଯାହାର ନାଁ ସାମନାକୁ ଆସିବ ତାକୁ ଗିରଫ କରାଯିବ। ଅନ୍ୟପକ୍ଷରେ ଖଣିଜ ଲୁଟ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ସେ କହିଛନ୍ତି, ବିଭିନ୍ନ ସ୍ତରରେ ରାଜ୍ୟ ସରକାର ତଦନ୍ତ ଚଳାଇଛନ୍ତି। ଯେଉଁମାନେ ଏଥିରେ ସଂଶ୍ଲିଷ୍ଟ ସମସ୍ତେ ବନ୍ଧା ହେବେ ଏବଂ ବଡ଼ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ହେଲେ ସେ କୋଇଲା ମନ୍ତ୍ରାଳୟକୁ ଚିଠି ମଧ୍ୟ ଲେଖିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/15/tXz7Ic5RhW3NnD3NYKXS.jpg)