ସୁନ୍ଦରଗଡ଼: ‘ଏତେ ବଡ଼ ଖଣିଜ ଲୁଟ୍କୁ ଜିଲ୍ଲାବାସୀ କେମିତି ସହିଛନ୍ତି? ସତରେ ଏ ମାଟିକୁ ଜୁହାର।’ ଶୁକ୍ରବାର ସୁନ୍ଦରଗଡ଼ ଗୋପାଳପୁର ଅଞ୍ଚଳରେ ଖଣିଜ ଲୁଟ୍ର ଆକାର ଦେଖିବା ପରେ ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ହତବାକ୍ ହୋଇ ଏଭଳି କଡ଼ା କଟାକ୍ଷ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଜେନା କହିଛନ୍ତି, ‘ଆଖି ଝଲସିଯିବା ଭଳି ଚୋରାଖଣି ରହିଛି। ଏଥିରେ ଅନେକ ବଡ଼ବଡ଼ିଆ ସାମିଲ ଅଛନ୍ତି। ଗଣମାଧ୍ୟମର କଷ୍ଟ ବ୍ୟର୍ଥ ଯିବନାହିଁ। ଖଣିଜ ଲୁଟ୍ରେ ସମ୍ପୃକ୍ତ ମାଫିଆ, ଅଧିକାରୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ’। ସିବିଆଇକୁ ମାମଲା ଦିଆଯିବ କି ବୋଲି ଗଣମାଧ୍ୟମର ପ୍ରଶ୍ନରେ ସେ କହିଥିଲେ ‘ଏହାର ତର୍ଜମା ଚାଲିଛି। ଆବଶ୍ୟକ ପଡ଼ିଲେ ସେ ଦିଗରେ ମଧ୍ୟ ସରକାର ଚିନ୍ତା କରିବେ’ ବୋଲି ମନ୍ତ୍ରୀ କହିଛନ୍ତି।
ଶୁକ୍ରବାର ସୁନ୍ଦରଗଡ଼ ଏମ୍ସିଏଲ କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ଖଣିମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ପହଞ୍ଚି ଜଙ୍ଗଲ ଭିତରେ ଚୋରାଖଣିର ସ୍ଥିତି ପରଖିଥିଲେ। ନିର୍ଦ୍ଧାରିତ ସମୟଠାରୁ ଅଢ଼େଇ ଘଣ୍ଟା ବିଳମ୍ବରେ ଦିନ ସାଢ଼େ ଗୋଟାଏରେ ଦୁଇ ମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ଆସି ସେଠାରୁ ସଡ଼କପଥରେ ଗୋପାଳପୁର ନିକଟ ଚୋରାଖଣି ଅଞ୍ଚଳରେ ପହଞ୍ଚିଥିଲେ। ତେଲେନଡିହି, ରତନସରା, ଭୋଗ୍ରାକଛାର ଜଙ୍ଗଲ ଭିତରେ ବର୍ଷବର୍ଷ ଧରି ବେଆଇନ ଭାବେ ଚାଲିଥିବା ଖଣି ଖନନ ଓ ହଜାର ହଜାର ଟନ୍ କୋଇଲା ଲୁଟ୍ର ବାସ୍ତବ ସ୍ଥିତି ବୁଲି ଦେଖିଥିଲେ। ସୁନ୍ଦରଗଡ଼ରେ କିଭଳି ରାଜ୍ୟର ସବୁଠାରୁ ବଡ଼ କୋଇଲା ଲୁଟ୍ ହୋଇଛି ତାହାର ଅନୁଧ୍ୟାନ କରିଥିଲେ। ଟାଣ ଖରାରେ ଜଙ୍ଗଲ ଭିତରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀଶଙ୍କର ଭୋଇ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଖଣି ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀଙ୍କ ସହ ଦୁଇ ମନ୍ତ୍ରୀ ଚାଲିଚାଲି ଗୋଟିଏ ପରେ ଗୋଟିଏ ବିଶାଳ ଖଣି ଦେଖିଥିଲେ। ପରେ କନିକା ଯାଇ ଆର୍ଯ୍ୟନ୍ କୋଲ୍ ୱାସେରିର ବେଆଇନ କୋଇଲା ଷ୍ଟକ୍ ଦେଖିଥିଲେ। ଦୁଇ ମନ୍ତ୍ରୀଙ୍କ ଚୋରାଖଣି ଅଞ୍ଚଳ ଗସ୍ତ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଖଣି ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମନରେ ଛନକା ପଶିଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଖଣି ଓ ଭୂତତ୍ତ୍ବ ବିଭାଗ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ, ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ, ଉପଜିଲ୍ଲାପାଳ ଦାଶରଥି ସରାବୁ, ହେମଗିର ତହସିଲଦାର ସାରିକାରାଣୀ ଧମେଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମହେନ୍ଦ୍ରନାଥ ମୁର୍ମୁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।
ଏମ୍ସିଏଲ ବସୁନ୍ଧରା ପଶ୍ଚିମ ଖଣି ପ୍ରକଳ୍ପକୁ ଆବଣ୍ଟିତ ଏହି ଅଞ୍ଚଳରେ ୧୫ ଦର୍ଷ ହେଲା କୋଇଲା ମାଫିଆ ଡେରା ପକାଇ ଶହଶହ ବେଆଇନ୍ ଖଣି ଖୋଳି ଲକ୍ଷଲକ୍ଷ ଟନ୍ କୋଇଲା ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ପ୍ରଥମ କରି ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଖଣି, ବନ ଓ ରାଜସ୍ବ ବିଭାଗର ଆଖି ଆଗରେ କିପରି ଏତେ ବଡ଼ ଲୁଟ୍ ଚାଲିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏହା ମଧ୍ୟରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ‘ସମ୍ବାଦ’ ହାତରେ ଲାଗିଥିଲା। ଗୋପାଳପୁର ଅଞ୍ଚଳରେ ଖଣିଜ ଲୁଟ୍ ହେଉଥିବା ନେଇ ଗୋପାଳପୁର ବନାଞ୍ଚଳ ଅଧିକାରୀ ତତ୍କାଳୀନ ହେମଗିର ତହସିଲଦାରଙ୍କୁ ଚିଠି ଲେଖି ଜଣାଇଥିଲେ ବି ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ କି ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ନ ଥିଲେ। ଯାହାକୁ ନେଇ ଜିଲ୍ଲାପାଳ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ଘଟଣାକ୍ରମରେ ଖଣି, ବନ, ରାଜସ୍ବ ବିଭାଗ, ପୁଲିସ ସମସ୍ତେ ସନ୍ଦେହ ଘେରକୁ ଆସିଛନ୍ତି। ଘଟଣାର ପର୍ଦାଫାସ ପରେ ଖଣି ବିଭାଗର ଏତଲାକ୍ରମେ ଖଣିଜ ଲୁଟ୍ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ୪ ଜଣଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି। ହେଲେ ଏଯାଏଁ ଖଣି ଲୁଟ୍ର ମୁଖ୍ୟ କାର୍ପଟଦାରମାନେ ଧରା ପଡ଼ିନାହାନ୍ତି।
ଜଙ୍ଗଲ ଭିତରେ ଚାଲି ଚାଲି ସ୍ଥିତି ପରଖିଲେ
‘କାର୍ଯ୍ୟାନୁଷ୍ଠାନ ନିଶ୍ଚିତ, ସିବିଆଇ ତଦନ୍ତ ପାଇଁ ତର୍ଜମା ଚାଲିଛି’
ଝାରସୁଗୁଡ଼ା ଲିଙ୍କ୍ର ତନାଘନା କେବେ?
ଝାରସୁଗୁଡ଼ା: ସୁନ୍ଦରଗଡ଼ ଜିଲ୍ଲାର କୋଇଲା ଦୁର୍ନୀତି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ଆର୍ଯ୍ୟନ୍ ୱାସେରି ସିଲ୍ ହେବା ପରେ କୋଇଲା ମହାଦୁର୍ନୀତିର ଝାରସୁଗୁଡ଼ା ଲିଙ୍କ୍ ଏବେ ସାମନାକୁ ଆସିଛି। ଯେଉଁ ଏସିବି ଇଣ୍ଡିଆ ଲିମିଟେଡ୍ ଅନ୍ତର୍ଗତ ଉକ୍ତ ୱାସେରି ସୁନ୍ଦରଗଡ଼ରେ ଚାଲୁଛି ସେହି ଲିଙ୍କ୍ର ଗ୍ଲୋବାଲ୍ କୋଲ୍ ଆଣ୍ଡ ମାଇନିଂ ନାମକ ଆଉ ଏକ ୱାସେରି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ପରିଚାଳିତ ହେଉଛି। ଗ୍ଲୋବାଲ୍ ୱାସେରି ନାମରେ ବି ପୂର୍ବରୁ ଅନେକ ଅଭିଯୋଗ ରହିଥିବା ବେଳେ କୋଲ୍ ବିଅରିଂ ଏରିଆରେ ରହିଥିବା ଏହି ୱାସେରି ଏବେ ଅପରେସନ୍ରେ ନଥିବା ସତ୍ତ୍ବେ ଭିତରେ ଟନ୍ଟନ୍ ଓଜନର କୋଇଲା ଷ୍ଟକ୍ ରହିଥିବା ଜଣାପଡ଼ିଛି। ବନ୍ଦ ୱାସେରିରେ ଏତେ ପରିମାଣର କୋଇଲା ଷ୍ଟକ୍ ରହିବା ପ୍ରଦୂଷଣ ଆଇନର ବି ଉଲ୍ଲଂଘନ କରୁଛି। ତେବେ ଏହା ସୁନ୍ଦରଗଡ଼ରୁ ହୋଇଥିବା ଚୋରି କୋଇଲା ନୁହେଁ ତ ବୋଲି ପ୍ରଶ୍ନ ଉଠିଛି। ଏ ନେଇ ପ୍ରତିକ୍ରିୟା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହିରଣ୍ୟ ନାଏକଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇପାରି ନାହିଁ।
ଏସିବି ଇଣ୍ଡିଆର ବୋର୍ଡ ଅଫ୍ ଡିରେକ୍ଟର୍ସରେ ସାମିଲ ଥିବା ଦେଶର ଜନୈକ ନାମୀ କୋଇଲା ବ୍ୟବସାୟୀ ପ୍ରାୟ ୭୦ଟି କମ୍ପାନିର ଡାଇରେକ୍ଟର ପଦବିରେ ରହିଛନ୍ତି। ଏହା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଜୁରାବଗାରେ ଥିବା ଗ୍ଲୋବାଲ୍ କୋଲ୍ ୱାସେରି ମଧ୍ୟ ଅନ୍ୟତମ। କୋଲ୍ ବିଅରିଂ ଏରିଆରେ ଗଢ଼ି ଉଠିଥିବା ଏହି ୱାସେରିକୁ ହଟାଇବା ପାଇଁ ୨୦୧୩ ମସିହାରୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ୨୦୨୦ରେ ରାଜ୍ୟ ସରକାର ଏହି ୱାସେରିକୁ ସ୍ଥାନାନ୍ତରଣ ପାଇଁ ଜାଗା ମଧ୍ୟ ଯୋଗାଇ ଦେଇଥିଲେ। ଏପରିକି ୨୦୨୧ ମସିହାରେ ଉକ୍ତ ଜମିର ଲିଜ୍ ପ୍ରତ୍ୟାହାର ବି ହୋଇଯାଇଥିଲା। କିନ୍ତୁ କମ୍ପାନି ବିଭିନ୍ନ ଆଳ ଦେଖାଇ ୱାସେରିକୁ ସ୍ଥାନାନ୍ତର ନକରିବା ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଏହି ମାମଲା ଆଜି ବି ବିଚାରାଧୀନ ରହିଛି। ସେପଟେ, ରାଜ୍ୟ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୨୨ ମସିହାରେ ଲିଜ୍ ପ୍ରତ୍ୟାହୃତ ଜମିରେ ଚାଲୁଥିବା ୱାସେରିକୁ ଆଉ ୫ ବର୍ଷ ପାଇଁ ଚଳାଇବାକୁ ‘କନ୍ସେଣ୍ଟ ଟୁ ଅପରେଟ୍’ ପ୍ରଦାନ କରିଛନ୍ତି। ୨୦୦୪ ମସିହାରେ ଇଡ୍କୋ ପକ୍ଷରୁ ଗ୍ଲୋବାଲ୍ କୋଲ୍ ୱାସେରିକୁ ଏହି ୨୧.୧୭୦ ଏକର ଜମି ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା। ୧୯୯୦ ମସିହାରୁ ଏମ୍ସିଏଲ୍ ଉକ୍ତ ଜମି ନେଇଥିବା ବେଳେ କୋଲ୍ ବିଅରିଂ ଜମିକୁ ଇଡ୍କୋ ଲିଜ୍ ସୂତ୍ରରେ ଧରାଇ ଦେଇଥିଲା। ଯାହାକି ଗ୍ଲୋବାଲ୍ କୋଲ୍ ୱାସେରି ଜମି ବିବାଦର ମୁଖ୍ୟ କାରଣ ପାଲଟିଥିଲା। ଏବେ ୱାସେରି ହଟୁନଥିବାରୁ ସମଲେଶ୍ବରୀ ଖୋଲାମୁହଁ ଖଣି ଏହି ଅଞ୍ଚଳକୁ ଆଉ ବ୍ୟାପିପାରୁନି।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି କୋଲ୍ ୱାସେରି ଆରମ୍ଭ ହେଲା ବେଳକୁ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୧.୫ ମିଲିୟନ୍ ମେଟ୍ରିକ୍ ଟନ୍ ଥିବା ବେଳେ ସିଟିଓ ରିନୁଆଲ୍ ସମୟରେ କମ୍ପାନି ନିଜର ପରିବର୍ଦ୍ଧିତ କ୍ଷମତା ଦର୍ଶାଇ ଧୀରେ ଧୀରେ ଏହାକୁ ବାର୍ଷିକ ୪ ମିଲିୟନ୍ ମେଟ୍ରିକ୍ ଟନ୍ କରିସାରିଛି। ଏବେ ଏମ୍ସିଏଲ୍ର ନିଜର ୱାସେରି ପରିଚାଳନା ଦାୟିତ୍ବ ଗ୍ଲୋବାଲ୍କୁ ମିଳିବା ପରେ ଜୁରାବଗାସ୍ଥିତ ଏହି ୱାସେରିରେ ଉତ୍ପାଦନ ପ୍ରାୟ ବନ୍ଦ ରହିଛି। ଏହା ସତ୍ତ୍ବେ ଏହି ୱାସେରିକୁ କୋଇଲା କେଉଁଠୁ ଆସୁଛି, ଏହି ଷ୍ଟକ୍ କୋଇଲାର ସୁନ୍ଦରଗଡ଼ ଲିଙ୍କ୍ ନାହିଁ ତ, ୱାସେରି ମାଟି ତଳେ ଥିବା କୋଇଲା ସୁରକ୍ଷିତ ଅଛି କି ବୋଲି ଏମିତି ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି। ସେପଟେ, ଏ ନେଇ ପ୍ରତିକ୍ରିୟା ପାଇଁ କମ୍ପାନିର ପରିଚାଳନା ଅଧିକାରୀ ଯୋଗେନ୍ଦ୍ର ରାଠୋଡ୍ଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ଗ୍ରହଣ କରିନଥିଲେ।