ସୁନ୍ଦରଗଡ଼: ସୁନ୍ଦରଗଡ଼ ଖଣିଜ ଲୁଟ୍ ମାମଲାରେ ୪ ଜଣ ଶ୍ରମିକ ଶ୍ରେଣୀର ଯୁବକଙ୍କୁ ଗିରଫ କରି ପ୍ରଶାସନ, ପୁଲିସ ନିରବ। ସତେ ଯେମିତି ଏତେ ବଡ଼ ଖଣିଲୁଟ୍ ପଛରେ ଏହି ୪ ଜଣ ଶ୍ରମିକ ହିଁ ଥିଲେ। ୧୭ ଦିନ ତଳେ କୋଇଲା ଖଣିର ବଡ଼ କେଳେଙ୍କାରୀକୁ ସାମନାକୁ ଆଣିଥିଲା ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’। ଖଣି, ବନ ଓ ରାଜସ୍ବ ବିଭାଗର ଆଖି ଆଗରେ ବର୍ଷବର୍ଷ ଧରି ଚାଲିଥିବା ଏହି ବଡ଼ଧରଣର ଲୁଟ୍ ସାରାରାଜ୍ୟରେ ହଇଚଇ ଖେଳାଇ ଦେଇଥିବାବେଳେ ଚଢ଼ଉ, ଯାଞ୍ଚ, ତଦନ୍ତରେ ବିତିଗଲାଣି ୧୫ ଦିନ। ଭୁବନେଶ୍ବରରୁ ୯ ଜଣିଆ ଟିମ୍ ତଦନ୍ତ କରିବା ପରେ ଖଣି ଓ ଜଙ୍ଗଲ ମନ୍ତ୍ରୀ ଖଣି ଲୁଟ୍ ଅଞ୍ଚଳ ଦେଖି ଫେରିଗଲେଣି। କିନ୍ତୁ ରାଜ୍ୟର ସବୁଠୁ ବଡ଼ ଖଣିଜ ଲୁଟ୍ ଘଟଣାରେ ୪ ଜଣ ଶ୍ରମିକଙ୍କୁ ଗିରଫ ଓ ଆର୍ଯ୍ୟନ୍ କୋଲ୍ ୱାସେରି ସିଲ୍ କରିବା ଛଡ଼ା ଆଉ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କୋଇଲା ମାଫିଆ ଓ କିଛି ବିଭାଗର ଉଦାସୀନତା, ଅବହେଳା ସହ ଅସାଧୁ ଅଧିକାରୀଙ୍କ ଏଥିରେ ସମ୍ପୃକ୍ତି ଜଳଜଳ ଦିଶୁଥିଲେ ମଧ୍ୟ ସରକାର ନିରବ। ଏ ସ୍ଥିତିରେ ହେମଗିରର ପୂର୍ବତନ ତହସିଲଦାରଙ୍କ ପ୍ରତି ଏ ଯାଏଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠିଲାଣି। ତାଙ୍କ ନାମରେ ଖଣିଜ କେଳେଙ୍କାରୀ ବିଷୟରେ ସବୁ ଜାଣି ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ରହିଛି। ଯାହାକୁ ନେଇ କାରଣଦର୍ଶାଅ ନୋଟିସ ଜାରି କରିଥିଲେ ସୁନ୍ଦରଗଡ଼ ଜିଲ୍ଲାପାଳ।
୨୩ରେ ସ୍ଥିତି ଅନୁଧ୍ୟାନ କରିବ ପିସିସି ଖଣି କମିଟି
ତେଲେନଡିହି ଜଙ୍ଗଲରେ ଖଣି ଚୋରି ହେଉଥିବା ନେଇ ଗୋପାଳପୁର ବନାଞ୍ଚଳ ଅଧିକାରୀ ପତ୍ରସଂଖ୍ୟା ୨୫୮(ଜି),୧୧.୫.୨୦୨୪ରେ ତତ୍କାଳୀନ ହେମଗିର ତହସିଲଦାରଙ୍କୁ ଚିଠି ଲେଖି ଜଣାଇଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ତ ଦୂର କଥା, ବନାଞ୍ଚଳ ଅଧିକାରୀଙ୍କ ଚିଠି ପାଇବା ପରେ ବି ତହସିଲଦାର ଜିଲ୍ଲା ପ୍ରଶାସନକୁ ନ ଜଣାଇ ଲୁଚାଇ ରଖିଥିଲେ। ଏହା ସାମନାକୁ ଆସିବା ପରେ ଏପ୍ରିଲ ୫ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ। ତାଙ୍କ ଭୁଲ୍ ପାଇଁ ସରକାରଙ୍କ ବିପୁଳ ରାଜସ୍ବ ହାନି ସହ କୋଇଲା ଚୋରି ହୋଇଛି। ତାଙ୍କ ବିରୋଧରେ କାହିଁକି ରୁଲ୍-୧୫ ଓସିଏସ୍ (ସିସିଏ) ଲାଗୁ ନ ହେବ, ସେ ନେଇ ୩ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ୩ ଦିନ ମଧ୍ୟରେ ଠିକ ଉତ୍ତର ନ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ମଧ୍ୟ ଦେଇଥିଲେ। କାରଣ ଦର୍ଶାଅ ନୋଟିସ୍ର ୬ ଦିନ ପରେ ଉତ୍ତର ରଖିଥିଲେ ତହସିଲଦାର। ‘ବନବିଭାଗର ଚିଠି ପାଇଲା ପରେ ସେ ଅତିରିକ୍ତ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ନାନା କାର୍ଯ୍ୟରେ ବ୍ୟସ୍ତ ରହିବା ଯୋଗୁ ଅତିରିକ୍ତ ତହସିଲଦାର ତଦନ୍ତ କଲେ ନା ନାହିଁ, ତାହା ସେ ଆଉ ବୁଝି ପାରିନଥିଲେ। ଜଙ୍ଗଲ ଭିତରେ ଖଣି ଖନନ ହୋଇଥିବାବେଳେ ତାକୁ ଜଗିବା କାର୍ଯ୍ୟ ବନଖଣ୍ଡ ଅଧିକାରୀଙ୍କ ଓ କାର୍ଯ୍ୟାନୁଷ୍ଠାନ ନେବା କାମ ଖଣି ବିଭାଗର। ଏହାଛଡ଼ା ବନାଞ୍ଚଳ ଅଧିକାରୀ ଦେଇଥିବା ଚିଠି ସମ୍ପର୍କରେ ତାଙ୍କୁ କେହି ଉପରିସ୍ଥ ଅଧିକାରୀ ପଚାରି ନଥିଲେ ବୋଲି ପୂର୍ବତନ ତହସିଲଦାର ଦର୍ଶାଇଥିଲେ। ତାଙ୍କ ଉତ୍ତରକୁ ଦେଖିଲେ ସେ ଦାୟିତ୍ବ ବା କର୍ତ୍ତବ୍ୟରେ ଜାଣିଶୁଣି ଅବହେଳା କରିଥିଲେ ବୋଲି କୁହାଯାଇପାରେ। ହେଲେ ୧୦ ଦିନ ବିତିଲାଣି, ଏ ଯାଏଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଆସନ୍ତା ୨୩ ତାରିଖରେ ପ୍ରଦେଶ କଂଗ୍ରେସ ଖଣି କମିଟି ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ଚୋରାଖଣି ସ୍ଥିତି ଅନୁଧ୍ୟାନ କରିବେ। ପ୍ରଦେଶ କଂଗ୍ରେସ ମୁଖ୍ୟ ଭକ୍ତଚରଣ ଦାସ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ବିଧାୟକ ସାଗରଚରଣ ଦାସ, ବିଧାୟକ ଅଶୋକ ଦାସ, ବିଧାୟକ ସତ୍ୟଜିତ ଗମାଙ୍ଗୋ, ବିଧାୟକ ଡା. ସିଏସ୍ ରାଜେନ ଏକ୍କାଙ୍କୁ ନେଇ ଉକ୍ତ ଖଣି କମିଟି ଗଠନ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ଭାବେ କଂଗ୍ରେସ ନେତା ନିର୍ମଳ ନାଏକଙ୍କୁ ନିଯୁକ୍ତ କରାଯାଇଛି। କମିଟି ୨୨ ତାରିଖ ରାତିରେ ସୁନ୍ଦରଗଡ଼ରେ ପହଞ୍ଚି ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ଅବସ୍ଥାନ କରି ୨୩ ତାରିଖ ସକାଳ ସାଢ଼େ ୮ଟାରେ ହେମଗିର ଖଣି ଅଞ୍ଚଳ ଯିବେ। ଦିନତମାମ ସେ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ ପରେ ବିସ୍ଥାପିତଙ୍କ ସହ ଆଲୋଚନା କରି ରାତି ୮ଟାରେ ସୁନ୍ଦରଗଡ଼ ଫେରିବେ। ୨୪ ତାରିଖ ସକାଳେ ରାଜଗାଙ୍ଗପୁର ଯାଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ଖଣି ଅନିୟମିତତା ଓ ବିସ୍ଥାପିତଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ଅପରାହ୍ନ ୩ଟାରେ ଏ ପ୍ରସଙ୍ଗରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବନଖଣ୍ଡ ଅଧିକାରୀ, ଖଣି ଉପନିର୍ଦ୍ଦେଶକ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସନ୍ଧ୍ୟା ୬ଟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।