ଶିଳ୍ପାଞ୍ଚଳ ସହର ଯୋଜନାରୁ ସୁନ୍ଦରଗଡ଼ ଜିଲ୍ଲାକୁ ବାଦ୍‌ କାହିଁକି?

୫୦ ହଜାର ଶିଳ୍ପ ଶ୍ରମିକଙ୍କ ରହିବା ପାଇଁ ସୁବିଧା ନାହିଁ
ଘର ପାଇଁ ବାରଦୁଆର ବୁଲୁଛନ୍ତି, ପିଲା ପାଠପଢ଼ା‌ରୁ ବଞ୍ଚିତ
୫୦ କିଲୋମିଟର ଦୂରରୁ ଯାଆସ କରୁଛନ୍ତି

ରାଉରକେଲା : ରାଜ୍ୟ ପାଇଁ ୪ ଶିଳ୍ପାଞ୍ଚଳ ସହର ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର କଳିଙ୍ଗନଗର, ପାରାଦୀପ, ଝାରସୁଗୁଡ଼ା, ଢେଙ୍କାନାଳ ଓ ଅନୁଗୁଳରେ ଶିଳ୍ପାଞ୍ଚଳ ସହର ସ୍ଥାପନ ହେବ। ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟ କରୁଥିବା ଲୋକଙ୍କ ରହିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇବା ଲକ୍ଷ୍ୟରେ ଏହି ଯୋଜନା ହୋଇଛି। କିନ୍ତୁ ଏଥିରୁ ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପାଞ୍ଚଳଗୁଡିକୁ ବାଦ୍‌ ଦିଆଯାଇଥିବାରୁ ଶିଳ୍ପ ଶ୍ରମିକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ପଞ୍ଜୀକୃତ ଶିଳ୍ପ ଶ୍ରମିକ ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାକୁ ଅବହେଳା କରାଯାଇଥିବା ମତ ପ୍ରକାଶ ପାଇଛି।

ବ୍ରିଟିଶ ଅଧୀନରେ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଖଣି ଓ ଶିଳ୍ପ ଗଢି ଉଠିଥିଲା। ବୀରମିତ୍ରପୁରସ୍ଥିତ ବିଶ୍ରା ଷ୍ଟୋନ୍‌ ଲାଇମ୍‌ ଆଣ୍ଡ କମ୍ପାନି ଚୂନ ପଥର ଉତ୍ତୋଳନ ସହ ଚୂନ ଭାଟି ପ୍ରତିଷ୍ଠା କରି ଷ୍ଟୋନ୍‌ ଲାଇମ୍‌ (ପଥର ଚୂନ) ପ୍ରସ୍ତୁତ କରୁଥିଲା। ବିଏସ୍‌ଏଲ୍‌ ପରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ସିମେଣ୍ଟ କାରଖାନା ଓ ରାଉରକେଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଜିଲ୍ଲାରେ ୩ଟି ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିଥିଲେ। ରାଉରକେଲା ସହର, କଲୁଙ୍ଗା ଓ ରାଜଗାଙ୍ଗପୁରରେ ଶିଳ୍ପାଞ୍ଚଳ ତିଆରି କରାଯାଇ ଶିଳ୍ପପତିମାନଙ୍କୁ ସେଡ୍‌ କିମ୍ବା ପ୍ଲଟ୍‌ ଯୋଗାଇ ଦିଆଯାଇଥିଲା। ତିନି ଶିଳ୍ପାଞ୍ଚଳରେ ଶହ ଶହ କାରଖାନା ଗଢ଼ି ଉଠିଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷରେ ହଜାର ହଜାର ‌ବେକାର ଏଥିରେ ନିଯୁକ୍ତି ପାଇଥିଲେ। ପରେ ଶିଳ୍ପାଞ୍ଚଳ ଘୋଷଣା ହୋଇ ନଥିଲେ ବି ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା, ଲହୁଣିପଡ଼ା, ବଣାଇଁ , କାଂସବାହାଲ, କୁତ୍ରା ଓ ରାଜଗାଙ୍ଗପୁର ଅଞ୍ଚଳରେ ସ୍ପଞ୍ଜ ଆଇରନ କାରଖାନା, ଇଣ୍ଡକ୍ସନ ଫର୍ଣ୍ଣେସ୍‌, ଫାୟାର ବ୍ରିକ୍ସ, ବଡ଼ କ୍ରସର ୟୁନିଟ୍‌ ସମେତ ବହୁ କଳ କାରଖାନା ଗଢ଼ି ଉଠିଛି। ଆର୍‌ଏସ୍‌ପି, ଏଲ୍‌ଆଣ୍ଡଟି ଓ ଡାଲମିଆଁ ସିମେଣ୍ଟ କାରଖାନାକୁ ବାଦ୍‌ ଦେଲେ ଜିଲ୍ଲାରେ ୫୦ ହଜାରରୁ ଅଧିକ ପଞ୍ଜୀକୃତ ଶ୍ରମିକ ଓ କର୍ମଚାରୀ ରହିଛନ୍ତି। କିନ୍ତୁ ଏହି ବେସରକାରୀ କଳ କାରଖାନାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ରହିବା ପାଇଁ ଏ ପର୍ଯ୍ୟନ୍ତ ଶିଳ୍ପାଞ୍ଚଳ ସହର ହୋଇନାହିଁ। ତେଣୁ ଏହିସବୁ ଶିଳ୍ପ ସଂସ୍ଥାରେ କାମ କରୁଥିବା ଲୋକେ ରାଉରକେଲାରେ ରହିବାକୁ ବାଧ୍ୟ ହେଉଛନ୍ତି।

କୁଆରମୁଣ୍ଡାରେ ଥିବା ୫ଟି କାରଖାନାର ବସ୍‌ ପ୍ରତିଦିନ ରାଉରକେଲା ଯାଇ ଶ୍ରମିକ ଓ କର୍ମଚାରୀଙ୍କୁ ଆଣି କାରଖାନାରେ ପହଞ୍ଚାଇବା ସହ ଘରେ ନେଇ ଛାଡୁଛି। କଲୁଙ୍ଗା ଶିଳ୍ପାଞ୍ଚଳ, ବିରକେରା ଓ କାଂସବାହାଲରୁ ମଧ୍ୟ ପ୍ରତିଦିନ କଳକାରଖାନା ମାଲିକମାନେ କର୍ମଚାରୀଙ୍କ ପାଇଁ ବସ୍‌ ଚଳାଉଛନ୍ତି। ଏପରିକି ବଣାଇଁ ରାଜାମୁଣ୍ଡାରୁ ମଧ୍ୟ କେତେକ କାରଖାନା ମାଲିକ ରାଉରକେଲାରୁ ଯାଆସ କରିବା ପାଇଁ କର୍ମଚାରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। କୁଆରମୁଣ୍ଡାସ୍ଥିତ ଆଧୁନିକ୍‌ ମେଟାଲିକ୍ସ ଚାଲୁଥିବା ବେଳେ ପ୍ରତିଦିନ ରାଉରକେଲାରୁ ୧୦ଟି ବସ୍‌ ସବୁ ସିଫ୍ଟରେ ଚଳାଚଳ କରୁଥିଲା। ଏପରିକି ଟାଇଁସର ଭଳି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରୁ ମଧ୍ୟ ଶିଳ୍ପ ଶ୍ରମିକଙ୍କୁ ନେବା ପାଇଁ ପ୍ରତିଦିନ ରାଉରକେଲାକୁ ସ୍ବତନ୍ତ୍ର ବସ୍‌ ଆସୁଛି। ଆର୍‌ଏସ୍‌ପି, ଏଲ୍ଏଣ୍ଡଟି ଓ ଡାଲମିଆଁ ସିମେଣ୍ଟକୁ ଛାଡ଼ି ଜିଲ୍ଲାର ଅନ୍ୟ କୌଣସି ଶିଳ୍ପ ସଂସ୍ଥା ସେମାନଙ୍କ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ଶିଳ୍ପାଞ୍ଚଳ ସହର କିମ୍ବା ରହିବା ପାଇଁ ଘର ଓ ସୁବିଧା ସୁଯୋଗ କରି ନାହାନ୍ତି। କାରଖାନା ମାଲିକମାନେ କେତେକ ନିର୍ଦ୍ଦି‌ଷ୍ଟ ଶ୍ରମିକ କର୍ମଚାରୀଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରୁଥିବା ବେଳେ ହଜାର ହଜାର ଶ୍ରମିକ କାରଖାନା ପାଖରେ ଯେମିତି ସେମିତି ରହିବାକୁ ବାଧ୍ୟ ହୋଇଥାନ୍ତି। ଅନେକ ସ୍ଥାନରେ ରହିବା ଭଳି ପରିବେଶ ନଥିବା, ପିଲାଙ୍କୁ ପାଠପଢା ଏବଂ ସର୍ବନିମ୍ନ ସୁବିଧା ମିଳୁନଥିବାରୁ ଶ୍ରମିକ ଓ କର୍ମଚାରୀ ବେଶୀ ଦିନ କାମ କରି ପାରନ୍ତି ନାହିଁ। ଫଳରେ ଉଭୟ ଶ୍ରମିକ ଓ କର୍ମଚାରୀ ଏବଂ ଶିଳ୍ପ ସଂସ୍ଥାର କ୍ଷତି ହେଉଛି।

ଲୁହାପଥର, ଚୂନ ପଥର, ଡୋଲାମାଇଟ୍‌, କୋଇଲା ପ୍ରଭୃତି ଖଣିଜ ସମ୍ପଦରେ ଭରପୂର ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପସଂସ୍ଥାର ଭବିଷ୍ୟତ ଉଜ୍ଜ୍ବଳ। ଏକଦା ସୁନ୍ଦରଗଡ଼ ଜିଲ୍ଲାକୁ ରାଜ୍ୟର ଶିଳ୍ପ ରାଜଧାନୀ ବୋଲି କୁହାଯାଉଥିଲା। ଯୋଜନାରେ ସାମିଲ ଅଞ୍ଚଳଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଏବେ ବି ଅଧିକ ଶିଳ୍ପ ଓ ଶ୍ରମିକ ଅଛନ୍ତି। ଏସବୁ ଦୃଷ୍ଟିରୁ ଜିଲ୍ଲାର କୁଆରମୁଣ୍ଡା, ବେଦବ୍ୟାସ, ରାଜଗାଙ୍ଗପୁର, ରାଜାମୁଣ୍ଡାରେ ଶିଳ୍ପାଞ୍ଚଳ ସହର ନିହାତି ଜରୁରି। କିନ୍ତୁ ଶିଳ୍ପଞ୍ଚଳ ସହର ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାର ନାଁ ନ ରହିବା ସମସ୍ତଙ୍କୁ ବିସ୍ମିତ କରିଛି। ଏହା ରାଜ୍ୟ ସରକାରଙ୍କ ଜିଲ୍ଲା ପ୍ରତି ଆଉ ଏକ ଅବହେଳା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର