ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନଥାନା ଡେଙ୍ଗିଭାଡ଼ିର ଏକ ଜଘନ୍ୟ, ଲୋମହର୍ଷକ ଶିଶୁକନ୍ୟା ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁନ୍ଦରଗଡ଼ ପୋକ୍ସୋ କୋର୍ଟଙ୍କ ଐତିହାସିକ ରାୟ ଆସିଛି। ଅତିରିକ୍ତ ଜିଲ୍ଲାଜଜ୍ ତଥା ପୋକ୍ସୋ କୋର୍ଟ ଜଜ୍ ମହେନ୍ଦ୍ର କୁମାର ସୂତ୍ରଧର ଅଭିଯୁକ୍ତ ସଂଜୀବ କେର୍କେଟାକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଅନ୍ୟପଟେ ମୃତା ଶିଶୁଙ୍କ ବିଧବା ମା’ଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଘଟଣାର ୭ ବର୍ଷ ପରେ ରାୟ ଆସିଛି।
୨୦୧୬ ମସିହା ଅକ୍ଟୋବର ୨୧ ତାରିଖ ରାତି ୧୧ଟାରେ ସୁନ୍ଦରଗଡ଼ ଟାଉନଥାନା ଡେଙ୍ଗିଭାଡ଼ି ଅଞ୍ଚଳରେ ମା’ କୋଳରେ ଶୋଇଥିବା ଜଣେ ୪ ବର୍ଷର ଶିଶୁକନ୍ୟାକୁ ଅପହରଣ କରି ଏକ ନିର୍ମାଣାଧୀନ କୋଠାରେ ଦୁଷ୍କର୍ମ କରିବାପରେ ଧରାପଡ଼ିଯିବା ଭୟରେ ହତ୍ୟା କରିଥିଲା ଅଭିଯୁକ୍ତ। ଘଟଣାର ୪ ଦିନ ପରେ ନିର୍ମାଣାଧୀନ କୋଠାରୁ ଶିଶୁର ଅର୍ଦ୍ଧଗଳିତ ମୃତଦେହ ଉଦ୍ଧାର କରିଥିଲା ଟାଉନ ପୁଲିସ। ତଦନ୍ତ ପରେ ମାମଲାରେ ପଡ଼ାର ସଂଜୀବ କେର୍କେଟାଙ୍କ ନାମ ସାମ୍ନାକୁ ଆସିଥିଲା। ତେବେ ଘଟଣା ପରେ ଫେରାର ହୋଇଯାଇଥିଲା ସଂଜୀବ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଦିନ ପରେ ୨୦୧୬ ଅକ୍ଟୋବର ୨୭ ତାରିଖରେ ତାକୁ ଗିରଫ କରିଥିଲା। ଶିଶୁକନ୍ୟାକୁ ଅପହରଣ କରିନେଇ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଥିଲା। ପୂର୍ବରୁ ମଧ୍ୟ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବାବେଳେ ଜାମିନରେ ଆସି ଏହି କାଣ୍ଡ ଘଟାଇଥିବା ସୂଚନା ମିଳିଥିଲା। ପୁଲିସ ଭାରତୀୟ ଦଣ୍ଡବିଧି ଧାରା ୪୫୦, ୩୬୬, ୩୭୬(୨)(ଆଇ), ୩୭୬ (ଏ), ୩୦୨/୨୦୧୬ ପୋକ୍ସୋ ଆଇନରେ ମାମଲା ରୁଜୁକରି ତାକୁ କୋର୍ଟ ଚାଲାଣ କରିଥିଲା।
ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏପରିକି ଅଭିଯୁକ୍ତ ପାଇଁ ମାମଲା ନଲଢ଼ିବାକୁ ନିଷ୍ପତ୍ତି ନେଇଥିଲା ସୁନ୍ଦରଗଡ଼ ଜିଲ୍ଲା ଓକିଲ ସଂଘ। ପୁଲିସ ୭.୩.୨୦୧୭ରେ ଚାର୍ଜସିଟ୍ ଦାଖଲ କରିଥିଲା। ୨୮.୮.୨୦୧୭ରେ ଚାର୍ଜଫ୍ରେମ୍ ହୋଇଥିଲା। ଏହା ପରେ ୩.୩.୨୦୨୦ରେ ସାକ୍ଷ୍ୟ ଗ୍ରହଣ, ୩.୧୦.୨୦୨୩ରେ ଜବାବ ସୁଆଲ ଓ ୧୯.୧୦.୨୦୨୩ରେ ରାୟ ପ୍ରକାଶ ପାଇଥିଲା। ମାମଲାକୁ ସ୍ବତନ୍ତ୍ର ଜନଅଭିଯୋଜକ (ପିପି) ଦେବାଶିଷ ମିଶ୍ର ପରିଚାଳନା କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ସରକାରଙ୍କ ତରଫରୁ ପ୍ରତିପକ୍ଷ ଓକିଲ ନିଯୁକ୍ତ କରାଯାଇଥିଲା। ଅଭିଯୁକ୍ତ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ୫ ବର୍ଷ ୧୧ ମାସ ୧୫ ଦିନ କାଟିଥିବା ବେଳେ ଏବେ ମୃତ୍ୟୁଦଣ୍ଡ ପାଇଛି। ସ୍ବାମୀଙ୍କ ମୃତ୍ୟୁ ପରେ ଡେଙ୍ଗିଭାଡ଼ିର ଏକ ଝାଟିମାଟି କୁଡ଼ିଆରେ ୩ କୁନିଝିଅ ସହ ରହୁଥିଲେ ଜଣେ ବିଧବା। ମଜୁରି କରି ପିଲାଙ୍କ ମୁହଁରେ ଆହାର ଦେଉଥିଲେ। ୨୧ ତାରିଖରେ ତାଙ୍କ ୪ ବର୍ଷର କୁନି ଝିଅ ପାଇଁ ଆସିଥିଲା କାଳ ରାତି। ରାତି ୧୧ଟାରେ କୋଳରେ ଶୋଇଥିବା ଶିଶୁକନ୍ୟାକୁ କେହିଜଣେ ଟେକି ନେଇଥିଲା। ମା’ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ନପାଇବାରୁ ୨୨ ତାରିଖ ସକାଳେ ଟାଉନଥାନାରେ ଏତଲା ଦେଇଥିଲେ। ତତ୍କାଳୀନ ଏସ୍ପି ନିଖିଲ କାନୋଡ଼ିଆ ଘଟଣାକୁ ଗମ୍ଭୀରତାର ସହ ନେଇ ଶିଶୁଟିକୁ ଠାବ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ତତ୍ତ୍ବାବଧାନ ଓ ତତ୍କାଳୀନ ଟାଉନଥାନା ଅଧିକାରୀ ଠାକୁରଦାସ ମୁର୍ମୁଙ୍କ ନେତୃତ୍ବରେ ପୁଲିସ ଫୋର୍ସ ସହ ସନ୍ଧାନୀ କୁକୁର ତନାଘନା କରି ୨୫ ତାରିଖ ସନ୍ଧ୍ୟାରେ ଡେଙ୍ଗିଭାଡ଼ିର ଏକ ନିର୍ମାଣାଧୀନ କୋଠା ଭିତରୁ ଶିଶୁକନ୍ୟାର ଗଳିତ ଶବକୁ ଉଦ୍ଧାର କରିଥିଲା। ତାକୁ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲା ପୁଲିସ। ଏହା ପରେ ଅଭିଯୁକ୍ତକୁ ଠାବ କରିବା ପୁଲିସ ପାଇଁ ବଡ଼ ଆହ୍ବାନ ହୋଇଥିଲେ ମଧ୍ୟ ତଦନ୍ତ ପରେ ପଡ଼ାର ସଂଜୀବ କେର୍କେଟା ହିଁ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା।
ସେତେବେଳେ ସୁନ୍ଦରଗଡ଼ ବସ୍ଷ୍ଟାଣ୍ଡରେ ହକର କାମ କରୁଥିବା ସଂଜୀବ ଘଟଣା ପରେ ନିଜ ଉପରୁ ସମସ୍ତଙ୍କ ଦୃଷ୍ଟି ହଟାଇବାକୁ ବିଧବା ସହ ମୃତ ଶିଶୁକୁ ଖୋଜିବାର ଅଭିନୟ କରିଥିଲା। ଏପରିକି ଅପହରଣ ଅଭିଯୋଗ ନେଇ ଥାନାକୁ ମଧ୍ୟ ବିଧବାଙ୍କ ସହ ଯାଇଥିଲା। କିନ୍ତୁ ପରେ ସେ ସନ୍ଦେହ ଘେରକୁ ଆସିବା ପରେ ଫେରାର ହୋଇଯାଇଥିଲା। ପୁଲିସର ପଚରାଉଚରା ପରେ ସତ ଉଗାଳିଥିଲା ସଂଜୀବ। ସେ ବିଧବାଙ୍କ ବଡ଼ ଝିଅକୁ ଟାର୍ଗେଟ କରିଥିଲା। କିନ୍ତୁ ସୌଭାଗ୍ୟକ୍ରମେ ସେ ପଡ଼ିଶା ଘରକୁ ଟିଭିଦେଖି ଯାଇଥିବାରୁ କାମୁକ ସଂଜୀବ ସାନଝିଅକୁ ଟେକି ଲୁହରାଢ଼ିପା ନିକଟ ଜଙ୍ଗଲକୁ ନେଇଯାଇଥିଲା। ପରେ ମଧ୍ୟରାତ୍ରରେ ପଡ଼ା ନିକଟ ଏକ ନିର୍ମାଣାଧୀନ କୋଠା ଭିତରକୁ ନେଇଆସି ଦୁଷ୍କର୍ମ କରିଥିଲା। ଭୟ ଓ କଷ୍ଟରେ ଶିଶୁଟି ଛଟପଟ ହେବାରୁ ଅଭିଯୁକ୍ତ ତାକୁ ନିର୍ମମ ଭାବେ ତଣ୍ଟିଚିପି ହତ୍ୟାକରି ଚମ୍ପଟ ମାରିଥିଲା। ପୋକ୍ସୋ କୋର୍ଟର ପିପି ଦେବାଶିଷ ମିଶ୍ର ମାମଲା ପରିଚାଳନା କରିଥିଲେ।