ହସ୍‌ପିଟାଲକୁ ଯିବାକୁ ଅମଙ୍ଗ କରୋନା ଆକ୍ରାନ୍ତ କନଷ୍ଟେବଳ, ସ୍ୱାସ୍ଥ୍ୟକର୍ମୀଙ୍କୁ ନାଲି ଆଖି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର କ୍ରମବର୍ଦ୍ଧିଷ୍ଣୁ କରୋନା ଆକ୍ରାନ୍ତହାରକୁ ପ୍ରତିହତ କରିବାକୁ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ଯେଉଁଦିନ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି, ଉକ୍ତ ଦିନ ସନ୍ଧ୍ୟାରେ ହିଁ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଉଛି। ଏଥିପାଇଁ ୨ଶହ ଶଯ୍ୟା ବିଶିଷ୍ଟ ହାଇଟେକ୍‌ କୋଭିଡ୍‌ ହସପିଟାଲ ସମେତ ବିପିୟୁଟି କ୍ୟାମ୍ପସ୍‌ରେ ନୂଆ କୋଭିଡ୍‌କେୟାର ସେଣ୍ଟର୍‌ ଓ ସୁନ୍ଦରଗଡ଼ରେ ଏନ୍‌ଟିପିସି ହସପିଟାଲରେ ଆବଶ୍ୟକ ବ୍ୟବସ୍ଥା କରା ଯାଇଛି। ତେବେ ଏତେ ପରିଶ୍ରମ ପରେ ମଧ୍ୟ କିଛି ଘଟଣା ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଜଣେ କରୋନା ଆକ୍ରାନ୍ତ ହସପିଟାଲରେ ଭର୍ତ୍ତି ହେବା ପରିବର୍ତ୍ତେ ଜୋରଜବରଦସ୍ତ ଘରେ ରହୁଛନ୍ତି, ଯାହାକୁ ନେଇ ସହରରେ ପ୍ରବଳ ଚର୍ଚ୍ଚା ହେଉଛି। ଆକ୍ରାନ୍ତଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପ୍ରଶାସନର ରୢାପିଡ୍‌ ରେସ୍‌ପନ୍ସ ଟିମ୍‌ ଯାଇଛନ୍ତି, ମାତ୍ର ଆକ୍ରାନ୍ତ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଫେରାଇ ଦେଇଥିବାର ଅଭିଯୋଗ ହୋଇଛି। ଏଭଳି ନିୟମ ଉଲ୍ଲଂଘନ କୌଣସି ସାଧାରଣ ଶ୍ରମଜୀବୀ କି ପ୍ରବାସୀ ଫେରନ୍ତା କରୁ ନାହାନ୍ତି, ଜଣେ ପୁଲିସ କର୍ମଚାରୀ ହିଁ ନିୟମକୁ ଖୋଲାଖୋଲି ଚ୍ୟାଲେଞ୍ଜ୍‌ କରୁଛନ୍ତି। ବିଡ଼ମ୍ବନା ଏହା ଯେ, ଏ ନେଇ ପୁଲିସର ଉଚ୍ଚଅଧିକାରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଥାନାଧିକାରୀ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିଲେ ସୁଦ୍ଧା ଚୁପ୍‌ ବସିଛନ୍ତି।

ଏହି ଆକ୍ରାନ୍ତ ଜଣକ ହେଉଛନ୍ତି ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୋଷ ଥାନାର ଜଣେ ୫୪ ବର୍ଷ ବୟସ୍କ କନଷ୍ଟେବଳ। ସେ ରାଉରକେଲାର ସେକ୍ଟର-୭, ପୁଲିସ କଲୋନି ପିଡବ୍ଲ୍ୟୁଡି-୧୩ରେ ସପରିବାର ରହନ୍ତି। ଜଣେ କରୋନା ଯୋଦ୍ଧା ଭାବେ ‌ଡ୍ୟୁଟି କଲାବେଳେ କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଗତ ୯ ତାରିଖରେ କନଷ୍ଟେବଳ ଜଣକ ଆକ୍ରାନ୍ତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ୯ ତାରିଖରୁ ଆଜି ପର୍ଯ୍ୟନ୍ତ ୩ ଦିନ ବିତିଲାଣି, କିନ୍ତୁ ସେ ଏବେ ବି ଘରେ ଅଛନ୍ତି। କୋଭିଡ୍‌ ହସପିଟାଲକୁ ଯିବାକୁ ସିଧାସଳଖ ମନା କରିଦେଉଛନ୍ତି। ତାଙ୍କର କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରିବାକୁ ସ୍ବାସ୍ଥ୍ୟ ବିଭାଗର ଏକ ଦଳ ତାଙ୍କ ଠିକଣାରେ ପହଞ୍ଚିଥିଲା, କିନ୍ତୁ ନାଲିଆଖି ଦେଖାଇ ସେ କୁଆଡ଼େ ସେମାନଙ୍କୁ ଫେରାଇ ଦେଇଥିଲେ। ଏମିତିକି ଆର୍‌ଏସ୍‌ପିର କୋଭିଡ୍‌ ଡ୍ୟୁଟିରେ ନିୟୋଜିତ କର୍ମଚାରୀ ମଧ୍ୟ ଉକ୍ତ ଅଞ୍ଚଳକୁ ଯିବାକୁ କୁଆଡ଼େ ଅମଙ୍ଗ ହେଉଛନ୍ତି। ଫଳରେ ଆଜି ପର୍ଯ୍ୟନ୍ତ ଆକ୍ରାନ୍ତ କନଷ୍ଟେବଳ ନିଜ ଘରେ ରହୁଛନ୍ତି। ଏହାକୁ ନେଇ ପଡ଼ୋଶୀ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେମାନେ ରାଉରକେଲା ଏସ୍‌ପି ଓ ଅତିରିକ୍ତ ଏସ୍‌ପିଙ୍କୁ ମଧ୍ୟ ଯୋଗାଯୋଗ କରି ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। କିନ୍ତୁ ଏ ଖବ‌ର ଲେଖା ହେବାଯାଏ କିଛି ସୁଫଳ ମିଳିନାହିଁ। ଆକ୍ରାନ୍ତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର