ସୁନ୍ଦରଗଡ଼,(ଡମ୍ବରୁଧର ନାୟକ): ଏକଦା କଂଗ୍ରେସର ଗଡ଼ ଥିବା ସୁନ୍ଦରଗଡ଼ ବିଧାନସଭା କ୍ରମଶଃ ଦଳଠାରୁ ଦୂରେଇ ଯାଇଛି। ଦୁଇ ଥରର ବିଧାୟକ ଯୋଗେଶ କୁମାର ସିଂ ୨୦୧୯ ନିର୍ବାଚନରେ ଦଳ ଛାଡ଼ିବା ପରଠାରୁ ଗଡ଼ ଭୁଶୁଡ଼ି ଯାଇଛି କହିଲେ ଭୁଲ ହେବନାହିଁ। ଏ ସ୍ଥିତିରେ ଚର୍ଚ୍ଚା ହେଉଛି ଯେ ଗଡ଼ ସଜାଡ଼ିବା ପରିବର୍ତ୍ତେ ଦଳର ମଙ୍ଗୁଆଳମାନେ ପତିଆରା ଲଢ଼େଇରେ ମାତିଛନ୍ତି। ତେଣୁ ନିକଟ ଭବିଷ୍ୟତରେ ଦଳ ମଜଭୁତ ହୋଇ ନିଜ ହୃତଗୌରବ ଫେରିପାଇବା ସମ୍ଭାବନା କମ୍‌ ବୋଲି ରାଜନୈତିକ ବି‌ଶ୍ଳେଷକ ମତପ୍ରକାଶ କରିଛନ୍ତି। ନିକଟରେ କଂଗ୍ରେସ ସଂଗଠନର ପୁନର୍ବିନ୍ୟାସ ହୋଇଥିବା ବେଳେ ଏଥିରେ ଦଳର ଟାଣୁଆନେତା ପୂର୍ବତନ ବାଚସ୍ପତି କିଶୋର ପଟେଲ ଓ ତାଙ୍କ ଗୋଷ୍ଠୀଙ୍କୁ କୋଣଠେସା କରାଯାଇଛି। ଯୁବବର୍ଗଙ୍କ ହାତରେ ସଂଗଠନ ଦାୟିତ୍ବ ଦେବା ଆଳରେ କଂଗ୍ରେସର ଏହି ପୁରୁଣା ଟିମ୍‌ର ପ୍ରଭାବକୁ ହ୍ରାସ କରାଯାଇଥିବା ଚର୍ଚ୍ଚା ହେଉଛି।

Advertisment

୧୯୫୧ରେ ଗଠିତ ସୁନ୍ଦରଗଡ଼ ବିଧାନସଭା ୧୯୫୭ ଯାଏଁ ଦ୍ବୈତ ଆସନ ବିଶିଷ୍ଟ ଥିଲା। ୧୯୫୧ରେ କଂଗ୍ରେସର କୃପାନିଧି ନାୟକ ଓ ଗଣତନ୍ତ୍ର ପରିଷଦର ହରିହର ପଟେଲ ନିର୍ବାଚିତ ହୋ‌ଇଥିଲେ। ସେହିପରି ୧୯୫୭ରେ ଗଣତନ୍ତ୍ର ପରିଷଦର ଦୁଇପ୍ରାର୍ଥୀ ଉଦିତ ପ୍ରତାପ ଶେଖରଦେଓ ଓ ଗଙ୍ଗାଧର ପ୍ରଧାନ ନିର୍ବାଚିତ ହୋଇଥିଲେ। ୧୯୬୧ ବେଳକୁ ଦ୍ବୈତ ଆସନ ବ୍ୟବସ୍ଥାର ଉଚ୍ଛେଦ ହୋଇଥିଲା। ବିଧାନସଭାଟି ବହୁ ସମୟ ଧରି କଂଗ୍ରେସ ହାତରେ ଥିଲା। ଏଠାରେ ୧୬ ଥର  ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ କଂଗ୍ରେସ ୭ ଥର ବିଜୟୀ ହୋଇଛି। ଏଠାରୁ କଂଗ୍ରେସର ପ୍ରଭାବଶାଳୀ ନେତା କିଶୋରଚନ୍ଦ୍ର ପଟେଲ ୩ ଥର ନିର୍ବାଚିତ ହୋଇ ମନ୍ତ୍ରୀ ଓ ସମ୍ମାନଜନକ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ। ବହୁବର୍ଷ ଧରି ତାଙ୍କ ଇସାରାରେ ସୁନ୍ଦରଗଡ଼ ଜିଲ୍ଲା ସ‌ମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସଂଗଠନ ପରିଚାଳିତ ହେଉଥିଲା। ୧୯୮୫, ୧୯୯୦ ଓ ୨୦୦୦ରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

୨୦୦୯ରେ ଆସନଟି ଆଦିବାସୀବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଯିବା ପରେ ଶ୍ରୀ ପଟେଲ ନିର୍ବାଚନ ଲଢ଼ିପାରି ନଥିଲେ। ହେଲେ ଆଦିବାସୀ ବର୍ଗର ଯୁବଚେହେରା ଯୋଗେଶ ସିଂଙ୍କୁ ଦଳ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ୨୦୧୪ରେ ମଧ୍ୟ ତାଙ୍କ ବିଜୟ ହୋଇଥିଲା। ୨୦୧୯ ବେଳକୁ ସେ କଂଗ୍ରେସରୁ ବିଜେଡିକୁ ଚାଲି ଯାଇଥିଲେ। କିନ୍ତୁ ଅଭିଯୋଗ ହେଉଛି ଯେ ଗଡ଼ ସଜାଡ଼ିବା ବା ତାର ପୁନଃନିର୍ମାଣ କରିବାକୁ ଦଳରେ ବିଶେଷ ଆଗ୍ରହ ଥିବା ପରିଲକ୍ଷିତ ହେଉନାହିଁ। ଜିଲ୍ଲାର ପୁରୁଣା କଂଗ୍ରେସ ଟିମ୍‌ ହାତରୁ କମିଟିକୁ ଛଡ଼ାଇ ନେଇ ଶକ୍ତିହୀନ କରିଦିଆଯାଇଛି ବୋଲି ପୁରୁଣା କର୍ମୀ କହୁଛନ୍ତି। ଜିଲ୍ଲାର ପ୍ରଭାବଶାଳୀ ନେତା କିଶୋର ପଟେଲଙ୍କୁ ପିସିସି କୋଷାଧ୍ୟକ୍ଷ ପଦବିରୁ ହଟାଇ ଦିଆଯାଇଛି। ଗଡ଼ ଜଗିଥିବା ଅନ୍ୟତମ ବରିଷ୍ଠନେତା ପୂର୍ବତନ ପିସିସି ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ ଓ ନିମାଇଁଚରଣ ନାଏକଙ୍କୁ ପିସିସି କାର୍ଯ୍ୟକାରୀ ସଭ୍ୟ କରିଦିଆଯାଇଛି। ସେହିପରି ୨ ଥର ଜିଲ୍ଲା ସଭାପତି ଭାର ସମ୍ଭାଳିଥିବା କିଶୋର ଗୋଷ୍ଠୀର ବେଣୁମାଧବ ତ୍ରିପାଠୀଙ୍କୁ ହଟାଇ ବଣାଇର ଜନାର୍ଦ୍ଦନ ଦେହୁରୀଙ୍କୁ ସଭାପତି ଦାୟିତ୍ବ ଦିଆଯାଇଛି। ରାଜଗାଙ୍ଗପୁର ବିଧାୟକ ଡା. ରାଜନ ଏକ୍କାଙ୍କୁ ପିସିସି ଉପସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ଏବଂ ନିର୍ମଳ ନାଏକଙ୍କୁ ପିସିସି ସାଧାରଣ ସମ୍ପାଦକ କରି ନୂଆ ଟିମ୍‌ ହାତରେ ସୁନ୍ଦରଗଡ଼ କଂଗ୍ରେସକୁ ଟେକି ଦିଆଯାଇଛି।

ନୂଆ କମିଟିର ରୂପରେଖକୁ ଦେଖିଲେ ୨୦୨୪ରେ ଅମିତା ବିଶ୍ବାଳ ପୁଣି ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ କୁହାଯାଇପାରେ। ତେବେ ପୁରୁଣା ଟିମ୍‌କୁ କୋଣଠେସା କରି ଆଗାମୀ ନିର୍ବାଚନରେ ଦଳ କିପରି ପ୍ରଦର୍ଶନ କରିବ, ତାହା ଦେଖିବା କଥା। କାରଣ ୨୦୧୯ରେ ଯୋଗେଶ କଂଗ୍ରେସ ଛାଡ଼ି ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବାବେଳେ ପ୍ରମୁଖ ଭାବେ ଏହି ଗୋଷ୍ଠୀର ଅସନ୍ତୋଷ ତାଙ୍କୁ ପରାଜୟର ମୁହଁ ଦେଖାଇଥିଲା।