ଲୋକେ କାଶି କାଶି ବେହାଲ, ବାବୁ ଓ କାରଖାନା ମାଲେମାଲ; ପ୍ରଦୂଷଣ ବଳୟରେ ସୁନ୍ଦରଗଡ଼ ଜିଲ୍ଲା

କାରଣଦର୍ଶାଅ ନୋଟିସ୍‌ରେ ସୀମିତ ପ୍ରଦୂଷଣ ନିୟନ୍ତ୍ରଣ

ରାଉରକେଲା: ବିଷାକ୍ତ ଧୂଆଁ ବଳୟରେ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଅଞ୍ଚଳ ଏବେ ଆକ୍ରାନ୍ତ। ଶିଳ୍ପାଞ୍ଚଳ ଚତୁଃପାର୍ଶ୍ବ ଅଞ୍ଚଳରେ ସ୍ଥିତି ଆହୁରି ସାଂଘାତିକ। ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ସ୍ପଞ୍ଜ କାରଖାନା (ରେଡ୍‌ କାଟାଗୋରି) ସମେତ ଅନ୍ୟ ଅନେକ କିସମର କଳ କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ବିଷବଳୟ ସୃଷ୍ଟି କରି ଚାଲିଛି। ସମସ୍ତେ ଦେଖୁଛନ୍ତି, କିନ୍ତୁ କିଛି ପ୍ରତିକାର ହେଉନାହିଁ। ପ୍ରଦୂଷଣ ବିଭାଗର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଅଧିକାଂଶ କାରଖାନା ମାଲିକ ମନଇଚ୍ଛା କାରଖାନା ଚଲାଉଥିବାର ବାରମ୍ବାର ଅଭିଯୋଗ ହେଉଛି। ଏପରିକି ୧୦-୧୨ ଫୁଟ୍ ଉଚ୍ଚର ଚିମିନି ଠିଆକରି କାରଖାନାଗୁଡ଼ିକ ନିର୍ଭୟରେ ଧୂଆ ଓକାଳୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଦୂଷଣ ବିଭାଗ ଆଜି ଯାଏଁ ଏମାନଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏହାର କାରଣ ପ୍ରଦୂଷଣକାରୀ କାରଖାନା ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଚୋରା ସଲାସୁତରା ବୋଲି ଚର୍ଚ୍ଚା ହେଉଛି।

କଲୁଙ୍ଗା, ବଣାଇଗଡ, ଲହୁଣିପଡା, କୁଆରମୁଣ୍ଡା, ଲାଠିକଟାରେ ରହିଥିବା ଅଧିାଂଶ ସ୍ପଞ୍ଜ ଆଇରନ କାରଖାନାରେ ପ୍ରଦୂଷଣ ବିଭାଗର ନିୟମକୁ ଫୁଃ କରି ଇଏସ୍‌ପି ମେସିନ୍‌ ଚଳାଉନାହାନ୍ତି। ଏହା ବାଧ୍ୟତାମୂଳକ ହୋଇଥିଲେ ହେଁ ବିଦ୍ୟୁତ୍‌ ବିଲ୍‌ କମ୍‌ କରିବାଲାଗି ଜାଣିଶୁଣି ଇଏସ୍‌ପି ମେସିନ୍‌ ବନ୍ଦ ରଖା ଯାଉଛି। ବଣାଇଁ ବ୍ଲକରେ ଥିବା ମା’ କାଳୀ, ଶିବ ମେଟାଲିକ୍ସ, ଓରସ୍‌ ଓ ବିକ୍ରମ ସ୍ପଞ୍ଜ ଭଳି କେତେକ ସ୍ପଞ୍ଜ କାରଖାନା କେଉଁ ସ୍ତରରେ ପ୍ରଦୂଷଣ କରୁଛନ୍ତି, ନିଜ ଆଖିରେ ନଦେଖିଲେ ବିଶ୍ବାସ କରି ହେବନାହିଁ। ଏଗୁଡ଼ିକରୁ ନିର୍ଗତ ବିଷାକ୍ତ କଳା ଧୂଆଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି ଅନେକବାର ପ୍ରଦୂଷଣ ବିଭାଗର ଦୃଷ୍ଟି ଆକର୍ଷଣ କରା ଯାଇଛି। ବିଭାଗ କିନ୍ତୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ସରକାରୀ ହିସାବ ଅନୁସାରେ, ଜିଲ୍ଲାରେ ୫୬୫ ଛୋଟବଡ ଶିଳ୍ପ, ପଥର ଖାଦାନ, ବାଲିଘାଟ, ଇଟାଭାଟି ପଞ୍ଜିକୃତ ହୋଇଛି। ଏଥି ମଧ୍ୟରୁ ୧୩୬ଟି ଶିଳ୍ପ କାରଖାନା ଅଧିକ ପ୍ରଦୂଷଣକାରୀ ଅର୍ଥାତ୍‌ ରେଡ୍‌ କାଟାଗୋରି ଅନ୍ତର୍ଭୁକ୍ତ।

ଅଧିକ ପ୍ରଦୂଷଣକାରୀ ଶିଳ୍ପ ମଧ୍ୟରେ ରହିଛି ଜିଲ୍ଲାର ବଣାଇ, ଲହୁଣିପଡା, କଲୁଙ୍ଗାରେ ରହିଥିବା ୩୦ରୁ ଅଧିକ ସ୍ପଞ୍ଜ ଆଇରନ୍‌, ପଥର ଖାଦାନ ଓ ରାଇସ୍‌ ମିଲ୍‌। ୭୪ଟି ଶିଳ୍ପ ଗ୍ରୀନ୍ କାଟାଗୋରିରେ ଆସୁଛି। ସେପଟେ ରେଡ୍ କାଟାଗୋରି ଅଧୀନରେ ଆସୁଥିବା ଶିଳ୍ପ, ପଥର ଖାଦାନଗୁଡ଼ିକୁ ପ୍ରଦୂଷଣ ବିଭାଗ ବିଭାଗୀୟ ଅଧିକାରୀ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଛି ବୋଲି ସଫେଇ ଦିଆ ଯାଉଛି। ସ୍ଥାନୀୟ ଅଞ୍ଚଳର ବାସ୍ତବ ଚିତ୍ର କିନ୍ତୁ ଓଲଟା। ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ପ୍ରଦୂଷଣ ମାପିବାକୁ ଜିଲ୍ଲାର ରାଜଗାଙ୍ଗପୁର, କୁଆରମୁଣ୍ଡା, କଲୁଙ୍ଗା ଓ ବଣାଇଁ ଶିଳ୍ପାଞ୍ଚଳରେ ଗୋଟିଏ ଲେଖାଏଁ ଯନ୍ତ୍ର ଲଗାଯାଇଛି। ଏହି ମେସିନ୍‌ଗୁଡ଼ିକୁ ଚଳାଇବାକୁ ଜଣେ ଲେଖାଏଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆ ଯାଇଛି। କିନ୍ତୁ ସପ୍ତାହକୁ ୨ ଥର, ବର୍ଷକୁ ୧୦୮ ଥର ଚାଲିବାକୁ ଥିବା ଏହି ମେସିନ୍‌ ମାସ ମାସ ଧରି ଚାଲୁ ନଥିବା ଅଭିଯୋଗ ‌ହେଉଛି। ମେସିନ୍‌ ଚଳାଇବାକୁ ଯେଉଁମାନଙ୍କୁ ଦାୟିତ୍ବ ଦିଆଯାଇଛି, ସେମାନେ ସେଠାକୁ ନଯାଇ କାଗଜପତ୍ରରେ ସବୁକିଛି ଠିକ୍‌ଠାକ୍‌ଚାଲିଛି ବୋଲି ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦେଇ କାମ ସାରି ଦେଉଛନ୍ତି। ସେମିତି ବିଭାଗୀୟ ଅଧିକାରୀ ବାସ୍ତବ ସ୍ଥିତି ଅନୁଧ୍ୟାନ ନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସେହି ସମାନ ରିପୋର୍ଟ ପଠାଇ ଦେଉଛନ୍ତି। ଏହା ଭିତରେ ନିୟମିତ ଟେବୁଲ-ତଳ କାରବାର ହେଉଥିବାର ମଧ୍ୟ ଅଭିଯୋଗ ହୁଏ।

ସବୁଠୁ ଆଶ୍ଚର୍ଯ୍ୟ କଥା, ଶିଳ୍ପାଞ୍ଚଳ ପ୍ରଦୂଷଣ ମାତ୍ରା ମାପିବାକୁ ପ୍ରଦୂଷଣ ମାପକଯନ୍ତ୍ରରୁ କି ରିପୋର୍ଟ ମିଳୁଛି ଓ ତା’ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି, ସେ ବିଷୟରେ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରୁ ନାହାନ୍ତି। କଲୁଙ୍ଗା ଶିଳ୍ପାଞ୍ଚଳକୁ ଉଦାହରଣ ରୂପେ ନିଆଗଲେ, ରାଉରକେଲା ସହରର ଅଂଶ ବିଶେଷ ଭଳି ରହିଥିବାଏହି ଅଞ୍ଚଳରେ ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ସ୍ପଞ୍ଜ ଆଇରନ ଓ ଅନ୍ୟ କଳକାରଖାନା ରହିଛି। ଏହି କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଓ ବିଷାକ୍ତ ପାଣି ସ୍ଥାନୀୟ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି ସୃ‌ଷ୍ଟି କରୁଥିବା, ଚାଷ ଜମି ନଷ୍ଟ କରିବା, ଏପରିକି କ୍ଷେତର ପନିପରିବା ଓ ପୋଖରିର ମାଛ ଭିତରୁ ବି କଳା କଳା ଦ୍ରବ୍ୟ ବାହାରୁଥିବାର ଅନେକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏହି ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଅନେକ ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। କିନ୍ତୁ କଦବା କ୍ବଚିତ କାରଣଦର୍ଶାଅ ନୋଟିସ୍‌ଜାରି କରି ବିଭାଗ ନିଜର କାମ ସାରି ଦେଇ ଆସିଛି। ଉକ୍ତ ଅଞ୍ଚଳରେ ଥିବା ପ୍ରଦୂଷଣ ମାମଲାରେ କୁଖ୍ୟାତ କାରଖାନାଗୁଡ଼ିକ କଳାଧୂଆଁ ଓକାଳିବା ଏବେ ମଧ୍ୟ ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ଆଞ୍ଚଳିକ ପ୍ରଦୂଷଣ ନିୟଅନ୍ତ୍ରଣ ଅଧିକାରୀ ଡକ୍ଟର ବିନୋଦ ବିହାରୀ ଦାସଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର