ସୁନ୍ଦରଗଡ଼ରେ ପରିସ୍ଥିତି ଭୟାବହ, ଗଛମୂଳେ କ୍ଷୀର, ଜଳ ଅର୍ପଣ

ରାଉରକେଲା: ଚିଅ କିସାନ। ବୟସ ୫୦ ବର୍ଷ। କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିବେର୍ଣ୍ଣା ଗ୍ରାମର ବାସିନ୍ଦା। ତାଙ୍କର ୧୫ ଏକରରୁ ଅଧିକ ଚାଷ ଜମି। ପ୍ରତିବର୍ଷ ଶ୍ରାବଣ ମାସ ବେଳକୁ ଧାନ କ୍ଷେତରେ ରୁଆ ଓ ଘାସ ବଛା କାମ ଶେଷ କରିଥାନ୍ତି। ଏଥର କିନ୍ତୁ ତାଙ୍କ ଜମିକୁ ହଳ ଯାଇନାହିଁ। ବର୍ଷା ଅଭାବରୁ ଚାଷ ‌ନ ହୋଇ ଜମି ଘାସ ପଡ଼ିଆ ପାଲଟିଛି। ଏବେ ବର୍ଷା ହେଲେ ବି ଆଉ ଧାନ ଚାଷ ସମ୍ଭବ ନୁହେଁ। ତେଣୁ ଚିନ୍ତାରେ ପଡ଼ିଛନ୍ତି ସେ। ପଦ୍ମପୁର ଗ୍ରାମର କୁମରମଣୀ ରଣା (୬୦)ଙ୍କର ମାତ୍ର ଦେଢ ଏକର ଚାଷ ଜମି। ଏହି ଜମିରୁ ତାଙ୍କ ପରିବାର ପ୍ରତିପୋଷଣ ହୁଏ। ଏଥର ନଦୀ କଡ଼ ଖାଲୁଆ ଜମିରେ ଧାନ ବୁଣିଥିଲେ ବି ବର୍ଷା ଅଭାବରୁ ତାହା ମରିବାକୁ ବସିଲାଣି। ଗତବର୍ଷ ମରୁଡ଼ି ହୋଇଥିବା ବେଳେ ଏଥର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାରରୁ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଖୁକୁଣ୍ଡବାହାଲା ଗ୍ରାମର ରବି ନନ୍ଦ ଜଣେ ସଫଳ ଚାଷୀ। ଏଥର ୨୦ ଏକରରୁ ଅଧିକ ଜମିରେ ସେ ଚାଷ କାର୍ଯ୍ୟ କରିଥିଲେ ବି ବର୍ଷା ଅଭାବରୁ ତାହା ମରିଗଲାଣି। ଧାନ ରୋଈବା ପାଇଁ ପଡ଼ିଥିବା ତଳି ମଧ୍ୟ ନଷ୍ଟ ହୋଇଗଲାଣି। ଚାଷ ପାଇଁ ଲ୍ୟାମ୍ପ୍‌ସ ଓ ଅନ୍ୟସ୍ଥାନରୁ ସେ କରିଥିବା ଲକ୍ଷ ଲକ୍ଷ ଟଙ୍କା ଋଣ ଶୁଝିବା ଚିନ୍ତାରେ ସେ ଏବେ ଭାଙ୍ଗି ପଡ଼ିଛନ୍ତି। ସେହିପରି କୁତ୍ରା ବ୍ଲକ୍‌ ଅନ୍ତର୍ଗତ ସତ୍ୟ ବାର୍ଲା, ବିଶ୍ବାସ କାଣ୍ଡୁଲାନା, ଭଗଲ ତିର୍କି, ସଞ୍ଜୟ ମିଞ୍ଜ, ପ୍ରଦୀପ ଲାକଡା, ହେରମନ୍ ଡୁଙ୍ଗ୍ ଡୁଙ୍ଗ୍, ବିଜୟ ବଡାଇକ, କ୍ଷେତ୍ର ଲାକଡା, ସନାତନ ଲାକଡା, ଦୀପକ ଲାକଡା, ଦିଲ୍ଲୀପ ଲାକଡା, ସନ୍ତୋଷ ଲାକଡା, ଜିତେନ୍ଦ୍ର ଲାକଡା, ପୂର୍ଣ୍ଣ ଲାକଡା, ପାତ୍ର ଲାକଡାଙ୍କର ସମାନ ଅବସ୍ଥା। କେବଳ କୁଆରମୁଣ୍ଡା କିମ୍ବା କୁତ୍ରା ବ୍ଳକ୍‌ ନୁହେଁ, ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ୍‌ରେ ବର୍ଷା ଅଭାବରୁ ମରୁଡ଼ି ହୋଇଛି।‌ ଏବେ ବର୍ଷା ପାଇଁ ଲୋକମାନେ ଦୈବକୃପା ଉପରେ ନିର୍ଭର କରିଛନ୍ତି। ତେନ୍ତୁଳି ଗଛ ମୂଳେ ମହିଳାମାନେ କ୍ଷୀର ଓ ଜଳତର୍ପଣ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର