ସୁନ୍ଦରଗଡ଼: ପ୍ରସ୍ତାବିତ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସାମିଲ ହେବ ସୁନ୍ଦରଗଡ଼। ରବିବାର ସୁନ୍ଦରଗଡ଼ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସୁନ୍ଦରଗଡ଼ ସଂସ୍କୃତି ଭବନରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ ଏହା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସେ ନିଜେ ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସାମିଲ କରିବାକୁ ଚାହୁଁଥିବା କହିଛନ୍ତି। ସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ‘ସୁନ୍ଦରଗଡ଼ ଜିଲ୍ଲା ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅଛି। ଆଗକୁ ଉତ୍ତର ଓଡ଼ିଶା ପରିଷଦରେ ମିଶିଲେ ଜିଲ୍ଲାର ବିକାଶ ଦ୍ବିଗୁଣିତ ହେବ। ଆଉ ୨ରୁ ୩ ମାସ ମଧ୍ୟରେ ଗଠନ ହେବ ଉତ୍ତର ଓଡ଼ିଶା ବିକାଶ ପରିଷଦ। ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ ହୋଇ କାମ ଆରମ୍ଭ ହେଲାଣି। ଏଥିପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଥିଲେ’। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ବଡ଼ ବିବାଦ ଛିଡ଼ା କରିଥିବାବେଳେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏ ସଂପର୍କରେ ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା କିଶୋରଚନ୍ଦ୍ର ପଟେଲ କହିଛନ୍ତି, ଏହା ଏକ ଉଦ୍ଭଟ ଘୋଷଣା। କିଛି ଭିନ୍ନ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଏହି ଯୋଜନା କରିଛନ୍ତି। ସୁନ୍ଦରଗଡ଼ର ପରିଚୟ ପଶ୍ଚିମ ଓଡ଼ିଶାରେ ରହିଛି। କୌଣସି ସ୍ଥିତିରେ ଏହାକୁ କାର୍ଯ୍ୟକାରୀ କରିବାକୁ ଦିଆଯିବ ନାହିଁ। ମୁଖ୍ୟମନ୍ତ୍ରୀ ଏଥିରୁ କ୍ଷାନ୍ତ ରହିବା ଉଚିତ। ନଚେତ ଜିଲ୍ଲାବାସୀଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ବରିଷ୍ଠ ଆଇନଜୀବୀ ତଥା କମ୍ୟୁନିଷ୍ଟ ନେତା ଅଶୋକ ଦାଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପଛରେ ଏକ ହୀନ ଉଦ୍ଦେଶ୍ୟ ଲୁଚିରହିଛି। ସେ ଓ ତାଙ୍କ ଦଳ ପଶ୍ଚିମ ଓଡ଼ିଶାର ଏକତାକୁ ଭାଙ୍ଗିବାକୁ ଏବଂ ଏକ ସ୍ବତନ୍ତ୍ର ସଂସ୍କୃତିକୁ ଖିନଭିନ୍ କରିବାକୁ ଯୋଜନା କରିଛନ୍ତି। ପଶ୍ଚିମ ଓଡ଼ିଶାରେ ସ୍ବତନ୍ତ୍ର ପ୍ରଦେଶ, ହାଇକୋର୍ଟ ବେଞ୍ଚ ଓ ଅନ୍ୟ ଦାବି ରହିଥିବାବେଳେ ତାକୁ କୌଣସି ମତେ ଦୁର୍ବଳ କରିଦେବାକୁ ସୁଚିନ୍ତିତ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହାବ୍ୟତୀତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗୋଟିଏ ଅଞ୍ଚଳର ଭାଷା, ଭୌଗୋଳିକ ସ୍ଥିତି, ସଂସ୍କୃତି ଆଦିକୁ ପାଥେୟ କରି ଏକ ଆଇନର ପ୍ରାବଧାନ ମଧ୍ୟରେ ଗଠିତ ହୋଇଛି। କ୍ୟାବିନେଟ୍ର ବିନା ମଞ୍ଜୁରୀରୁ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରି ସୁନ୍ଦରଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶାକୁ ଅପମାନିତ କରିଛନ୍ତି। ପଶ୍ଚିମ ଓଡ଼ିଶାର ଭାବାବେଗ, ସ୍ବାଭିମାନ ସହ ଖେଳିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ କ୍ଷମା ମାଗିବା ସହ ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ। ନ ହେଲେ ଜିଲ୍ଲାରେ ତୀବ୍ର ବିରୋଧ ହେବ। ସେହିପରି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶା ହେଉଛି ସୁନ୍ଦରଗଡ଼ର ବଡ଼ ପରିଚୟ। ଏହାର ସାମାଜିକ ଚାଲିଚଳଣି, ସଂସ୍କୃତି, ପରମ୍ପରା ସ୍ବତନ୍ତ୍ର। ଉତ୍ତର ଓଡ଼ିଶାର ଚାଲିଚଳଣି, ସଂସ୍କୃତି ସହ ଏହା କୌଣସି କ୍ଷେତ୍ରରେ ମେଳ ଖାଏନାହିଁ। ଏ ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେଇ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ମନରେ ଆଘାତ ଦେଇଛନ୍ତି। ତୁରନ୍ତ ନିଜ ମନ୍ତବ୍ୟ ସେ ପ୍ରତ୍ୟାହାର କରି ନିଅନ୍ତୁ। ପଶ୍ଚିମ ଓଡ଼ିଶାରୁ ସୁନ୍ଦରଗଡ଼ ହଟି ଉତ୍ତର ଓଡ଼ିଶାରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ। ରାଜ୍ୟ ବିଜେପି ସରକାର ଏଥିରୁ କ୍ଷାନ୍ତ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ବିଧାୟକ କହିଛନ୍ତି। ସେହିପରି ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜେପି ଉପସଭାପତି କୁସୁମ ଟେଟେ କହିଛନ୍ତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ସୁନ୍ଦରଗଡ଼ ଜିଲ୍ଲା ହଟିବାର ପ୍ରଶ୍ନ ଉଠୁନାହିଁ। ମୁଖ୍ୟମନ୍ତ୍ରୀ ଜିଲ୍ଲାର କେବଳ ବଣାଇ ଉପଖଣ୍ଡକୁ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସାମିଲ କରିବାକୁ ଚାହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/25/vj9lmYClaZhqnW8LEYwe.jpg)