ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଆସନ: ଦ୍ବିତୀୟ ଦିନରେ ବହୁ ଆଗରେ ବିଜେଡି

ଭୋଟରଙ୍କ ମନ ଜିଣିପାରିଲାନି  କଂଗ୍ରେସ ଓ ବିଜେପି

ରାଉରକେଲା: ସୁନ୍ଦରଗଡ଼ରେ ପ୍ରଥମ ଓ ଦ୍ବିତୀୟ ଦିନ ଗଣନାରେ ବିଜେଡିକୁ ଜବରଦସ୍ତ ସଫଳତା ମିଳିଛି। ପ୍ରଥମ ଦିନରେ କୋଇଡା (କ) ଆସନକୁ ଛାଡି ଦେଲେ ୧୬ଟି ଆସନରେ ବାଜିମାତ୍‌ ମାରିଥିଲା ବିଜେଡି। ଆଜି ୧୭ ଜିଲ୍ଲା ପରିଷଦ (ଖ) ଆସନରୁ କେବଳ ନୂଆଗାଁ କୁ ଛାଡିଦେଲେ ଅନ୍ୟ ୧୬ ଆସନରେ ବିଜେଡି ବହୁ ଆଗରେ ରହିଛି। କୋଇଡା, କୁଆରମୁଣ୍ଡା, ଲହୁଣିପଡା, ଗୁରୁଣ୍ଡିଆ, ବଣାଇଗଡ, ଲାଠିକଟା, କୁତ୍ରା, ବଡଗାଁ, ଟାଙ୍ଗରପାଲି, ଲେଫ୍ରିପଡା  ଜୋନ୍‌ରେ ବିଜେଡି ବହୁ ଆଗରେ ରହିଛି। ରାଜଗାଙ୍ଗପୁର ଜୋନ୍‌ରେ କଂଗ୍ରେସ ଓ ବିଜେଡି,  ଗୁରୁଣ୍ଡିଆ ବ୍ଲକରେ ସିପିଆଇ (ଏମ୍‌) ଓ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି।

ହେମଗିରି, ସବ୍‌ଡେଗା,  ସୁନ୍ଦରଗଡ଼ ସଦର, ବାଲିଶଙ୍କରା, ବିଶ୍ରା ବ୍ଲକରେ ବିଜେଡି ବାଜିମାତ୍‌ ମାରିବାକୁ ଯାଉଛି। ରାଜଗାଙ୍ଗପୁରର କଂଗ୍ରେସ  ବିଧାୟକ ଡକ୍ଟର  ରାଜନ୍‌ ଏକ୍କା ନିର୍ବାଚନ ମଙ୍ଗ ଧରିଥିଲେ ହେଁ ଭୋଟରଙ୍କ ମନ ଜିଣିପାରି ନାହାନ୍ତି। ତଲସରା ବିଜେପି  ବିଧାୟକ ଭବାନିଶଙ୍କର ଭୋଇ, ସୁନ୍ଦରଗଡ ବିଧାୟିକା କୁସୁମ ‌ଟେଟେ, ବୀମରିତ୍ରପୁର ବିଧାୟକ ଶଙ୍କର ଓରାମଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ନିଜ ସପକ୍ଷରେ ଭୋଟ ଯୋଗାଡ କରିବାରେ ଏମାନେ ଫେଲ୍‌ ହୋଇଛନ୍ତି। ବଣାଇର ସିପିଆଇ (ଏମ୍‌)  ବିଧାୟକ ଲକ୍ଷ୍ମଣ ମୁଣ୍ଡା  ୮ ଜିଲ୍ଲା ପରିଷଦ ଆସନରୁ ମାତ୍ର ଗୋଟିଏ ଆସନ ନିଜ ଖାତାକୁ ଆଣିବାରେ ସକ୍ଷମ ହୋଇଛନ୍ତି। ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଗୋଟିଏ ‌ହେଲେ ଜିଲ୍ଲା ପରିଷସ ଆସନ ହାତେଇବାକୁ ସକ୍ଷମ ହୋଇପାରି ନାହାନ୍ତି।

ସର୍ବୋପରି ବିଜେପିର ଟାଣୁଆ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଜିଲ୍ଲାର ନିର୍ବାଚନ ମଙ୍ଗ ଧରିଥିଲେ। ଗତ ନିର୍ବାଚନ ବିଜେପି ହାତେଇଥିବା ୧୩ରୁ ଅଧିକ ଜିଲ୍ଲା ପରିଷଦ ଦଖଲ କରିବାକୁ ରଣକୌଶଳ ପ୍ରସ୍ତୁତ କରିଥିଲେ। ‌ହେଲେ ତାଙ୍କର ସମସ୍ତ ରଣକୌଶଳ ପଣ୍ଡ ହୋଇଛି। ଉଲ୍ଲେଖଯୋଗ୍ୟ,  ପ୍ରଥମ ଦିନର ଗଣତିରେ ୧୭ଟି ଜୋନ୍ ମଧ୍ୟରୁ ୧୬ରେ ବିଜୟୀ ହୋଇଛି ଦଳ। କୋଇଡାର  ଗୋଟିଏ ଆସନ  ସିପିଆଇଏମ୍ ହାତକୁ ଯାଇଛି। ଏଠାରେ ଦଳର ସୁଶୀଳ ମୁଣ୍ଡା ବିଜୟୀ ହୋଇଛନ୍ତି। ତେବେ ବିଜେଡିର ୩ ପ୍ରାର୍ଥୀ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତି ବିରୋଧୀଙ୍କୁ ଚମକାଇ ଦେଇଛନ୍ତି।

ବିଜେଡିର ହେମିଗର ୨୭ ନମ୍ବର ଜୋନର ଉଦିତ ସେଠ୍ ୮୪୫୫, ନୂଆଗାଁ ୧୧ ନମ୍ବର ଜୋନର ଜ୍ୟୋତି ଦଲରସା ଟେଟେ ୮୦୭୯ ଓ  ସୁନ୍ଦରଗଡ଼ ୨୫ ନମ୍ବର ଜୋନର ଅଶ୍ବିନୀ ନାଏକ ୭୪୦୮ ଭୋଟରେ ବିଜୟୀ ହୋଇଛନ୍ତି। ପ୍ରଥମ ଦିନରେ ବିଜେପିର ତିନି ବିଧାୟକ କୁସୁମ ଟେଟେ, ଭବାନୀ ଭୋଇ ଓ ଶଙ୍କର ଓରାମଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ବିଧାନସଭା କ୍ଷେତ୍ରରେ ବିଜେପି ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ପ୍ରଥମ ଦିନର ଫଳାଫଳ ଅନୁସାରେ,  କୁଆରମୁଣ୍ଡା ୧ ନମ୍ବର ଜୋନରେ  ବିଜେଡିର ନେଭିଲ କୁମାର କେର୍କେଟା ୧୧୯୧ ଭୋଟରେ ବିଜୟୀ ହୋଇଛନ୍ତି।

କୁତ୍ରା ୩ ନମ୍ବର ଜୋନରେ ବିଜେଡିର ପିଙ୍କି କିସାନ ୫୨୯୪ ଭୋଟରେ ବିଜୟୀ ହୋଇଛନ୍ତି। କୋଇଡ଼ା ୫ ନମ୍ବର ଜୋନରେ ରେ  ସିପିଆଇଏମର ସୁଶୀଳା ମୁଣ୍ଡା ୬୨୩୦ ଭୋଟରେ ବିଜୟୀ ହୋଇଛନ୍ତି। ସେ ୧୨୪୪୬ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ୬୨୧୬, ବିଜେପିର କୁନି ମୁଣ୍ଡା ୧୬୨୬, କଂଗ୍ରେସର ଟୁରି ମୁଣ୍ଡା ୪୭୬ ଓ ଜେଏମଏମର ୨୪୩ ଭୋଟ ପାଇଛନ୍ତି। ଗୁରୁଣ୍ଡିଆ ୭ ନମ୍ବର ଜୋନରେ ବିଜେଡିର ଅପିନ୍ଦ୍ର କିସାନ ୯୬୧ ଭୋଟରେ ବିଜୟୀ ହୋଇଛନ୍ତି। ଟାଙ୍ଗରପାଲି ୯ ନମ୍ବର ଜୋନରେ ବିଜେଡିର ଗେଲବତୀ ପଟେଲ ୯୮୭ ଭୋଟରେ ବିଜୟୀ ହୋଇଛନ୍ତି।

ସେ ୯୪୦୭ ଭୋଟ ପାଇଛନ୍ତି। ନୂଆଗାଁ ୧୧ ନମ୍ବର ଜୋନରେ ବିଜେଡିର ଜ୍ୟୋତି ଦଲାରସା ଟେଟେ ୮୦୭୯ ଭୋଟରେ  ବିଜୟୀ ହୋଇଛନ୍ତି। ବଡ଼ଗାଁ ୧୩ ନମ୍ବର ଜୋନରେ ବିଜେଡିର ଅମୀୟ କୁମାର ପ୍ରଧାନ ୫୧୪୬ ଭୋଟରେ ବିଜେପିର ବସନ୍ତ ଦଣ୍ଡସେନାକୁ ପରାଜିତ କରିଛନ୍ତି। ବଣାଇଗଡ଼ ୧୫ ନମ୍ବର ଜୋନରେ ବିଜେଡିର ବୀରବିଚିତ୍ର ସେନ ନାୟକ ୩୩୬୪ ଭୋଟରେ ବିଜେପିର କାର୍ମୁ କିସାନଙ୍କୁ ପରାଜିତ କରିଛନ୍ତି। ବାଲିଶଙ୍କରା ୧୭ ନମ୍ବର ଜୋନରେ ବିଜେଡିର ବିନୋଦ କୁମାର କୁଜୁର ୪୭୫୬ ଭୋଟର ବିଜୟୀ ହୋଇଛନ୍ତି।

ବିଶ୍ରା ୧୯ ଜୋନରେ ବିଜେଡିର ହାଲୁ ମୁଣ୍ଡାରି ୧୭୭୩ ଭୋଟରେ ବିଜୟୀ ହୋଇଛନ୍ତି। ରାଜଗାଙ୍ଗପୁର ୨୧ ନମ୍ବର ଜୋନରେ ବିଜେଡି ସୁଶୀଳ ଟପ୍ପୋ ୧୩୦୯ରେ ବିଜୟୀ ହୋଇଛନ୍ତି। ସବଡେଗା ୨୩ ନମ୍ବର ଜୋନରେ ବିଜେଡିର ମନୋଜ ବାରୁଆ ୨୪୯୭ରେ ଜିତିଛନ୍ତି। ସୁନ୍ଦରଗଡ଼ ସଦର ବ୍ଲକ ୨୫ ନମ୍ବର ଜୋନରେ ବିଜେଡିର ଅଶ୍ବିନୀ ନାଏକ ୭୪୧୦ ଭୋଟରେ ଜିତିଛନ୍ତି। ହେମଗିର ୨୭ ନମ୍ବର ଜୋନରେ ବିଜେଡିର ଉଦିତ ସେଠ ୮୪୫୫ରେ ଜିତିଛନ୍ତି। ଲହୁଣିପଡ଼ା ୨୯ ଜୋନରେ ବିଜେଡିର ଜୁଲିଆନି କଣ୍ଡିରା ୫୩୧୧ ଭୋଟରେ ବିଜୟୀ ହୋଇଛନ୍ତି। ଲାଠିକଟା ୩୧ ନମ୍ବର ଜୋନରେ ବିଜେଡିର ଭୁବନୁ କୁଜୁର ୧୧୬୬ରେ ଜିତିଛନ୍ତି। ଲେଫ୍ରିପଡ଼ା ୩୪ ନମ୍ବର ଜୋନରେ ବିଜେଡିର ବୈଷ୍ଣବ ମାଝୀ ୫୬୮୪ରେ ଜିତିଛନ୍ତି।

ସମ୍ବନ୍ଧିତ ଖବର