ସୁନ୍ଦରଗଡ଼ ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, ମଦ ବିକ୍ରି ଅଭିଯୋଗରେ ଶନିବାର ଗିରଫ ହୋଇଥିଲେ

ଅବକାରୀ ଟିମ୍‌ର ନିର୍ଯାତନାରେ ମୃତ୍ୟୁ ଅଭିଯୋଗ

ସୁନ୍ଦରଗଡ଼: ଚୋ‌ରା ମଦ ବିକ୍ରି ଅଭିଯୋଗରେ ଗତ ୧୫ ତାରିଖରେ ଗିରଫ ହୋଇ ଜେଲ୍‌ରେ ଥିବା ଭଷ୍ମା ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ସନ୍ତୋଷ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କର ଆଜି ସକାଳେ ମୃତ୍ୟୁ ହୋଇଯାଇଛି। ଗୁରୁତର ସନ୍ତୋଷଙ୍କର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା କାରଗାର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ତେବେ ଅବକାରୀ ଟିମ୍‌ ଅକଥନୀୟ ନିର୍ଯାତନା ଦେଇଥିବା ଓ ସେହି କାରଣରୁ ତାଙ୍କ ସ୍ବାମୀ (ସନ୍ତୋଷ)ଙ୍କ ମୃତ୍ୟୁ ହୋଇଯାଇଥିବା ମୃତକଙ୍କ ପତ୍ନୀ ସରୋଜିନୀ ମୁଣ୍ଡା ଅଭିଯୋଗ କରିଛନ୍ତି। ଏ ନେଇ ସେ ଟାଉନଥାନାରେ ଲିଖିତ ଏତଲା ଦେଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ସକାଳ ସାଢ଼େ ୭ଟାରେ ସମ୍ବଲପୁର ଅବକାରୀ ୟୁନିଟ ଚୋରା ମଦ କାରବାର ଅଭିଯୋଗରେ ଦେଉଳିର ସନ୍ତୋଷ ମୁଣ୍ଡାଙ୍କ ଘରେ ଚଢ଼ଉ କରିଥିଲେ। ତାଙ୍କ ଘରୁ ମଦ ଜବତ ହୋଇ ନଥିଲେ ମଧ୍ୟ ସନ୍ତୋଷଙ୍କୁ ଘୋଷାଡ଼ି ନେଇ ଯାଇଥିଲେ। ପତ୍ନୀ ସରୋଜିନୀ ନେହୁରା ହୋଇଥିଲେ ଅବକାରୀ କର୍ମଚାରୀମାନେ ଶୁଣି ନଥିବା ସେ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କୁ ଗିରଫ କରି ଅଦାଲତରେ ହଜାର କରିଥିଲା ଅବକାରୀ ଟିମ୍‌। ଅଦାଲତ ସନ୍ତୋଷଙ୍କ ଜାମିନ ନାମଞ୍ଜୁର କରି କାରାଗାରକୁ ପଠାଇ ଦେଇଥିଲେ। ତେବେ ଆଜି ସକାଳୁ ସନ୍ତୋଷଙ୍କର ବୁର୍ଲାରେ ମୃତ୍ୟୁ ହୋଇଥିବା ପତ୍ନୀ ସରୋଜିନୀଙ୍କୁ କାରଗାର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ତାଙ୍କ ସ୍ବାମୀଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସରୋଜିନୀ। ଏ ସମ୍ପର୍କରେ କାରାପାଳ ଚିତ୍ତରଞ୍ଜନ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଗତକାଲି ରାତି ୧ଟାରେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବାରୁ ଜେଲ୍‌ ଡାକ୍ତର ସନ୍ତୋଷଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଭୋର୍ ୩ଟାରେ ଜିଲ୍ଲା ଡାକ୍ତରଖାନା ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ଟାରେ ସନ୍ତୋଷଙ୍କର ମୃତ୍ୟୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ସ୍ପଷ୍ଟ ଚିତ୍ର ମିଳିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର