ସୁନ୍ଦରଗଡ଼: ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଏକ ନବଜାତ ଶିଶୁପୁତ୍ରକୁ ୨୫ ହଜାର ଟଙ୍କାରେ ବିକ୍ରି ଉଦ୍ୟମ ବ୍ୟର୍ଥ ହୋଇଛି। ଏକ ଘରୋଇ ନର୍ସି˚ହୋମର ଜନୈକ ନର୍ସ ଏଭଳି ଉଦ୍ୟମ କରୁଥିବାବେଳେ ଧରା ପଡ଼ିଯାଇଛନ୍ତି। ଘଟଣା ଜଣାପଡ଼ିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁସାରେ, ଛତିଶଗଡ଼ ଯଶପୁର ଜିଲ୍ଲା ଅନ୍ତର୍ଗତ କୁରଙ୍ଗାମାଲର ସୁନିଲ ମାଝି ନାମକ ଜଣେ ଯୁବକଙ୍କ ବର୍ଷେ ତଳେ ଜଣେ ୧୭ ବର୍ଷର ଝିଅ ସହ ପ୍ରେମ ସମ୍ପର୍କ ଗଢ଼ିଉଠି ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇଥିଲା। ଝିଅଟି ଅନ୍ତଃସତ୍ତ୍ବା ହୋଇଯିବା ପରେ ଲୋକଲଜ୍ଜା ଭୟରେ ଗତ ୪ ମାସ ତଳେ ‘‘ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଛୁ’’ କହି ଦୁହେଁ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ନିକଟ ବାଇବାଇ ଠାରେ ଥିବା ଯୁବକଙ୍କର ଜଣେ ସାଙ୍ଗଙ୍କ ପାଖକୁ ଚାଲି ଆସିଥିଲେ। ଆଗରୁ ଦାଦନ ଖଟିବାକୁ ଝିଅଟି ଯୁବକ ସହ ଦିଲ୍ଲୀ, ଗୋଆକୁ ଯାଇଥିବାରୁ ଘର ଲୋକେ ମଧ୍ୟ କୌଣସି ସନ୍ଦେହ କରି ନ ଥିଲେ। ଦୁହେଁ ଏକ ଭଡ଼ା ଘରେ ରହି ସ୍ଥାନୀୟ ଏକ କାରଖାନାରେ କାମ କରୁଥିଲେ। ଏହି ସମୟ ମଧ୍ୟରେ ଗର୍ଭପାତ କରିବାକୁ ଚେଷ୍ଟା କରିଥିଲେ ବି ଗର୍ଭଟି ୬ ମାସ ଅତିକ୍ରମ କରିଥିବାରୁ ସମ୍ଭବ ହୋଇ ନ ଥିଲା। ଶେଷକୁ ପିଲାଟିକୁ ଜନ୍ମ କରିବା ଛଡ଼ା ଆଉ କିଛି ଚାରା ନ ଥିଲା। ନଭେମ୍ବର ୧୭ରେ ଯୁବତୀଙ୍କ ଗର୍ଭବେଦନା ବଢ଼ିବାରୁ ତାକୁ ବଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଜଣେ ନର୍ସ ସବୁ କଥା ଜାଣି ସୁନ୍ଦରଗଡ଼ର ଏକ ଘରୋଇ ନର୍ସି˚ହୋମରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଖବର ଦେଇଥିଲା। ତା’ପରେ ନର୍ସ ସେହିଦିନ ଅପରାହ୍ନରେ ବଡ଼ଗାଁ ପହଞ୍ଚି ଯୁବକଯୁବତୀଙ୍କ ସହ ୨୫ ହଜାର ଟଙ୍କାରେ ଛୁଆକୁ ନେଇଯିବାକୁ ଚୁକ୍ତି କରିବା ପରେ ଏକ ବଲୋରୋ ଯୋଗେ ଉଭୟଙ୍କୁ ସୁନ୍ଦରଗଡ଼ ନେଇ ଆସି ପ୍ରଥମେ ଏକ ଘରୋଇ ନର୍ସି˚ହୋମ ଓ ପରେ ରାତି ୧୦ ଟା ୩୫ରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବତୀ ଜଣକ ୧୮ ତାରିଖ ରାତି ୧୨ଟାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଆଜି ସକାଳୁ ସମ୍ପୃକ୍ତ ନର୍ସ ତାଙ୍କ ସ୍ବାମୀ ସହ ଆସି ଛୁଆକୁ ନେବାକୁ ଉଦ୍ୟମ କରୁଥିବା ବେଳେ କଥାଟି ପ୍ରଘଟ ହୋଇଯାଇଥିଲା। ଜନ୍ମ ହେବା ପରେ ଯୁବତୀଙ୍କ ମନରେ ମମତା ଜାଗି ଉଠିବାରୁ ସେ ଛୁଆକୁ ହସ୍ତାନ୍ତର ପାଇଁ ସହଜରେ ରାଜି ହୋଇ ନ ଥିଲେ। ଏହାପରେ ଘଟଣା ପ୍ରଘଟ ହୋଇଯାଇଥିବାବେଳେ ସମ୍ପୃକ୍ତ ନର୍ସ ଧରାପଡ଼ିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହିତ ଟାଉନପୁଲିସ ଘଟଣାର ତଦନ୍ତ କରୁଛି।
ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଶିଶୁ ବିକ୍ରି ଉଦ୍ୟମ, ଧରାପଡ଼ିଲେ ଘରୋଇ ନର୍ସିଂେହାମ୍ ନର୍ସ
/sambad/media/post_attachments/wp-content/uploads/2018/10/baby1-620x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)