ସାତକୋଶିଆ ଛାଡ଼ିଲା ସୁନ୍ଦରୀ, ଅଢେଇ ବର୍ଷ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ

ଅନୁଗୁଳ: ଶେଷରେ ଓଡ଼ିଶା ଛାଡ଼ିଲା ‘ସୁନ୍ଦରୀ’। ଆଜି ଅପରାହ୍ଣରେ ବାଘୁଣୀ ‘ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରି ତାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯାଇଛି। ଆସନ୍ତାକାଲି ଅପରାହ୍ଣରେ ସୁନ୍ଦରୀ ସେଠାରେ ପହଞ୍ଚିବ। ସୁନ୍ଦରୀକୁ ଛାଡ଼ିବା ପାଇଁ ସାତକୋଶିଆରୁ ବନ ବିଭାଗର ଏକ ଟିମ୍ ମଧ୍ୟ ସେଠାକୁ ଯାଇଛି। ସୁନ୍ଦରୀର ଘରବାହୁଡ଼ା ପରେ ତାକୁ କେନ୍ଦ୍ରକରି ଅଢେଇ ବର୍ଷ ଧରି ଲାଗି ରହିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

ଅନୁଗୁଳ ଜିଲ୍ଲା ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ ରାଇଗୁଡାର ଏକ ଏନକ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବାପାଇଁ ସେଠାରୁ ଏକ ଟିମ୍ ଆସି ରବିବାର ଅନୁଗୁଳରେ ପହଞ୍ଚିଥିଲା। ସେମାନେ ସ୍ଥିତି ଅନୁଧ୍ୟାନ କରିବା ସହ ସୁନ୍ଦରୀର ଗତିବିଧି ଲକ୍ଷ୍ୟ କରିଥିଲେ। ପରେ ଯନ୍ତା ବସାଇ ସୁନ୍ଦରୀକୁ ଧରିବା ପାଇଁ ପ୍ରଥମେ ଚେଷ୍ଟା କରିଥିଲେ। କିନ୍ତୁ ସୁନ୍ଦରୀ ଧରା ଦେଇ ନ ଥିଲା। ତେଣୁ ଆଜି ଅପରାହ୍ଣରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି। ମଧ୍ୟପ୍ରଦେଶରୁ ଆସିଥିବା ଟିମ୍ ସହାୟତାରେ ୩ ଜଣ ପ୍ରାଣୀ ଡାକ୍ତର ଏହି ଟ୍ରାଙ୍କୁଲାଇଜ କରିଥିଲେ।

ସୁନ୍ଦରୀକୁ ଆଜି ଟ୍ରାଙ୍କୁଲାଇଜ କରାଯିବାର ପ୍ରାୟ ୧୫ ମିନିଟ ପରେ ଚେତା ଫେରିଥିଲା। ଏହା ପୂର୍ବରୁ ତାକୁ ସୁରକ୍ଷିତ ଭାବେ ଏକ ସ୍ବତନ୍ତ୍ର ଯନ୍ତାରେ ରଖାଯାଇଥିଲା। ଗଲା ବେଳକୁ ସୁନ୍ଦରୀର ଓଜନ ୧୬୦ କେଜି ରହିଛି। ସୁନ୍ଦରୀକୁ ନେବା ପାଇଁ ଆସିଥିବା ୭ ଜଣିଆ ଟିମ୍ ବାଘୁଣୀ ସହ ଫେରି ଯାଇଛନ୍ତି। ଏହା ସହିତ ସାତକୋଶିଆ ଏସିଏଫ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ବରେ ଏଠାରୁ ଏକ ଟିମ୍ ବାଘୁଣୀ ସହ ସେଠାକୁ ଯାଇଛି। ଏଥିନେଇ ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ କହିଛନ୍ତି ଯେ, ଆଜି ଅପରାହ୍ଣରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଧରା ହୋଇଛି।

କାହ୍ନା ଅଭୟାରଣ୍ୟରୁ ଆସିଥିବା ଏକ ସ୍ବତନ୍ତ୍ର ଯାନରେ ବାଘୁଣୀ ଥିବା ଯନ୍ତାକୁ ରଖାଯାଇଥିଲା। ଯନ୍ତା ଭିତରେ ହିଁ ବାଘୁଣୀ ପାଇଁ ଶିକାର ରଖାଯାଇଛି। ସାତକୋଶିଆରୁ ବାଘୁଣୀ ସୁନ୍ଦରୀ ସିଧା କାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ଥିବା ଘୋରେଲାକୁ ଯିବ। ଏଠାରେ ବାଘୁଣୀର ଜଙ୍ଗଲ ପ୍ରବୃତ୍ତି ଫେରାଇ ଆଣିବା ନେଇ ଉଦ୍ୟମ କରାଯିବ। ଏହା ପରେ ଯାଇ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବାର ଯୋଜନା ରହିଛି। ଉଲ୍ଲେଖଯୋଗ୍ୟ ଯେ, ତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଏହି ବାଘୁଣୀ ‘ସୁନ୍ଦରୀକୁ ସାତକୋଶିଆ ଅଣାଯାଇଥିଲା। ଦେଶର ଏହି ପ୍ରଥମ ଅନ୍ତଃରାଜ୍ୟ ସ୍ଥାନାନ୍ତରଣ ପ୍ରକଳ୍ପ କିନ୍ତୁ ଆରମ୍ଭରୁ ବିବାଦରେ ଫସିଥିଲା।

ସମ୍ବନ୍ଧିତ ଖବର