ଯନ୍ତାରେ ପଶିଲାନି ବାଘୁଣୀ ‘ସୁନ୍ଦରୀ’, କରାଗଲା ଟ୍ରାଙ୍କୁଲାଇଜ୍‌

ବନ୍ତଳା/ଅନୁଗୁଳ: ଦୀର୍ଘ ୩ ବର୍ଷ ଯାଏଁ ସାତକୋଶିଆ ଅଭୟାରଣ୍ୟ ଭିତରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ଯନ୍ତାରେ ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀମାନେ ବହୁ ଉଦ୍ୟମ କରିଥିଲେ। କିନ୍ତୁ ଯନ୍ତା ପାଖକୁ ସେ ଆସି ନଥିଲା। ଶେଷରେ ୩ ଜଣିଆ ଡାକ୍ତରୀ ଟିମ୍‌ ବାଧ୍ୟ ହୋଇ ଟ୍ରାଙ୍କୁଲାଇଜ୍‌ କରିଥିଲେ।

 

ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ ଚେତା ପାଇଥିଲା। ଏହା ପରେ ତାକୁ ଏକ ସ୍ବତନ୍ତ୍ର ଗାଡ଼ି ନେଇ ମଧ୍ୟପ୍ରଦେଶ ଅଭିମୁଖେ ବାହାରିଥିଲା। ତେବେ ସାତକୋଶିଆରୁ ବାହାରିବା ପୂର୍ବରୁ ସୁନ୍ଦରୀର ଓଜନ ପରୀକ୍ଷା କରାଯାଇଥିଲା। ଏଥି ସହିତ ସେ ସେ କରିଥିବା ଶିକାର ଦିଆଯାଇଥିଲା। ସୁନ୍ଦରୀ ବୁଧବାର ଅପରାହ୍ନରେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲା ପହଂଚିବ ବୋଲି ଜଣାଯାଇଛି।

image source-the hindu

 ସୂଚନାଯୋଗ୍ୟ, ସାତକୋଶିଆରେ ରହଣୀ ସମୟରେ ସୁନ୍ଦରୀ ଜଣେ ମହିଳା (ହାତୀବାରୀ ଗାଁର କୈଳାଶୀ ସାଏ) ଓ  ଜଣେ ଚାଷୀଙ୍କ ଜୀବନ ନେଇଥିଲା। କୈଳାଶୀ ଗାଁ ନାଳରେ ଗାଧୋଉଥିବା ବେଳେ ସୁନ୍ଦରୀ ପଛପଟରୁ ଝାମ୍ପ ମାରି ତାଙ୍କର ଜୀବନ ନେଇଥିଲା। ବାଘୁଣୀ ପୁଳାଏ ମାଂସ ଖାଇଦେଇଥିଲା। ଏହି ଘଟଣାକୁ ନେଇ ସାତକୋଶିଆ ବନବାସୀ ଖପ୍ପା ହୋଇଥିଲେ। ସେମାନେ ଟିକରପଡ଼ାରେ ଲଙ୍କା କାଣ୍ଡ କରିଥିଲେ। ସାତକୋଶିଆ ବନ ବିଭାଗର ଡଙ୍କାରେ ନିଆଁ ଲଗାଇ ଦେଇଥିଲେ। ବିଟ ହାଉସ ପୋଡ଼ି ଦେଇଥିଲେ।

 

ସେହିପରି ଟାଇଁସି ଗାଁର ଜଣେ ଚାଷୀ ଗାଁ ପାଖ ନାଳକୁ ଯାଇଥିବା ବେଳେ ସକାଳୁ ସୁନ୍ଦରୀ ଅନୁରୂପ ଭାବେ ଝାମ୍ପ ମାରି ଜୀବନ ନେଇଥିଲା। ଦ୍ବିତୀୟ ମଣିଷ ଶିକାରକୁ ନେଇ ରାଜରାସ୍ତା ଅବରୋଧ କରିଥିଲେ ଓ ପୁଲିସ ସହ ଲୋକଙ୍କର ଖଣ୍ଡ ଯୁଦ୍ଧ ହୋଇଥିଲା। ଲୋକେ ପୁଲିସକୁ କେବଳ ‌ପଥରମାଡ଼ କରି ନଥିଲେ। ବରଂ ତାଙ୍କ ‌ବସ୍‌କୁ ମଧ୍ୟ ଜାଳି ଦେଇଥିଲେ। ସୁନ୍ଦରୀର ଏପ୍ରକାରର କାଣ୍ଡ ସାରା ରାଜ୍ୟରେ ଚହଳ ପକାଇଥିଲା। ତା‘ ପରେ ପରେ ଅଣ୍ଡିରା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଉଭୟ ଏନ୍‌ଟିସିଏ ଓ ରାଜ୍ୟ ସରକାର ସୁନ୍ଦରୀକୁ ବନ୍ଦୀ କରିବା ପାଇଁ ଯୋଜନା କରିଥିଲେ। ବହୁ କଷ୍ଟରେ ସୁନ୍ଦରୀକୁ ଧରା ହୋଇ ରାଇଗୁଡ଼ା ଏନକ୍ଲୋଜରରେ ବନ୍ଦୀ କରି ରଖାଯାଇଥିଲା। ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ପ୍ରକଳ୍ପ ଯୋଜନାକୁ ଏନ୍‌ଟିସିଏ ସ୍ଥଗିତ ରଖିଥିଲା। ସେବେଠାରୁ ବନ୍ଦୀ ଜୀବନ କାଟୁଥିଲା ସୁନ୍ଦରୀ।  

ସମ୍ବନ୍ଧିତ ଖବର