ଆଜି ସୁନ୍ଦରୀର ଲେଉଟାଣି; ନେବା ପାଇଁ ପହଞ୍ଚିଲେ ମଧ୍ୟପ୍ରଦେଶର ଟିମ

କାହ୍ନା ଅଭୟାରଣ୍ୟ ଯିବେ ଓଡ଼ିଶା ବନ ଅଧିକାରୀ  

ଅନୁଗୁଳ: ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି। ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରି ଯିବାର ସମୟ ଶେଷରେ ଆସି ପହଞ୍ଚିଛି। ବାଘୁଣୀକୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ଟିମ୍ ରବିବାର ଏଠାରେ ପହଞ୍ଚିଥିଲାବେଳେ ବାଘୁଣୀର ବାହୁଡ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁ ଠିକଠାକ୍ ରହିଲେ ସୋମବାର ବାଘୁଣୀ ଏଠାରୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ବିଦାୟୀ ଯାତ୍ରା ଆରମ୍ଭ କରିବ।

ସାତକୋଶିଆ ବନଖଣ୍ଡର ରାଇଗୁଡାରେ ଥିବା ଏକ ଏନକ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବା ପାଇଁ ରବିବାର ସେଠାରୁ ଏକ ଟିମ୍ ଆସି ଅନୁଗୁଳରେ ପହଞ୍ଚିଛନ୍ତି। ରବିବାର ସକାଳେ ଏହି ୭ ଜଣିଆ ଟିମ୍ ପହଞ୍ଚିବା ପରେ ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଟିମ୍ ସିଧା ଯାଇ ପହଞ୍ଚିଥିଲେ ସାତକୋଶିଆର କୋର ଅଂଚଳରେ ଥିବା ରାଇଗୁଡା ଜଙ୍ଗଲରେ। ଏହି ଟିମ୍‌ରେ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ଓ ଡାକ୍ତର ରହିଥିଲାବେଳେ ସେମାନେ ଆଜି ଜଙ୍ଗଲରେ ସୁନ୍ଦରୀର ଗତିବିଧି ଅନୁଧ୍ୟାନ କରିଥିଲେ। ତା’ ସ୍ବାସ୍ଥ୍ୟବସ୍ଥା ନେଇ ମଧ୍ୟ ଓଡ଼ିଶା ବନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ ସୁନ୍ଦରୀକୁ ଧରିବା ପ୍ରକ୍ରିୟା ନେଇ ମଧ୍ୟ କଥାବାର୍ତ୍ତା ହୋଇଛି। ଯନ୍ତାରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ନିଷ୍ପତ୍ତି ଏକପ୍ରକାର ଚୂଡାନ୍ତ ହୋଇଥିବା ସୂଚନା ମିଳିଛି।

deccanchronicle.com

ବାଘୁଣୀକୁ ଯନ୍ତାରେ ଧରିବା ପରେ ତାକୁ ମଧ୍ୟପ୍ରଦେଶ ଫେରାଇ ନିଆଯିବା। ବାଘକୁ ନେବା ପାଇଁ ସ୍ବତନ୍ତ୍ର ଯାନ ମଧ୍ୟ ଆସି ରାଇଗୁଡାରେ ପହଞ୍ଚି ସାରିଛି। କୌଣସି ବଡ଼ ଧରଣର ଅସୁବିଧା ନ  ହେଲେ ସୋମବାର ଅପରାହ୍ଣ ସୁଦ୍ଧା ଏହି ଲେଉଟାଣି ପ୍ରକ୍ରିୟା ଶେଷହେବ। ଏଥିନେଇ ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ କହିଛନ୍ତି ଯେ, କାହ୍ନା ଅଭୟାରଣ୍ୟର ଟିମ୍ ଆଜି ଏଠାରେ ପହଞ୍ଚିବା ପରେ ରାଇଗୁଡା ଯାଇଛନ୍ତି। ସେମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରିବେ। ସୋମବାର କିମ୍ବା ଦୁଇଦିନ ଭିତରେ ସେମାନେ ସୁନ୍ଦରୀକୁ ଫେରାଇନେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ଏପଟେ ସୁନ୍ଦରୀର ଲେଉଟାଣି ସମୟରେ ସାତକୋଶିଆରୁ ଏକ ଟିମ୍ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଯିବ। ସେମାନେ ମଧ୍ୟପ୍ରଦେଶ ଟିମ୍ ସହ ମିଶି ବାଘୁଣୀ ସୁନ୍ଦରୀକୁ ଫେରାଇ ନେବେ। ଏଥିରେ ୫ରୁ ଅଧିକ ଅଧିକାରୀ ଓ କର୍ମଚାରୀ ରହିବେ ବୋଲି ସୂଚନା ମିଳିଛି। ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ ଏହି ସୂଚନା ଦେବା ସହ କହିଛନ୍ତି ଯେ, ବାଘୁଣୀକୁ ସେଠାରେ ନେଇ ଛାଡିବା ଆମର ଦାୟିତ୍ବ। ଏଥିପାଇଁ ଏଠାରୁ ଏକ ଟିମ୍ ବାଘୁଣୀ ସହ ଯିବ।

ସାତକୋଶିଆରୁ ବାଘୁଣୀ ସୁନ୍ଦରୀ ସିଧା କାହ୍ନା ଅଭୟାରଣ୍ୟରେ ଥିବା ଘୋରେଲାକୁ ଯିବ। ଏଠାରେ ବାଘୁଣୀର ଜଙ୍ଗଲ ପ୍ରବୃତ୍ତି ଫେରାଇ ଆଣିବା ନେଇ ଉଦ୍ୟମ କରାଯିବ। ଏହା ପରେ ଯାଇ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବାର ଯୋଜନା ରହିଛି। ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଏହି ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆ ଅଣାଯାଇଥିଲା। ଦେଶର ଏହି ପ୍ରଥମ ଅନ୍ତଃରାଜ୍ୟ ସ୍ଥାନାନ୍ତରଣ ପ୍ରକଳ୍ପ କିନ୍ତୁ ଆରମ୍ଭରୁ ବିବାଦରେ ଫସିଥିଲା। ୨୦୧୮ ଜୁନ୍‌ରେ ସାତକୋଶିଆ ଆସିଥିବା ‘ସୁନ୍ଦରୀ’ ସୁନ୍ଦରୀ ଆକ୍ରମଣରେ ୨ ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ଏହାକୁ କେନ୍ଦ୍ର କରି ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ୨୦୧୮ ନଭେମ୍ବର ମାସରୁ ସୁନ୍ଦରୀ ଏନକ୍ଲୋଜର ମଧ୍ୟରେ ବନ୍ଦୀ ଜୀବନ ବିତାଉଛି।

ସମ୍ବନ୍ଧିତ ଖବର