ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗର ଓ ବମିଖାଲ ସିଲ ହେବା ପରେ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୁନ୍ଦରପଦା ଅଂଚଳକୁ ସିଲ କରାଯାଇଛି । ଫଳରେ ଏହି ଅଂଚଳର ଲୋକେ ଘରୁ ବାହାରକୁ ବାହାରି ପାରିବେ ନାହିଁ । ଏଥିସହ ରାଜଧାନୀର ଅନ୍ୟ ଅଂଚଳର ଲୋକେ ସୁନ୍ଦରପଦାକୁ ମଧ୍ୟ ପ୍ରବେଶ କରିପାରିବେ ନାହିଁ ବୋଲି ବିଏମସି ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ସୁନ୍ଦରପଦାକୁ ବିଏମସି ଅବରୋଧ ଅଂଚଳ ରୂପେ ଘୋଷଣା କରାଯାଇଛି ।

Advertisment

୬୭ ନମ୍ବର ୱାର୍ଡ (ସୁନ୍ଦରପଦା)ର ଏବାରଙ୍ଗ ଓ କପିଳପ୍ରସାଦକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ସେହିପରି ସୁନ୍ଦରପଦା ପୌରପାଳିକା ହସ୍ପିଟାଲ ଠାରୁ କାଲୁଆଶୁଣୀ ମନ୍ଦିର, ସୁନ୍ଦରପଦା ପୌରପାଳିକା ହସ୍ପିଟାଲ ଛକ ଠାରୁ ସରକନ୍ତରା ନୂଆ କଲର୍ଭଟ ପର୍ଯ୍ୟନ୍ତ, କାଳୁଆଶୁଣୀ ମନ୍ଦିର ଠାରୁ ଟାଟା ପ୍ରକଳ୍ପ ପର୍ଯ୍ୟନ୍ତ, ଟାଟା ପ୍ରକଳ୍ପ ଠାରୁ ସରକନ୍ତରା ନୂଆ କଲର୍ଭଟ ପର୍ଯ୍ୟନ୍ତ ଓ ଟାଟା ପ୍ରକଳ୍ପ ଠାରୁ ସରକନ୍ତରା କଲଭର୍ଟ ପର୍ଯ୍ୟନ୍ତ ବନ୍ଦ ରହିବ । ଏସବୁ ଅଂଚଳଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଏକ ବିଜ୍ଞପ୍ତି ଜରିଆରେ ବିଏମସି କହିଛି, ଏହି ନିଷିଦ୍ଧାଂଚଳରେ କେହି ଯିବାଆସିବା କରିପାରିବେ ନାହିଁ । ଏହି ସମସ୍ତରେ ସମସ୍ତେ ଘରେ ରହିବେ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦି ପ୍ରଶାସନ ଯୋଗାଇବେ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକ ବନ୍ଦ ରହିବ । ବିଏମସି ଏହି ଅଂଚଳରେ ୪ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ।

ସାନିଟେସନ ପାଇଁ ଡ. ଦେବୀକାରାଣୀ ଧାମିଲ (ମୋବାଇଲ, ୯୪୩୭୦୨୮୯୪୫), ଯୋଗାଣ ପାଇଁ କମଲଜୀତ ଦାସ (ମୋବାଇଲ, ୯୪୩୯୪୩୧୬୭୨), ସ୍ୱାସ୍ଥ୍ୟ ପାଇଁ ଡ. ବିଜୟଲକ୍ଷ୍ମୀ ପଣ୍ଡା (ମୋବାଇଲ, ୯୩୩୭୩୯୭୧୩୪) ଓ ଆକ୍ଟିଭ ସରଭେଲାଇନ୍ସ ପାଇଁ ଡ. ଶୁଭମ ପୁହାଣ (୭୯୭୮୨୦୦୦୫୯) ନିଯୁକ୍ତ ହୋଇଛନ୍ତି।