ଏପ୍ରିଲରୁ ରବିବାରିଆ କ୍ଲାସ୍‌ ବନ୍ଦ

ଭୁବନେଶ୍ବର: ଏପ୍ରିଲ ପହିଲାରୁ ଆଉ ରବିବାରିଆ ପାଠପଢ଼ା ହେବନି। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର ବୁଧବାର ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧ୍ୟକ୍ଷ, ମାଧ୍ୟମିକ ଶିକ୍ଷା ନିର୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ଓ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଶିକ୍ଷାଦାନ ପ୍ରାୟତଃ ଶେଷ ହୋଇଆସିଲାଣି। ମାର୍ଚ୍ଚ ଶେଷ ସୁଦ୍ଧା ବିଦ୍ୟାଳୟରେ ସବୁ ପାଠପଢ଼ା ସରିଯିବ। ତେଣୁ ଏପ୍ରିଲ ପହିଲାରୁ ଛାତ୍ରଛାତ୍ରୀଙ୍କ ରିଭିଜନ୍ କ୍ଲାସ ଆରମ୍ଭ କରାଯିବ। ରବିବାରିଆ କ୍ଲାସର ଆଉ କୌଣସି ଆବଶ୍ୟକତା ନାହିଁ। ବର୍ତମାନ ଦେଖାଯାଉଛି ‌ଯେ ପିଲାମାନେ ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କ୍ଲାସରୁମ୍‌ରେ ପିଲାଙ୍କ ଉପସ୍ଥାନ ବି କମିବାରେ ଲାଗିଛି। ତାହାକୁ ଆଧାର କରି ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର