ସୁନ୍ଦରଗଡ଼: ସରକାରଙ୍କ ଧାର୍ଯ୍ୟ ପରିବହନ ଭଡ଼ା ଓ ଖଣିରେ ଫାଷ୍ଟ କମ୍, ଫାଷ୍ଟ ଲୋଡ୍ ନିୟମ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଦାବିରେ ଟ୍ରକ ମାଲିକମାନେ ଆଜି ସକାଳୁ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇ ଥିଲେ। ଦିନ ୧୧ଟାରେ ଉପଜିଲ୍ଲାପାଳ ଅଭିମନ୍ଯୁ ବେହେରା ଶଙ୍କରା ବାଇପାସ ଛକକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ଓ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କ ଲିଖିତ ସହମତିପତ୍ର ପ୍ରଦାନ କରିଥିଲେ। ଏହାପରେ ଆନ୍ଦୋଳନକୁ ପ୍ରତ୍ୟାହାର କରି ନିଆଯାଇଛି।
ଗତକାଲି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଵା ପରେ ବି କୌଣସି ନିଷ୍କର୍ଷ ନ ବାହାରିବାରୁ ଟ୍ରକ ମାଲିକମାନେ ରାସ୍ତାକୁ ଓହ୍ଲାଇଥିଲେ। ସମସ୍ତ ଦୋକାନ ଵଜାର, ଗାଡ଼ିମଟର ଚଳାଚଳ ବନ୍ଦ ରହିଥିଲା।ଅନ୍ୟପଟେ ବିଜୁ ଏକ୍ସପ୍ରେସ ୱେରେ ସଂଘର କର୍ମକର୍ତ୍ତା ଓ ଟ୍ରକ ପରିବହନ ସହ ଜଡ଼ିତ କର୍ମଚାରୀ ପହଞ୍ଚି ରାସ୍ତାରୋକ କରିଥିଲେ। ଫଳରେ ରାଉରକେଲା- ସମ୍ବଲପୁର ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଭାରିଯାନ, ବସ୍ ଓ ଅନ୍ୟ ଗାଡ଼ିମଟର ଅଟକି ରହିଥିଲା।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଟ୍ରକ ମାଲିକମାନେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଭେଟି ସରକାରୀ ଭଡ଼ା ସ୍ଥିର କରିବା ଓ ଫାଷ୍ଟ କମ୍, ଫାଷ୍ଟ୍ ଲୋଡ୍ ନିୟମରେ କୋଇଲା ଦେବା ସହ କୋଇଲା ବୋଝେଇ ସମୟରେ ପ୍ରତି ଟ୍ରକରୁ ବେଆଇନ ୨୨ ଶହ ଟଙ୍କା କଟାଯାଉଥିବା ଅଭିଯୋଗ କରି ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି ଜଣାଇଥିଲେ। ଜିଲ୍ଲାପାଳ ଏ ସମ୍ପର୍କରେ ବିଚାର କରି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସନ୍ଧ୍ୟାରେ ଜିଲ୍ଲାପାଳ କୌଣସି ନିଷ୍ପତ୍ତି ନେଇ ନ ଥିବାରୁ ଟ୍ରକମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/3b703d93-c5b2-439c-8d59-a202019df631.jpg)