ହୋଟେଲରେ ସୁନ୍ଦରଗଡ଼ ବିଜେଡିର ଅସନ୍ତୁଷ୍ଟ ନେତାନେତ୍ରୀଙ୍କ ମେଳି!

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଉକ୍ତ ଦଳର କିଛି ବରିଷ୍ଠ ନେତା, ନେତ୍ରୀ ଓ କର୍ମୀ ଦଳୀୟ କାର୍ଯ୍ୟକ୍ରମକୁ ଏକ ପ୍ରକାର ବାସନ୍ଦ କରିଛନ୍ତି। ସେମାନଙ୍କୁ ଆଗଭଳି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ଜିଲ୍ଲା ଦାୟିତ୍ବରେ ଥିବା ଗୋଷ୍ଠୀ ସେମାନଙ୍କୁ ଅଣଦେଖା କରୁଛି ବୋଲି ଭିତରେ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। କେବଳ ଏତିକି ନୁହେଁ, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସୁନ୍ଦରଗଡ ଗସ୍ତ ବେଳେ ମଧ୍ୟ ସେମାନଙ୍କୁ ଡକାଯାଉ ନାହିଁ। ଦାୟିତ୍ବରେ ଥିବା ନେତାମାନଙ୍କର ଏଭଳି କାର୍ଯ୍ୟ ବିରୋଧରେ ଅନେକ ନେତା, କର୍ମୀ ଅସନ୍ତୁଷ୍ଟ ହେଲେ ହେଁ କାର୍ଯ୍ୟାନୁଷ୍ଠାନ ଭୟରେ ମୁହଁ ନଖୋଲି ଚୁପ୍‌ ରହୁଛନ୍ତି। ନିକଟରେ ଜିଲ୍ଲା ସଭାପତି ନିର୍ବାଚନ ପରେ ନେତା ଓ କର୍ମୀଙ୍କ ମହଲରେ ଅସନ୍ତୋଷ ଆହୁରି ବଢ଼ି ଯାଇଛି। ନେତା ଓ କର୍ମୀଙ୍କୁ ସାଥିରେ ନ ନେଇ ଦଳର ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା କିଛି ନେତା ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରି ସାରିଛନ୍ତି।

ଦଳ ଭିତିରେ ଚାଲିଥିବା ଏହି କନ୍ଦଳର ଏକ ଝଲକ୍ ଦେଖିବାକୁ ମିଳିଥିବା ଆଜି ରାଉରକେଲା ରେଳ ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୈଠକରେ ସାମିଲ ହୋଇଥିଲେ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଉପସଭାପତି ମଙ୍ଗଳା କିସାନ, ସୁନ୍ଦରଗଡ଼ ଆସନର ବିଜେଡି ଲୋକସଭା ପ୍ରାର୍ଥିନୀ ସୁନିତା ବିଶ୍ବାଳ, ତଲସରା ବିଧାୟକ ପ୍ରାର୍ଥୀ ଷ୍ଟେଫେନ ସୁରିନ୍‌, ପୂର୍ବତନ ରାଉରକେଲା ପୌରାଧ୍ୟକ୍ଷା ରଶ୍ମିବାଳା ମିଶ୍ର, ବିଜେଡି ନେତ୍ରୀ ମିନତି ଦେବତା, ରାଜଗାଙ୍ଗପୁର ପୂର୍ବତନ ନଗର ସଭାପତି ଅମରେଶ ପଣ୍ଡା ଓ ରାଜଗାଙ୍ଗପୁର ବିଜେଡି ନେତା ଜିତୁ ଦାସଙ୍କ ପ୍ରମୁଖ ଆହୁରି କିଛି ନେତା ଓ କର୍ମୀ। ବୈଠକରେ କୁଆଡେ ସେମାନଙ୍କୁ ଅଣଦେଖା କରାଯାଉଥିବା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏଥିସହ ଦଳର ପର୍ଯ୍ୟବେକ୍ଷକ ଆସୁଥିବାବେଳେ ପୁରୁଣା ବରିଷ୍ଠକର୍ମୀଙ୍କୁ ଗୁରୁତ୍ବ ଦିଆଯାଉ ନଥିବା ସଂମ୍ପର୍କରେ କଥା ଉଠିଥିଲା। ଜିଲ୍ଲାର ଦଳର ସ୍ଥିତିକୁ ଆହୁରି ଦୃଢ଼ କରିବାକୁ ଅସନ୍ତୋଷ ଗୋଷ୍ଠୀଙ୍କୁ ମଧ୍ୟ କାର୍ଯ୍ରକ୍ରମଗୁଡ଼ିକରେ ସାମିଲ କରିବାକୁ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଆଜିର ଏହି ବୈଠକକୁ ନେଇ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ନାନା ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି।

ତେବେ ବୈଠକରେ ଯୋଗଦେଇଥିବା ବରିଷ୍ଠ ନେତ୍ରୀ ମିନତି ଦେବତା ଓ ପୂର୍ବତନ ପୌରାଧ୍ୟକ୍ଷ ରଶ୍ମିବାଳା ମିଶ୍ର ଏଭଳି କିଛି ଏଜେଣ୍ଡା ନେଇ ସେମାନେ ସେଠାରେ ଏକାଠି ହୋଇଥିବା ଚର୍ଚ୍ଚାକୁ ଅସ୍ବୀକାର କରିଛନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତେ ଏକାଠି ହୋଇଥିଲେ ଏବଂ ଦଳ ସଂକ୍ରାନ୍ତରେ ସେମିତି କିଛି ଆଲୋଚନା ହୋଇନାହିଁ ବୋଲି ଦୁହେଁ କହିଛନ୍ତି।

ସମ୍ବନ୍ଧିତ ଖବର