ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ କୋଇଲା କେଳେଙ୍କାରୀର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି)। ‌ମଙ୍ଗଳବାର ଭିଜିଲାନ୍ସ ମୁଖ୍ୟାଳୟ ଏସ୍‌ପି ଏମ୍‌ ରାଧାକୃଷ୍ଣନଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ ସୁନ୍ଦରଗଡ଼ ଜିଲ୍ଲାର ଗୋପାଳପୁର, ତେଲେନଡିହି, ଭୋଗ୍ରାକଚ୍ଛାର ଜଙ୍ଗଲରେ ପହଞ୍ଚି ଚୋରା କୋଇଲା ଖଣିର ସରଜମିନ ତଦନ୍ତ କରିଛନ୍ତି। ଏହି ଟିମ୍ ସହ ହେମଗିର ତହସିଲଦାର, ଖଣି ବିଭାଗ ଓ ବନ ବିଭାଗ ଅଧିକାରୀ ସାମିଲ ଅଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଏମ୍‌ସିଏଲ୍‌କୁ ଆବଣ୍ଟିତ ଖଣି ଅଞ୍ଚଳ ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରେ ମାଫିଆ ବଡ଼ବଡ଼ ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଲୁଟି ନେଇଛନ୍ତି। ଏହି ଖବର ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି କୋଇଲା ଲୁଟ୍‌ ନେଇ ବିଭିନ୍ନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ଏହାପରେ ମେ ୨୩ରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ସମେତ କୋଇଡ଼ା ଅଞ୍ଚଳ ଖଣିଜ କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏସ୍‌ଆଇଟି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ରିପୋର୍ଟ, ଖଣି ବିଭାଗର ସ୍ୱତନ୍ତ୍ର ଏନ୍‌ଫୋର୍ସ ଟିମ୍‌ ଦେଇଥିବା ତଦନ୍ତ ରିପୋର୍ଟ, ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଗୋପନ ରିପୋର୍ଟ, ବନ ବିଭାଗର ରିପୋର୍ଟ ସହ ଖଣିଗୁଡ଼ିକ କେଉଁ କମ୍ପାନିକୁ ଆବଣ୍ଟିତ ହୋଇଥିଲା; ସେସବୁ ଦସ୍ତ‌ାବିଜ୍‌ ସଂଗ୍ରହ କରିଥିଲା। ଏଥିସହ ୨୦ ବର୍ଷ ଧରି ଚାଲିଥିବା ଖଣି ଚୋରିରେ କେଉଁ ସରକାରୀ ଅଧିକାରୀ, ନେତା ଓ ମାଫିଆ ସାମିଲ ଅଛନ୍ତି ତା’ର ଚିଠା ପ୍ରସ୍ତୁତ କରିବା ପରେ ଏସ୍‌ଆଇଟି ସୁନ୍ଦରଗଡ଼ ଆସି ତନାଘନା ଚଳାଇଛି।