ଦୁଇ ମାସ ପରେ କରୋନା ମୃତ୍ୟୁ ଦେଖିଲା ସୁନ୍ଦରଗଡ଼, ଜିଲ୍ଲାର ମୃତ୍ୟୁ ସଂଖ୍ୟା ୧୭୪

ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୬,୦୫୭ ପହଞ୍ଚିଲା, ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା: ଜିଲ୍ଲାରେ କରୋନା ସଂକ୍ରମଣ ଆଶଙ୍କା ପୁଣି ଦେଖାଗଲାଣି। ଆଜି ସୁଦ୍ଧା ଯଦିଓ ନୂଆ ଆକ୍ରାନ୍ତ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧିପାଇନି, ତେବେ ଚାରିଆଡ଼େ ଖୋଲାମେଲା, କୋଭିଡ୍‌ ନିୟମର ଖୋଲା ଉଲ୍ଲଂଘନ ଏହି ଆଶଙ୍କାକୁ ଦ୍ବିଗୁଣିତ କରିଛି। ତେବେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ପ୍ରଶାସନର ନିଦ ହଜାଇ ଦେଇଛି। ଚିକିତ୍ସାଧିନ ଅବସ୍ଥାରେ ବରିଷ୍ଠ ନାଗରିକ(୮୬)ଙ୍କ ମୃତ୍ୟୁ ହୋଇଥିଲା। କୋଭିଡ୍‌ ମାର୍ଗଦର୍ଶିକା ଅନୁସାରେ ବେଦବ୍ୟାସ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପ୍ରାୟ ଦୁଇ ମାସପରେ ଜିଲ୍ଲାରେ କରୋନା ମୃତ୍ୟୁ ଦେଖିବାକୁ ମିଳିଥିବା ଆନୁଷ୍ଠାନିକଭାବେ ସୂଚନା ଦିଆଯାଇଥିଲା। ସରକାରୀ ସୂଚନା ଅନୁସାରେ, ଗତ ଜାନୁଆରୀ ୨୫ ତାରିଖରେ ଶେଷଥର ପାଇଁ ଜିଲ୍ଲାରେ କରୋନା ମୃତ୍ୟୁ ଦେଖିବାକୁ ମିଳିଥିଲା

କେବଳ କରୋନା ମୃତ୍ୟୁ ନୁହେଁ, ବରଂ ଦୈନିକ ସଂକ୍ରମିତ ସଂଖ୍ୟା ମଧ୍ୟ ମୁଣ୍ଡବିଧାର କାରଣ ପାଲଟିଛି। ଆଜି ସୁଦ୍ଧା ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୬ ହଜାର ପାର ହେଲାଣି। ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ତାଲିକାରେ ସୁନ୍ଦରଗଡ଼ ଚତୁର୍ଥ ସ୍ଥାନରେ ରହିଛି। ତାଲିକାର ଶୀର୍ଷରେ ଖୋର୍ଦ୍ଦା (୫୩,୫୮୦), ଦ୍ବିତୀୟରେ କଟକ(୨୯,୪୬୩) ଓ ତୃତୀୟରେ ଗଞ୍ଜାମ (୨୧,୯୪୪) ଜିଲ୍ଲା ରହିଛି। ଆଜି ଜିଲ୍ଲାରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ସଙ୍ଗରୋଧରେ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଏହାସହ ଆଜି ୧୧ ଜଣ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୬,୦୫୭ ପହଞ୍ଚିଛି। ଏଥିମଧ୍ୟରୁ ୧୫,୭୩୨ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୪୭ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ୧୭୪ ଜଣ ଆକ୍ରାନ୍ତଙ୍କ ପରଲୋକ ଘଟିଛି।

ସମ୍ବନ୍ଧିତ ଖବର