ସମ୍ବଲପୁର ମିଲ୍‌ରେ ସୁନ୍ଦରଗଡ଼ ଜିଲ୍ଲାର ଧାନ !

ସମ୍ବଲପୁର: ମଣ୍ଡି ଖୋଲିବା ଆଗରୁ ସମ୍ବଲପୁର ଜିଲ୍ଲାକୁ ବାହାର ଜିଲ୍ଲାର ଧାନ ପଶିବା ଆରମ୍ଭ କରିଥିଲା। ମଣ୍ଡି ଖୋଲିବା ପରେ ବି ଏହା ଜାରି ରହିଛି। ଆଜି ‌ବୈଜାମୁଣ୍ଡା ପାଖରେ ଥିବା ଏକ ମିଲ୍‌ରେ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ଏକ ଧାନ ବୋଝେଇ ଗାଡ଼ି ଧରାପଡ଼ିଛି।

ଗତ ୧୪ ତାରିଖ ଦିନ ସାନସିଂହାରୀ ଓ ରଘୁନାଥପାଲି ରାସ୍ତାରୁ ୪ଟି ଧାନ ବୋଝେଇ ଗାଡ଼ି ଧରାପଡ଼ିଥିଲା।  ଗୋଟିଏ ଟ୍ରକ୍, ୨ଟି ମିନି ଟ୍ରକ୍ ଏବଂ ଗୋଟିଏ ଟ୍ରାକ୍ଟରରୁ ୩୦୬.୭୬ କୁଇଣ୍ଟାଲ ଧାନ ଜବତ ହୋଇଥିଲା। ଏହି ରାସ୍ତାରେ ଥିବା ୩ଟି ରାଇସ୍‌ ମିଲ୍‌ ନିକଟରୁ ଏସବୁ ଗାଡ଼ିଗୁଡ଼ିକ ଜବତ ହୋଇଥିବାରୁ ଚାଷୀମାନେ ସେହି ୩ଟି ରାଇସ୍‌ ମିଲ୍‌କୁ କଷ୍ଟମ୍ ମିଲିଂରୁ ବାଦ୍ ଦେବାକୁ ଦାବି କରିଆସୁଛନ୍ତି। ଅପରପକ୍ଷରେ ପ୍ରଶାସନ ଠୋସ୍‌ ପଦକ୍ଷେପ ନେଉନାହିଁ। ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକରେ ବି ଚାଷୀମାନେ ସମ୍ବଲପୁର ଜିଲ୍ଲାରୁ ଧାନ ସଂଗ୍ରହ ସରିବା ପୂର୍ବରୁ ଅନ୍ୟ ଜିଲ୍ଲାର ଧାନ ଯେମିତି ଏଠାକୁ ନଆସିବ, ତାହା ସୁନିଶ୍ଚିତ କରିବାକୁ ଦାବି କରିଥିଲେ।

ପ୍ରଶାସନ ପକ୍ଷରୁ ମଧ୍ୟ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। କେବଳ ସେତିକି ନୁହେଁ, ମଣ୍ଡି ଖୋଲିବାର ଦିନକ ପୂର୍ବରୁ ମୁଖ୍ୟ ସିଏସ୍‌ଓ, ଡିଆର୍‌ସିଏସ୍‌ ପ୍ରମୁଖଙ୍କୁ ଭେଟି ଏଦିଗରେ ସତର୍କ କରାଇଥିଲେ। ଧାନ ସଂଗ୍ରହ ସମୟରେ କୌଣସି ଅବ୍ୟବସ୍ଥା ହେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଏହା ସତ୍ତ୍ବେ ଆଜି ସମ୍ବଲପୁର ଜିଲ୍ଲାକୁ ବାହାର ଜିଲ୍ଲାର ଧାନ ଆସିଛି। ବୈଜାମୁଣ୍ଡାରେ ଥିବା ଏକ ରାଇସ୍‌ ମିଲ୍‌କୁ ବାହାର ଜିଲ୍ଲାର ଧାନ ବୋଝେଇ ଗାଡ଼ି ଆସିଥିବା ସୂଚନା ପାଇ ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଯୁବବାହିନୀର ସଦସ୍ୟମାନେ ପହଂଚି ଥିଲେ। ସେଠାରେ ପଚରାଉଚୁରା ସମୟରେ ଗାଡ଼ିଚାଳକ ସୁନ୍ଦରଗଡ଼ ଜିଲ୍ଲାର ଏକ ଗୋଦାମରୁ ଧାନ ଆସିଥିବା କହିଥିଲେ। ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ମୁଖ୍ୟ ସିଏସ୍‌ଓ ଜିଲ୍ଲାରେ ଗଠିତ ସ୍କ୍ବାର୍ଡକୁ ସେଠାକୁ ପଠାଇ ଥିବା ଜଣାପଡ଼ିଛି। ତେବେ, ପ୍ରଶାସନ ନିଜ କଥା ରଖିନଥିବାରୁ ଚାଷୀମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଆଜି ସମ୍ବଲପୁର ଜିଲ୍ଲାର ୧୬୫ ଜଣ ଚାଷୀଙ୍କ ୨୨,୭୮୨ ପ୍ୟାକେଟ୍‌ ଧାନ କିଣାଯାଇଛି। ମଣ୍ଡିଗୁଡ଼ିକୁ ଯେମିତି ଧାନ  ଆସିଥିଲା, ସବୁତକ ଉଠିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର