ସୁନ୍ଦରଗଡ଼ : ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଫାଇଲ୍ ଭିତରେ ମୁହଁ ମାଡ଼ି ପଡ଼ିଛି। ଏସ୍ଥିତିରେ ରାଜ୍ୟ ସରକାର ୨୦୨୨-୨୩ ଶିକ୍ଷା ବର୍ଷରୁ ସୁନ୍ଦରଗଡ଼ ଠାରେ ଭେଷଜ ମହାବିଦ୍ୟାଳୟ (ମେଡିକାଲ କଲେଜ) ପାଠ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଥିଲେ। କିନ୍ତୁ ଚଳିତ ବର୍ଷ ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତାଲିକାରେ ସୁନ୍ଦରଗଡ଼ର ନାମ ନରହିବା ଜିଲ୍ଲାରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। କେନ୍ଦ୍ରର ଏମ୍ସ ପରି ରାଜ୍ୟ ସରକାର ମଧ୍ୟ ସୁନ୍ଦରଗଡ଼କୁ ମେଡିକାଲ କଲେଜ ଭେଳିକି ଦେଖାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତୀୟ ପ୍ରତିକ୍ରିୟାମୂଳକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜାନୁଆରି ୨୮ ତାରିଖରେ ରାଜ୍ୟ ସରକାର ସୁନ୍ଦରଗଡ଼ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ପାଇଁ ଡିନ୍ ତଥା ଅଧ୍ୟକ୍ଷ ଓ ଅଧିକ୍ଷକଙ୍କ ନିଯୁକ୍ତ କରିଛନ୍ତି।
ଜାନୁଆରି ୨୮ରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ପ୍ରଫେସର ଡ. ଦଇତାରୀ ରାଉତରାୟଙ୍କୁ ଡିନ୍ ଓ ଅଧ୍ୟକ୍ଷ ଏବଂ ପ୍ରଫେସର ଡ. ପଙ୍କଜ ପରିଡ଼ାଙ୍କୁ ମହାବିଦ୍ୟାଳୟର ଅଧିକ୍ଷକ ଭାବେ ଦାୟିତ୍ୱ ଅର୍ପଣ କରିଛନ୍ତି। ଏହି ନିଯୁକ୍ତି ପରେ ସୁନ୍ଦରଗଡ଼ରେ ଖୁବ୍ ଶୀଘ୍ର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଖୋଲିବାକୁ ଯାଉଥିବା କୁହାଯାଉଛି। ତେବେ ରାଜ୍ୟ ସରକାରଙ୍କ ଏ ପଦକ୍ଷେପ ସୁନ୍ଦରଗଡ଼ବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଥିଲେ ମଧ୍ୟ ଦ୍ୱିତୀୟ ‘ଏମ୍ସ’ ପ୍ରତିଷ୍ଠା ମୁଖ୍ୟ ଦାବି ହୋଇ ରହିବ, ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାବାସୀ ଏଥିରୁ ଓହରିଯିବେ ନାହିଁ ବୋଲି ପ୍ରକାଶ ପାଇଛି। ଅନ୍ୟପଟେ କେବଳ ଅଧ୍ୟକ୍ଷ ଓ ଅଧିକ୍ଷକ ନିଯୁକ୍ତି ନୁହେଁ, ମହାବିଦ୍ୟାଳୟ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।
/sambad/media/post_attachments/wp-content/uploads/2022/01/ntpc-medical-college-sundargarh-1.jpg)
ସୂଚନାଯୋଗ୍ୟ, ଗତ ୨୦୨୧ ସେପ୍ଟେମ୍ବର ୬ ତାରିଖରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୁନ୍ଦରଗଡ଼ ମେଡିକାଲ କଲେଜ ପାଇଁ ୨୦୨୨-୨୩ ଶିକ୍ଷା ବର୍ଷରୁ ନାମଲେଖା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏନଟିପିସି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବକ୍ରମେ କେନ୍ଦ୍ରୀୟ ଟିମ୍ର ଅନୁଧ୍ୟାନ ପରେ ବି କେନ୍ଦ୍ର ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଏନଟିପିସି ସହ ରାଜ୍ୟ ସରକାରଙ୍କ ପୂର୍ବ ଚୁକ୍ତି ଅନୁଯାୟୀ ନିଜସ୍ୱ ଖର୍ଚ୍ଚରେ ଶହେ ଏମବିବିଏସ୍ ସିଟ୍ ସହ ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲାଯିବ। ଏହା ସହ ୨୭୧ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ନେଇ ବ୍ୟବସ୍ଥା କରାଯାଉଥିବା ଓ ସେପ୍ଟେମ୍ବର ୨୬ ସୁଦ୍ଧା ସରକାର ମେଡିକାଲ କଲେଜ ସିଟ୍ ପାଇଁ ଆବେଦନ କରିବେ ବୋଲି ମନ୍ତ୍ରୀ ଗୃହକୁ କହିଥିଲେ। କିନ୍ତୁ ୪ ମାସ ପରେ ବି କର୍ମଚାରୀ ନିଯୁକ୍ତି ଓ ମେଡିକାଲ କଲେଜ ସିଟ୍ ପାଇଁ ସରକାର ଆବେଦନ କରି ନଥିବାରୁ ସୁନ୍ଦରଗଡ଼ରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା।