ସିବିଆଇ ହାତରେ ସୁନ୍ଦରଗଡ଼ ଡାକ ନିରୀକ୍ଷକ

୬ ମାସର ଦରମା ପାଇଁ ୫ ହଜାର ଲାଞ୍ଚ ନେଉଥିଲେ

ସୁନ୍ଦରଗଡ଼ : ୫ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକଘରର ଡାକ ନିରୀକ୍ଷକ (ପୋଷ୍ଟାଲ ଇନ୍ସପେକ୍ଟର) ଉଜ୍ବଳ କୁମାର। ତାଙ୍କ ଅଧୀନରେ କାମ କରୁଥିବା ଜଣେ କର୍ମଚାରୀ ବିକାଶ କିସପଟ୍ଟାଙ୍କ ୬ମାସର ବକେୟା ଦରମା ବିଲ୍‌ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବା ସିବିଆଇ ସୂତ୍ରରୁ ପ୍ରକାଶ।

ବିକାଶ ଚୁକ୍ତିଭିତ୍ତିକ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ୬ ମାସର ଦରମା ବକେୟା ଥିଲା। ଦରମା ବିଲ୍‌ କରିଦେବାକୁ ବିକାଶ ଡାକ ନିରୀକ୍ଷକ ଅନୁରୋଧ କରିଥିଲେ। କିନ୍ତୁ, ନିରୀକ୍ଷକ ଉଜ୍ବଳ କୁମାର ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏତେ ଟଙ୍କା ଦେବାପାଇଁ ବିକାଶ ନିଜ ଅକ୍ଷମତା ପ୍ରକାଶ କରିବାରୁ ନିରୀକ୍ଷକ ୫ ହଜାର ଦେବାକୁ କହିଥିଲେ। ଟଙ୍କା ନଦେଲେ ବିଲ୍‌ ତିଆରି କରିବି ନାହିଁ କହି ତାଙ୍କୁ ହଇରାଣ କରିବାକୁ ଲାଗିଲେ। ଦିନଦିନ ଧରି ବିକାଶ ତାଙ୍କ ପାଖକୁ ଦୌଡ଼ିଥିଲେ ମଧ୍ୟ ଉଜ୍ବଳ କୁମାର ତାଙ୍କ କଥା ଶୁଣି ନଥିଲେ। ଶେଷରେ ବିକାଶ ଭୁବନେଶ୍ବର ସିବିଆ‌ଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ସିବିଆଇ ଏକ ମାମଲା ରୁଜୁ କରି ଡାକ କର୍ମଚାରୀ ଉଜ୍ବଳ କୁମାରଙ୍କୁ ଧରିବାକୁ ଯୋଜନା କରିଥିଲା। ଆଜି ଅପରାହ୍ନରେ ବିକାଶ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଡାକ ନିରୀକ୍ଷକ ଉଜ୍ବଳ କୁମାରଙ୍କ କକ୍ଷରେ ୫ ହଜାର ଟଙ୍କା ଦେବାବେଳେ ପୂର୍ବରୁ ସେଠାରେ ଛକି ରହିଥିବା ୭ ଜଣିଆ ସିବିଆଇ ଟିମ୍‌ ତାଙ୍କୁ କାବୁ କରିଥିଲା। ତାଙ୍କ ହାତରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲା। ଏହାପରେ ତାଙ୍କ କାର୍ଯ୍ୟାଳୟ ଓ ଡେଙ୍ଗିଭାଡ଼ିସ୍ଥିତ ଭଡ଼ା ଘରେ ସିବିଆଇ ତଲାସି ଚଲାଇଥିବାବେଳେ ତାଙ୍କୁ ଅଟକ ରଖିଛି।

ଡାକ ନିରୀକ୍ଷକ ଉଜ୍ବଳ କୁମାରଙ୍କ ଘର ବିହାରରେ। ସେ ସୁନ୍ଦରଗଡ଼କୁ ବଦଳି ହୋଇ ଆସି ଏଠାରେ କାମ କରୁଛନ୍ତି। ଆଜି ରାତିରେ ତାଙ୍କୁ ଭୁବନେଶ୍ବର ନିଆଯିବ ବୋଲି ସୂଚନା ମିଳିଛି। ଏଥିସହିତ, ଚଢ଼ାଉ ଜାରି ରହିଛି।

ସମ୍ବନ୍ଧିତ ଖବର