ସୁନ୍ଦରଗଡ଼ରେ ଆଉ ଖୋଲିବନି ମଣ୍ଡି, ପଡ଼ିରହିବ ୬ ଲକ୍ଷ କ୍ବିଣ୍ଟାଲ ଧାନ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ତାଲାବନ୍ଦ ଯୋଗୁଁ ନିଧାର୍ଯ୍ୟ ସମୟର ୭ ଦିନ ପୂର୍ବରୁ ମାର୍ଚ୍ଚ ୨୩ରୁ ବନ୍ଦ ହୋଇଯାଇଥିବା ମଣ୍ଡି ଆଉ ଖୋଲିବ ନାହିଁ। ଚାଷୀଙ୍କ ଠାରୁ ଆଉ କେଜିଏ ବି ଧାନ କିଣାଯିବ ନାହିଁ। ଜିଲ୍ଲା ପ୍ରଶାସନ ଏ ପ୍ରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଅର୍ଥାତ ଜିଲ୍ଲାର ଟୋକନ ପାଇଥିବା ଚାଷୀଙ୍କ ପ୍ରାୟ ୬ ଲକ୍ଷ କ୍ବିଣ୍ଟାଲ ଧାନ ଘରେ ପଡ଼ିରହିବ। ମଣ୍ଡି ଖୋଲିବ ବୋଲି ଆଶା ବାନ୍ଧି ୨ ମାସ ଜଗିବା ପରେ ପ୍ରଶାସନର ଏ ପ୍ରକାର ନାସ୍ତିବାଣୀ ଚାଷୀଙ୍କୁ ନିରାଶ କରିଛି। ତେବେ ସବୁଠାରୁ ବଡ଼ କଥା ହେଲା, ଗତ ୭ ତାରିଖରେ ଧାନ କ୍ରୟ ନେଇ ପ୍ରଶାସନର ବୈଠକ ବସି ବିଚାର ଆଲୋଚନା ହୋଇଥିବାବେଳେ ହଠାତ୍ ଏ ପ୍ରକାର ନିଷ୍ପତ୍ତି ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।

ଉପ-ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଯୋଗାଣ ବିଭାଗ, ସୁନ୍ଦରଗଡ଼ ସମବାୟ ସମିତି ଉପ ନିବନ୍ଧକ, ଲ୍ୟାମ୍ପ୍ସ ଅଧିକାରୀ, ଯୁବନେତା ଅଜୟ ପଟେଲ, ଚାଷୀ ପ୍ରତିନିଧି, ମିଲର୍ସ ଉପସ୍ଥିତ ଥିଲେ। ବୈଠକରେ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ବଦଳରେ ୧୪ ଶହ ଟଙ୍କା ଦରରେ କିଣିବାକୁ ଚାହୁଥିବା କଥା ଉଠିଥିଲା। ଯାହାକୁ ଚାଷୀମାନେ ଗ୍ରହଣ କରି ନଥିଲେ। ବିନା ନିଷ୍ପତ୍ତିରେ ବୈଠକ ସରିଥିଲା। ପରବର୍ତ୍ତୀ ଦିନେ ଦୁଇ ଦିନ ମଧ୍ୟରେ ଏ ସମ୍ପର୍କରେ ପୁଣି ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କୁହାଗଲା। କିନ୍ତୁ ଆଉ ବୈଠକ ବସିଲାନି ଓ ଶେଷକୁ ମଣ୍ଡି ନ ଖୋଲିବା ନିଷ୍ପତ୍ତି ନେଲା ପ୍ରଶାସନ। ମଣ୍ଡି ନଖୋଲିବା ଚାଷୀ ପାଇଁ ପୀଡ଼ାଦାୟକ ହୋଇଥିବା ବେଳେ ମିଲର୍ସଙ୍କୁ ବେଶ୍ ସୁହାଇଛି। ଏବେ ସେ ନିଜ ମନମାନି ଦରରେ ଚାଷୀଙ୍କ ଠାରୁ ଧାନ କିଣିନେବ। ଯାହା ମିଲର୍ସ- ପ୍ରଶାସନର ମଧୁଚନ୍ଦ୍ରିକା ଆଡ଼କୁ ଅଙ୍ଗୁଳି ‌ନିର୍ଦ୍ଦେଶ କରୁଛି ବୋଲି ଚାଷୀନେତାମାନେ ଅଭିଯୋଗ କରିଛନ୍ତି। ମଣ୍ଡି ନଖୋଲିବା ଦ୍ବାରା ନିଜ କଷ୍ଟ ଉପାର୍ଜିତ ଧାନକୁ କମ୍ ମୂଲ୍ୟରେ ମିଲର୍ସ, ଦଲାଲ ହାତରେ ଟେକିଦେବା ଛଡ଼ା ଆଉ କୌଣସି ବାଟ ନାହିଁ ବୋଲି କହିଛନ୍ତି ଚାଷୀ ପ୍ରତିନିଧି।

ସୂଚନାଯୋଗ୍ୟ, ମାର୍ଚ୍ଚ ୩୧ ଯାଏ ମଣ୍ଡିରେ ଧାନ କିଣିବାକୁ ସମୟ ଧାର୍ଯ୍ୟ ହୋଇଥିଲେ ହେଁ, କରୋନା ସଂକ୍ରମଣଜନିତ ତାଲାବନ୍ଦ ଯୋଗୁଁ ତାହା ୭ ଦିନ ପୂର୍ବରୁ ୨୩ ତାରିଖରୁ ବନ୍ଦ ହୋଇଗଲା। ଫଳରେ ହାତରେ ଟୋକନ ଥାଇ ମଧ୍ୟ ଜିଲ୍ଲାର ୫୬୪୧ ଚାଷୀଙ୍କ ଧାନ କ୍ରୟ କରାଯାଇପାରିଲା ନାହିଁ। ଚାଷୀଙ୍କ ଅମାରରେ ପ୍ରାୟ ୬ ଲକ୍ଷ ୬୪ ହଜାର ୯୫୩ କ୍ବିଣ୍ଟାଲ ଧାନ ପଡ଼ିରହିଲା। ତାଲାବନ୍ଦରେ ଶ୍ରମିକ ହାତରୁ କାମ ଚାଲି ଯାଇଥିବା ଓ ଚାଷୀ ନିଜ ଝାଳବୁହା ଶ୍ରମରୁ ଉପାର୍ଜିତ ଧାନ ଓ ଅନ୍ୟ ଫସଲକୁ ବିକି ପାରୁ ନଥିବାରୁ କିଛିଦିନ ତଳେ ଉଦ୍‌ବେଗ ପ୍ରକାଶ କରିଥିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ‌ଟେଟେ। ସେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତୁରନ୍ତ ମଣ୍ଡି ଖୋଲି ଚାଷୀଙ୍କ ଘରେ ପଡ଼ିଥିବା ଧାନ କିଣି ନେବାକୁ ଦାବି କରିଥିଲେ। ଚାଷରୁ ତାଲାବନ୍ଦ କଟକଣା ହଟିଥିବାରୁ ମଣ୍ଡି ଖୋଲି ବାକି ପଡ଼ିଥିବା ଧାନ କ୍ରୟ କରି ଏମିତି ଦୁର୍ଦ୍ଦିନରେ ଚାଷୀଙ୍କୁ ସହାୟକ ହେବାକୁ ସେ ଅନୁରୋଧ କରିଥିଲେ। ଜିଲ୍ଲାପାଳ ମଧ୍ୟ ଚାଷୀଙ୍କ ସମସ୍ୟା ଦୂର କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।। କିନ୍ତୁ ଶେଷକୁ ପ୍ରଶାସନ ଚାଷୀଙ୍କ ବିରୋଧରେ ନିଷ୍ପତ୍ତି ନେଇ ମଣ୍ଡି ଖୋଲିବାକୁ ମନା କରିଦେବା ଚାଷୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର