ଆଦିବାସୀ ଗାଁ ପଡ଼ିଆରେ ଲିଙ୍ଗଗତ ସମାନତା: ଏଣିକି ଏକାଠି ଖେଳିବେ ପୁରୁଷ, ମହିଳା

ସୁନ୍ଦରଗଡ଼: କ୍ରୀଡା ଜଗତରେ ଟେନିସ୍ ବ୍ଯତୀତ ଅନ୍ଯ କୌଣସି ଖେଳରେ ମହିଳା ଓ ପୁରୁଷ ଏକାଠି ଖେଳିବା ଦେଖାଯାଏ ନାହିଁ।ବିଶେଷ କରି ବିଶ୍ବର ଅଧିକ ଲୋକପ୍ରିୟ ଫୁଟବଲ, କ୍ରିକେଟ, ହକି, କବାଡି ପରି ଦଳଗତ ଖେଳରେ ମହିଳା, ପୁରୁଷ ଅଲଗା ଅଲଗା ଖେଳିବା ଏକ ପ୍ରକାର ଧରାବନ୍ଧା ନିୟମ ହୋଇ ରହିଛି। ଏହା ପଛର କିଛି କାରଣ ବୋଧହୁଏ ଏୟା, ଶରୀର ଗଠନ, ଶକ୍ତି ଓ ଶ୍ରମ ଦୃଷ୍ଟିରୁ ମହିଳା ଓ ପୁରୁଷ ପରସ୍ପର ଠାରୁ ଭିନ୍ନ। ଏହା ଛଡା ଯୌନ ସମ୍ବେଦନ ଦୃଷ୍ଟିରୁ ପୁରୁଷଟେ ମହିଳାଙ୍କୁ ସ୍ପର୍ଶ କରିବା ଅନୁଚିତ। ହେଲେ ଏସବୁ ଦଳଗତ ଖେଳରେ ଖେଳାଳି ଶାରୀରିକ ଭାବେ ପରସ୍ପରକୁ ସ୍ପର୍ଶ କରିବା ନିଶ୍ଚିତ ଥାଏ। ତେଣୁ ଆଜି ଯାଏ ମହିଳା ଓ ପୁରୁଷ ଅଲଗା ଖେଳିବାର ପରମ୍ପରା ରହି ଆସିଛି। ତେବେ ଟେନିସର ମିକ୍ସ ଡବଲରେ ମହିଳା

ପୁରୁଷ ଖେଳୁଥିଲେ ମଧ୍ଯ ଖେଳାଳିଙ୍କ ମଧ୍ଯରେ ଶରୀର ସ୍ପର୍ଶର ଆଦୌ ସମ୍ଭାବନା ନଥାଏ। ଏବେ ଏ ଲିଙ୍ଗଭିତ୍ତିକ ଖେଳ ପରମ୍ପରାରେ ପୂର୍ଣ୍ଣଛେଦ ପଡିବ। ଏଣିକି ଏସବୁ କଟକଣାକୁ ହଟାଇ ପୁରୁଷ ଓ ମହିଳା ଏକାଠି ଖେଳିବେ। ଏ ନୂଆ ଦିଶା ଦେଖାଇବ ହକି ଗଡ଼ ସୁନ୍ଦରଗଡ଼। ଏକ ଆଦିବାସୀ ଗାଁ ହକି ପଡିଆରୁ ହକି ଜଗତ ଶୁଣିବ ଲିଙ୍ଗଗତ ସମାନତାର ବାର୍ତ୍ତା। ଏଥିପାଇଁ ଜିଲ୍ଲାର ସବଡେଗା ବ୍ଲକ୍ ଗାଇବିରାରେ ଗତ ୪ ଦିନ ହେଲା ଆରମ୍ଭ ହୋଇଛି ଅଭିଯାନ। ସ୍ଥାନୀୟ ଅଞ୍ଚଳର ଆଦିବାସୀ ମହିଳା ମଞ୍ଚ, ମହିଳା ସଂଗ୍ରାମ ସମିତି ଓ ସାମାଜିକ ସେବା ସଦନର ମିଳିତ ପ୍ରଚେଷ୍ଟାରେ ମହିଳା, ପୁରୁଷ ଏକାଠି ଓହ୍ଲାଇଥିଲେ ପଡିଆକୁ।

ହକି ବାଡି ଧରି ପରସ୍ପର ଭିଡିଥିଲେ। ଆଖପାଖ ଗାଁର ୮ଟି ଦଳ ଏଥିରେ ଭାଗ ନେଇଥିଲେ। ଆଉ ପୁରୁଷ, ମହିଳାଙ୍କ ମିଳିତ ମ୍ଯାଚ ଦେଖିବାକୁ ୪ ଦିନ ଧରି ଲୋକଙ୍କ ଉତ୍ସାହ କାହିଁରେ କେତେ ବଢିଯାଇଥିଲା। ଆଗକୁ ଏ ନିଆରା ଅଭିଯାନ ଜିଲ୍ଲାର ଅନ୍ଯ ସବୁ ଗାଁରେ ଆୟୋଜନ କରିବାକୁ ସ୍ଥିର କରିଛନ୍ତି ମିଳିତ ସଂଗଠନ। ସୁନ୍ଦରଗଡ଼ ମାଟିର ଜୀବନ୍ତ କିମ୍ବଦନ୍ତୀ ହକି ତାରକା ଦିଲୀପ ତିର୍କୀ, ସୁଭଦ୍ରା ପ୍ରଧାନ, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା, ସୁନିତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ, ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କୀ, ପ୍ରବୋଧ ତିର୍କୀ ପ୍ରମୁଖ ଖେଳାଳି ହକି ବାଡିରେ ଯାଦୁ ଦେଖାଇ ସାରା ବିଶ୍ବକୁ ଚମକାଇ ଦେଇଛନ୍ତି। ଏବେ ସେହି ମାଟିର ଏକ ଛୋଟ ଆଦିବାସୀ ଗାଁ ଆରମ୍ଭ କରିଥିବା କ୍ରୀଡାର ଏ ନୂଆ ଓ ନିଆରା ଧାରା ପୁଣି ଥରେ କ୍ରୀଡା ଜଗତରେ ଚମକ ଭରିବ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର