ଜେଲ୍‌ ଗଲେ ସୁନ୍ଦରଗଡ଼ର କୋଟିପତି ଯନ୍ତ୍ରୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ର କୋଟିପତି ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଠାରୁ ୩୩୩ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବାପରେ ଭିଜିଲାନ୍‌ସ ବିଭାଗ ଆଜି ତାଙ୍କୁ ଗିରଫ କରି ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟକୁ ଚାଲାଣ କରିଛି। କୋର୍ଟ ଜାମିନ ଆବେଦନ ଖାରଜ କରି ତାଙ୍କୁ ଜେଲ୍‌କୁ ପଠାଇ ଦେଇଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି, ଅର୍ଥାତ୍‌ ମଙ୍ଗଳବାର ଦିନ ଭିଜିଲାନ୍‌ସ ଟିମ୍‌ ଜିଲ୍ଲାର ହେମଗିରଠାରେ କାର୍ଯ୍ୟରତ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନର ଏହି ଯନ୍ତ୍ରୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଶ୍ରୀ ବେହେରାଙ୍କ ସୁନ୍ଦରଗଡ଼ କେନ୍ଦୁପଡ଼ାସ୍ଥ ଭଡ଼ାଘର, ଲେଫ୍ରିପଡ଼ାସ୍ଥ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ ବିଭାଜନ କାର୍ଯ୍ୟାଳୟ, ଭଦ୍ରକ ସହର ମଧ୍ୟରେ ଥିବା ଦୁଇମହଲା କୋଠା, ଭଦ୍ରକ ଜିଲ୍ଲା ବନ୍ତରେ ଥିବା ପୈତୃକ ବାସଭବନ, ଭଦ୍ରକ ଜିଲ୍ଲା ତିହିଡି ଥାନା ସିନ୍ଦୋଲସ୍ଥ ଶ୍ବଶୁରଘରେ ଭିଜିଲାନ୍‌ସର ୭ଟି ଟିମ୍‌ ଚଢ଼ଉ କରି ସମ୍ପତ୍ତି ଆକଳନ କରିଥିଲା। ସମ୍ପତ୍ତି ମଧ୍ୟରେ ଭଦ୍ରକ ସହର ଜଗନ୍ନାଥପୁରରେ ୫ ହଜାର ବର୍ଗଫୁଟର ଏକ ୨ ମହଲା କୋଠା, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଗାଁରେ ଥିବା ଏକମହଲା ଘର, ଭଦ୍ରକ ସହର ଜଗନ୍ନାଥପୁରରେ ପ୍ଲଟ୍‌ ନମ୍ବର ୮୬୧/୧୭୨୮ ଓ ଖାତା ନମ୍ବର ୭୭୧/୭୮୧ରେ ୩.୪ ଲକ୍ଷର ଜମି, ୧.୬୭ କୋଟିର ବ୍ୟାଙ୍କ, ଡାକଜମା ଓ ବୀମା, ୨ ଶହ ଗ୍ରାମର ସୁନାଗହଣା, ନଗଦ ୧୦.୫ ଲକ୍ଷ ଟଙ୍କା, ୨ ଚକିଆ ଓ ଘରୋଇ ଆସବାବପତ୍ର ଠାବ କରାଯାଇଥିଲା। ଏହା ବ୍ୟତୀତ ଇଂ. ବେହେରା ନିଜ ଦୁଇ ସନ୍ତାନଙ୍କ ଡାକ୍ତରୀପଢ଼ାରେ ୮୧.୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜାଣିବାକୁ ପାଇଥିଲା ଭିଜିଲାନ୍‌ସ। ହେଲେ ଏସବୁ ଆୟର ଉତ୍ସ ସମ୍ପର୍କରେ ଯନ୍ତ୍ରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।

ସମ୍ବନ୍ଧିତ ଖବର