କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଅଞ୍ଚଳର ଚାଷୀମାନେ ବୁଧବାର ମନମୁଣ୍ଡା ସ୍ଥିତ କୃଷି ବିଭାଗ କାର୍ଯ୍ୟାଳୟ ଓ ଆରଆଇ ଅଫିସ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପଞ୍ଚାୟତର ମନୋହରପୁର, ପେନାଜୋର, ପାଲଝିର, ଲକ୍ଷ୍ମୀପ୍ରସାଦ, ସେକାମାଲ, ରାସବିହାରିପୁର, ମହତପୁର, ଗୋପାଳପୁର, ନଦିଆନଗର, ଶୁଣ୍ଢିପଦର ଆଦି ଗାଁରେ ସ୍ୱଳ୍ପ ବର୍ଷା ଯୋଗୁଁ ନେକ ଚାଷୀ ତଳି ପକାଇ ପାରି ନ ଥିଲେ। କେତେକ ସ୍ଥାନରେ ହଳ ମଧ୍ୟ କରିବା ସମ୍ଭବପର ହୋଇ ନ ଥିଲା। ୮୦ ପ୍ରତିଶତ ଜମି ପଡିଆ ପଡିଛି। ଯେଉଁଠି ବି ଚାଷ ହୋଇଥିଲା ପରବର୍ତ୍ତି ସମୟରେ ବର୍ଷା ନ ହେବାରୁ ସେଗୁଡିକ ମରି ଯାଇଛି। ଚାଷୀମାନେ ଋଣ ଭାରରେ ଚିନ୍ତାରେ ଅଛନ୍ତି। ତେଣୁ ଏହି ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା ସହିତ ଋଣ ଛାଡ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ନେଇ କୃଷି ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନେ ରାଜସ୍ୱ ବିଭାଗକୁ ପଚାରିବାକୁ କହୁଥିବା ବେଳେ ରାଜସ୍ୱ ବିଭାଗ ଷ୍ଟାଟିଷ୍ଟିକ ବିଭାଗକୁ ପଚାରିବାକୁ କହି ଚାଷୀଙ୍କୁ ଅନ୍ଧାରରେ ରଖୁଥିବା ଅଭିଯୋଗ କରିଥିଲେ।
ଏଥିରେ ଉତ୍ତ୍ୟକ୍ତ ହୋଇ ଚାଷୀମାନେ ବୁଧବାର ପଞ୍ଚାୟତର ଶତାଧିକ ଚାଷୀ ମନମୁଣ୍ଡା ମେଡିକାଲ ଛକରୁ ଏକ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ପ୍ରଥମେ ଆରଆଇ ଅଫିସ ଓ ପରେ କୃଷି ବିଭାଗ ଅଫିସକୁ ଯାଇଥିଲେ। ମନମୁଣ୍ଡା ଏଏଓ ଦେବାଶିଷ ଦେଶୀନାୟକ ସରକାରଙ୍କ ରେଣ୍ଡମ ଗ୍ରାମ ସିଲେକ୍ସନ ଅନୁଯାୟୀ ଉକ୍ତ ପଞ୍ଚାୟତର ଚିତେଙ୍ଗ ଓ ସେକାମାଲ ଗ୍ରାମ ପରିଦର୍ଶନ କରି ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡି ରିପୋର୍ଟରେ ଦିଆଯାଇଥିବା କହିଥିଲେ। କ୍ରପ କଟିଂ ପରେ ରାଜସ୍ୱ ବିଭାଗ, ଷ୍ଟାଟିଷ୍ଟିକ ବିଭାଗ ସହ ମିଳିତ ରିପୋର୍ଟକୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ କଣ୍ଟାମାଳ ଏଏଓ ଜଗବନ୍ଧୁ ପଟେଲ ଚାଷୀମାନଙ୍କୁ ବୁଝାଇଥିଲେ। ଏହି ରାଲିରେ ସୁରଭି ମଲ୍ଲିକ, ଚିତ୍ତରଞ୍ଜନ ଗିରି, ମେଘନାଦ ଗିରି, ଗଣେଶ ଗିରି, ଖଗେଶ୍ୱର କର୍ମୀ, ରାମଚନ୍ଦ୍ର ମଲ୍ଲିକ, ଗିରିଧାରୀ ପାତ୍ର, ରବିନ ମାହାକୁଡ, ଉମେଶ ମାହାକୁଡ଼ ପ୍ରମୁଖ ସାମିଲ ଥିଲେ।
ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରିପାଲି ବ୍ଳକ ଅଞ୍ଚଳରେ ବ୍ୟାପକ ଚକଡ଼ା ପୋକ ଯୋଗୁଁ ଶହଶହ ଏକର ଧାନ ଫସଲ ଗୁଣ୍ଡ ହୋଇଯାଉଛି। ପ୍ରଶାସନ ଏଦିଗରେ ନିରବ ରହିଥିବା ଯୋଗୁଁ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେବା ସମବାୟ ସମିତି ମାଧ୍ୟମରେ କୃଷି ଋଣ କରୁଥିବା ଚାଷୀଙ୍କ ବୀମାଭୁକ୍ତ କରାଯାଉଥିବା ବେଳେ ଆଜି ସୁଦ୍ଧା ଜଣେ ହେଲେ ଚାଷୀଙ୍କୁ କ୍ଷତିପୂରଣ ମିଳି ନାହଁ। ତୁରନ୍ତ ଏ ଦିଗରେ ଜିଲ୍ଳା ପ୍ରଶାସନ ପଦକ୍ଷେପ ନନେଲେ ହଜାର ହଜାର ଚାଷୀ ବାଧ୍ୟ ହୋଇ ଆନ୍ଦୋଳାତ୍ମକପନ୍ଥା ଅବଳମ୍ବନ କରିବେ ବୋଲି ଚାଷୀ ମହଲରୁ ଜଣାଯାଇଛି।
ଟୁନିଆଁମୁଣ୍ଡାର ଚାଷୀ ବୀରେନ୍ଦ୍ର ଯୁଆଡ଼ି ଅଭିଯୋଗ କରିଛନ୍ତି ଧାନ ବିକ୍ରି ବେଳେ ଚାଷୀଙ୍କୁ ବିଭିନ୍ନ ଉପାୟରେ ହଇରାଣ କରଯାଉଛି। ଚାଷୀଙ୍କ ଠାରୁ ଋଣବେଳେ ବୀମା କରିବା ବାଧ୍ୟ କରାଯାଉଛି। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଚାଷୀଙ୍କୁ ପ୍ରଶାସନ ଅଣଦେଖା କରୁଛି। ତାଙ୍କ ୫ ଏକର ଜମିରେ ଚକଡ଼ା ପୋକ ଲାଗିଥିବାରୁ ସେ ଧାନ ପାଇବେ ନାହିଁ ବୋଲି ହତୋତ୍ସାହ ହୋଇ କହିଛନ୍ତି। ସବୁଠାରୁ ଆାଚର୍ଯ୍ୟ ବିଷୟ ହଜାର ହଜାର ଟଙ୍କା ଦେଇ ଚାଷୀ ଚକଡ଼ା ରୋଗର ଔଷଧ କିଣୁଛି ଅଥଚ ଉକ୍ତ ଔଷଧ କାମ କରୁନାହିଁ। ବର୍ଷାଧିକ କାଳ ଏ ଅଞ୍ଚଳରେ ଚକଡ଼ା ରୋଗ ଲାଗି ଚାଷୀ କ୍ଷତି ସହି ଆସୁଥିବା ବେଳେ ପ୍ରଶାସନ କିମ୍ବା କୃଷି ବିଭାଗ ଅଧିକାରୀଙ୍କ ଏ ନେଇ କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ ବୋଲି ଚାଷୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଆହୁରି ମଧ୍ୟ ଚକଡ଼ା ରୋଗ ପାଇଁ ଆସୁଥିବା ଔଷଧକୁୁ ଦୋକାନୀମାନେ ପଢ଼ିଲେଖି ଜାଣି ନଥିବା ଚାଷୀଙ୍କୁ ଏମ୍ଆର୍ପି ମୂଲ୍ୟରେ ହିଁ ବିକ୍ରି କରୁଛନ୍ତି। ତେବେ ଉକ୍ତ ଔଷଧ କାମକରୁ ନାହିଁ ବୋଲି କୃଷି ଅଧିକାରୀ ମାନେ କହୁଛନ୍ତି।
ତଥାପି କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବାଙ୍କିପାଲି ଗ୍ରାମର ଶତାଧିକ ଚାଷୀ ଡୁଙ୍ଗୁରିପାଲି ସ୍ଥିତ ଜିଲ୍ଲା କୃଷି ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ କ୍ଷତିର ଆକଳନ କରି ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଉ ବୋଲି ସଂପୃକ୍ତ ଚାଷୀ ମାନେ ଦାବି କରିଛନ୍ତି। ଏ ନେଇ ଡୁଙ୍ଗୁରିପାଲି ସ୍ଥିତ ଜିଲ୍ଳା କୃଷି ଅଧିକାରୀ ଶ୍ରୀନିବାସ ମଲ୍ଳିକଙ୍କୁ ପଚାରିବାରୁ ସେ କହିଲେ ଯେ ଗତ କିଛି ଦିନ ତଳେ ରାମପୁର ଅଞ୍ଚଳର ଚାଷୀ ଚକଡ଼ାରୋଗର କ୍ଷୟକ୍ଷତି ଆକଳନ ପାଇଁ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଏଥିପାଇଁ ସେ ପ୍ରତ୍ୟେକ ଗ୍ରାମର ଚାଷୀଙ୍କ କ୍ଷୟକ୍ଷତି ଆକଳନ ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ କେତେକ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି। କିନ୍ତୁ ସିଆରଏଫ ଗାଇଡ ଲାଇନରେ ଚକଡ଼ା ରୋଗ ପାଇଁ କୌଣସି ସରକାରୀ ସାହାଯ୍ୟ ନାହିଁ। ସରକାର ଚାହିଁଲେ ଦେଇ ପାରିବେ ବୋଲି ଶ୍ରୀ ମଲ୍ଲିକ କହିଥିଲେ।
ଏସ୍.ରାମପୁର: ରାମପୁର ତହସିଲ ଅନ୍ତର୍ଗତ ବଡ଼କର୍ଲେ ପଞ୍ଚାୟତ ବଡ଼କର୍ଲେ ଗାଁରେ ଚକଡ଼ା ପୋକ ଯୋଗୁଁ ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି। ଏନେଇ ଭାରତ ସାହୁ, ଆନନ୍ଦ ସାହୁ, ବରୁଣ ନାଇକ, ଆନନ୍ଦ ଭୋଇ, ଅଶୋକ ଭୋଇ, ରବି ପଧାନ, ସନାତନ ପଧାନ, ଅରକ୍ଷୀତ ପଧାନ, ଗ୍ରନ୍ଥ ପଧାନ, କଳାକାହ୍ନ ଭୋଇ, ସାନନ୍ଦ ପଧାନ, ଶ୍ୟାମ ସୁନ୍ଦର ପଧାନ, ରାଜ କୁମାର ଘିବେଲା ପ୍ରମୁଖ ଶତାଧିକ ଚାଷୀ ରାମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଚକଡ଼ା ପୋକ ଯୋଗୁଁ ଏହି ଚାଷୀମାନଙ୍କ ଅଧାରୁ ଅଧିକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତହସିଲଦାର ବିନୋଦ ବିହାରୀ ଦାଶ ଦାବିପତ୍ର ଗ୍ରହଣ କରି ଡୁଙ୍ଗୁରିପାଲି ଜିଲ୍ଲା କୃଷି ଅଧିକାରୀ ବିହିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହେଉଛି।
ଏସ୍. ରାମପୁର: ରାମପୁର ତହସିଲ ଅନ୍ତର୍ଗତ ଅନ୍ଧାରୀବାଞ୍ଜି ପଞ୍ଚାୟତ କୁଲଥିପାଲି ଗାଁରେ ଚକଡ଼ା ପୋକ ଯୋଗୁଁ ଶତାଧିକ ଏକର ଜମିର ଧାନ ଫସଲ ନଷ୍ଟ ହୋଇଯାଇଛି। ଏନେଇ ବୁଧବାର ଶତାଧିକ ଚାଷୀ ରାମପୁର ତହସିଲଦାରଙ୍କୁ ଭେଟି ଋଣ ଛାଡ଼ ତଥା କ୍ଷତିୂପରଣ ବାବଦକୁ ସହାୟତା ରାଶି ପ୍ରଦାନ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଚାଷୀମାନେ ସମବାୟ ସମିତିର ଧାନ ଚାଷ ପାଇଁ ଋଣ ଆଣିଥିଲେ। ହେଲେ ଚକଡ଼ା ଯୋଗୁଁ ଫସଲ ଉଜୁଡ଼ି ଯିବାରୁ ସେମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ଏଣୁ ସମସ୍ତ ଚାଷୀଙ୍କ ଋଣ ଛାଡ଼ କରାଯିବାକୁ ଦାବି କରାଯାଇଛି। କୃଷି ବିଭାଗ କ୍ଷୟକ୍ଷତିର ଆକଳନ କରିବା ପରେ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ଦେବା ସମୟରେ ଲଳିତ ବଘାର, ଶଶିଭୂଷଣ ବର୍ଗେ, ଏକାଦଶ ଭୋଇ, ରାମକୃଷ୍ଣ ବଘାର ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ।