ବାଲେଶ୍ବର: ଚକ୍ଷୁ ପରୀକ୍ଷା ହେଉଛି, କିନ୍ତୁ ଡାକ୍ତର ଲେଖୁଥିବା ଚଷମା ମିଳୁନାହିଁ। ଦିନେ କି ଦୁଇଦିନ ନୁହେଁ, ମାସ ମାସ ଅପେକ୍ଷା କରିବା ପରେ ବି ରୋଗୀଙ୍କୁ ମିଳୁନି ଚଷମା। ଆଜି ଆସିବ, କାଲି ଆସିବ କହି ଏମିତି ୬ ମାସ ଗଡ଼ିଯାଉଛି। ହେଲେ ଚଷମା ପାଉନାହାନ୍ତି। ଜଣେ ଜଣେ ରୋଗୀ ବର୍ଷେ ପରେ ପାଉଛନ୍ତି। ଯେତେବେଳେ ପାଉଛନ୍ତି ସେତେବେଳେ ଆଖିର ପାୱାର ବଢ଼ିଗଲାଣି। ଏଭଳି ଅବ୍ୟବସ୍ଥା ପାଇଁ ବାଧ୍ୟ ହୋଇ ରୋଗୀ ବାହାରୁ ଚଷମା କିଣୁଛନ୍ତି। ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ସତ, କିନ୍ତୁ ଏହାର ସଫଳ ରୂପାୟନ ହେଉନାହିଁ। ଅଧିକାଂଶ ଯୋଜନା ପରି ବାଲେଶ୍ବର ଜିଲ୍ଲାରେ ପଛରେ ପଡ଼ିଛି ‘ସୁନେତ୍ର’ ଯୋଜନା। 

Advertisment

ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜଗୁଡ଼ିକରେ ମାଗଣା ଚକ୍ଷୁ ପରୀକ୍ଷା କରାଯିବା ସହିତ ଔଷଧ ଏବଂ ଆବଶ୍ୟକସ୍ଥଳେ ମାଗଣାରେ ପାୱାର ଚଷମା ଯୋଗାଇ ଦିଆଯିବା ନେଇ ୨୦୧୯ ମସିହାରେ ଆରମ୍ଭ ହୋଇଥିଲା ‘ସୁନେତ୍ର’ ଯୋଜନା। ହେଲେ ଆଜିଯାଏଁ ବାଲେଶ୍ବର ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ ହୋଇପାରିଲା ନାହିଁ। ଜିଲ୍ଲାର ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଛାଡ଼, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ରୋଗୀ ଚଷମା ପାଇପାରୁନାହାନ୍ତି। ଦୁର୍ଭାଗ୍ୟର ବିଷୟ, ୨୦୨୩ ବର୍ଷର ଚଷମା ବି ରୋଗୀଙ୍କୁ ଆଜିଯାଏଁ ମିଳିନାହିଁ।    

ସପ୍ତାହରେ ମିଳିବା କଥା, ବର୍ଷେ ବିତିଯାଉଛି
ଚଷମା ପାଇଲା ବେଳକୁ ପାୱାର ବଢ଼ିଗଲାଣି
୨୦୨୩ ବର୍ଷର ଚଷମା ଚଳିତବର୍ଷ ବଣ୍ଟା ହେଉଛି

ସୂଚନା ମୁତାବକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତି ମାସରେ ହଜାରେରୁ ଅଧିକ ରୋଗୀଙ୍କର ଚଷମା ଆବଶ୍ୟକ ପଡ଼ୁଛି। ତେଣୁ ରୋଗୀ ଡାକ୍ତର ଦେଖାଇ ଔଷଧ ନେଇ ଚଷମା ପାଇଁ ଆବେଦନ କରି ଯାଉଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଆବେଦନ ହୋଇଥିବା ମୋଟ ଚଷମାରୁ ୨୯୨୬ଟି ଚଷମା ଚଳିତବର୍ଷ ବଣ୍ଟା ଯାଇଛି। ସେମିତି ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ମୋଟ୍‌ ୧୨ ହଜାର ୬୩୮ଟି ଚଷମା ଆବେଦନ ହୋଇଥିବା ବେଳେ ଏଥିରୁ ମାତ୍ର ୩ ହଜାର ୬୦୦ଟି ଚଷମା ରୋଗୀଙ୍କୁ ଦିଆଯାଇଛି। ବାକି ଚ‌ଷମା ଆସି ନଥିବାରୁ ରୋଗୀ ପ୍ରତିଦିନ ଆସି ପଚାରି ପଚାରି ଫେରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆବେଦନ କରିବାର ୨ରୁ ୩ ଦିନ ଭିତରେ ରୋଗୀଙ୍କୁ ଚଷମା ଦିଆଯିବା କଥା। ହେଲେ ୬ ମାସ ବିତିଯାଉଛି, କିନ୍ତୁ ଚଷମା ମିଳି ପାରୁନାହିଁ। ଯେତେବେଳେ ଚଷମା ମିଳୁଛି ସେତେବେଳେ ଆଖିର ପାୱାର ମିଶୁନାହିଁ। ଏଭଳି ଅବ୍ୟସ୍ଥା ଯୋଗୁଁ ବହୁ ରୋଗୀ ବାହାରୁ ଖର୍ଚ୍ଚାନ୍ତ ହୋଇ ଚଷମା କିଣୁଛନ୍ତି।  ଯାହା ଜଣାଯାଇଛି, ଡାକ୍ତରଖାନାକୁ ଚଷମା ଯୋଗାଇବା ପାଇଁ ତିନୋଟି ସଂସ୍ଥା ଟେ‌ଣ୍ଡର ନେଇଛି। ଆବେଦନ କରିବା ପରେ କେଉଁ ମାସ ଚଷମା ଆସୁଛି ତ କେଉଁ ମାସ ନାହିଁ। ଯେଉଁଠି ହଜାରେ ଦରକାର ପଡ଼ୁଛି, ‌ସେଠାରେ ମାତ୍ର ୧୦୦/୨୦୦ ଚଷମା ଆସୁଛି। ଯାହାଫଳରେ ଦିନକୁଦିନ ଆବେଦନ ସଂଖ୍ୟା ବଢ଼ୁଛି ସିନା, ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଡାକ୍ତରଖାନା ଆସି ରୋଗୀ ଖାଲି ଅସନ୍ତୋଷ ଝାଡ଼ି ଫେରୁଛନ୍ତି। ଏ ବାବଦରେ ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି, ଯେତିକି ରୋଗୀଙ୍କର ଚଷମା ଦରକାର, ଆମେ ତ‌ାଲିକା ପଠାଇ ଦେଉଛୁ। କିନ୍ତୁ ଚଷମା ସମୟରେ ଆସୁନାହିଁ। ପ୍ରତିଦିନ ଲୋକଙ୍କୁ ଖାଲି ବୁଝାଇବାକୁ ପଡ଼ୁଛି।