ବାଲେଶ୍ୱର ଜିଲ୍ଲାରେ ପ୍ରହସନ ପାଲଟିଛି ସୁନେତ୍ର ଯୋଜନା: ମାସ ମାସ ଅପେକ୍ଷା ପରେ ବି ମିଳୁନି ପାୱାର ଚଷମା

ଡାକ୍ତରଖାନା ଅଧିକାରୀଙ୍କ ଅବହେଳାରୁ ଖର୍ଚ୍ଚାନ୍ତ ରୋଗୀ

ବାଲେଶ୍ୱର : ସୁନେତ୍ର ଯୋଜନା ଜରିଆରେ ରାଜ୍ୟର ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜଗୁଡ଼ିକରେ ରୋଗୀଙ୍କ ମାଗଣା ଚକ୍ଷୁ ପରୀକ୍ଷା ସହିତ ମାଗଣା ଔଷଧ ଏବଂ ଆବଶ୍ୟକସ୍ଥଳେ ପାୱାର ଚଷମା ଯୋଗାଇ ଦିଆଯାଉଛି। ୨୦୧୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ବାଲେଶ୍ୱର ଜିଲ୍ଲାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ସ୍ବାସ୍ଥ୍ୟକେନ୍ଦ୍ର କଥା ଛାଡ଼, ମୁଖ୍ୟ ଚିକିତ୍ସାଳୟରେ ବି ଚଷମା ନପାଇ ରୋଗୀ ଫେରୁଛନ୍ତି ।

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ଯେତିକି ଚକ୍ଷୁ ରୋଗୀ ଆସୁଛନ୍ତି, ସେଥିରୁ ୩୦ ପ୍ରତିଶତରୁ ଅଧିକ ରୋଗୀଙ୍କର ପାୱାର ଚଷମା ଆବଶ୍ୟକ ପଡ଼ୁଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀମାନେ ଔଷଧ ନେବା ପରେ ଚଷମା ପାଇଁ ଆବେଦନ କରୁଛନ୍ତି। ହେଲେ ତାରିଖ ପରେ ତାରିଖ ଗଡ଼ିଯାଉଛି ସିନା, ଚଷମା କାହାକୁ ମିଳୁନି। ରତ୍ନାକର ରାଉତ, ହରିଶ ସ୍ବାଇଁ, ଚନ୍ଦନ ବେହେରା ପ୍ରମୁଖ ଚକ୍ଷୁ ରୋଗୀ ମାସେରୁ ଅଧିକ ସମୟ ଧରି ଚଷମା ଅପେକ୍ଷାରେ ଅଛନ୍ତି। ନିୟମ ଅଛି, ଆବେଦନ କରିବାର ୨ରୁ ୩ ଭିତରେ ରୋଗୀଙ୍କୁ ଚଷମା ଦିଆଯିବ। ହେଲେ ୩/୪ ମାସ ପରେ ବି ଚଷମା ଆସୁନାହିଁ। ଏଭଳି ଅବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରି ବାହାରୁ ଚଷମା କିଣିବା ପାଇଁ ବାଧ୍ୟ ହେଉଛନ୍ତି ରୋଗୀ।

ଡାକ୍ତରଖାନାକୁ ଚଷମା ଯୋଗାଇବା ପାଇଁ ତାମିଲନାଡ଼ୁର ଲପ୍ଟିକ୍‌ ଓପ୍ଟିକାଲ୍‌ସ ନାମକ ଏକ ସଂସ୍ଥା ଟେ‌ଣ୍ଡର ନେଇଛି। ଚଷମା ପାଇଁ କମ୍ପାନିକୁ ତାଲିକା ପଠାଯାଉଛି। ହେଲେ କେଉଁ ମାସ ୨ଟି ତ କେଉଁ ମାସ ୩ଟି ଚଷମା ଆସୁଛି। କେଉଁ ମାସରେ ଆଦୌ ଆସୁନାହିଁ। ଡାକ୍ତରଖାନାକୁ ଆବଶ୍ୟକ ଅନୁସାରେ ଚଷମା କାହିଁକି ଆସୁନାହିଁ ବୋଲି ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚାରିବାରୁ ସେ କମ୍ପାନି ଉପରେ ଦୋଷ ଲଦିଥିଲେ। ପୂର୍ବରୁ ସ୍ଥାନୀୟ ‌ସଂସ୍ଥା ଟେଣ୍ଡର ନେଇଥିବା ବେଳେ ଏମିତି ଅସୁବିଧା ହେଉନଥିଲା। ଏବେ ବାହାର କମ୍ପାନି ଟେଣ୍ଡର ନେଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ସେ କହିଛନ୍ତି।

ତେବେ ଯାହା ଜଣାଯାଇଛି, ଡାକ୍ତରଖାନାରେ ପ୍ରତିଦିନ ଡାକ୍ତର ଲେଖୁଥିବା ଚଷମା ତାଲିକା ଉକ୍ତ କମ୍ପାନିକୁ ପଠାଯାଉନାହିଁ। ଦିନେ କି ଦୁଇଦିନ ନୁହେଁ, ମାସ ମାସ ଧରି ତାଲିକା ପଠାଯାଇନାହିଁ। ଯାହାଫଳରେ ୪ ମାସରୁ ଅଧିକ ସମୟ ଧରି ରୋଗୀଙ୍କ କେସ୍ ରେକର୍ଡ ପଠାନଯାଇ ଥାକ ହୋଇରହିଛି। ଗୋଟିଏ ପଟେ କମ୍ପାନି ବିଳମ୍ବ କରୁଛି କହି ରୋଗୀଙ୍କୁ ଦେଢ଼ ମାସ ପରେ ଆସିବାକୁ କୁହାଯାଉଥିବା ବେଳେ ଅନ୍ୟପ‌ଟେ ମାସ ମାସ ଧରି ରେକର୍ଡ ପଠାଯାଉନାହିଁ। ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ରୋଗୀ ହଇରାଣ ହେବା ସହ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି।

ଏତଦ୍‌ବ୍ୟବତୀତ ସୁନେତ୍ର ଯୋଜନାରେ ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କର ପ୍ରତିବର୍ଷ ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ମାଗଣାରେ କରାଯିବାର ବ୍ୟବସ୍ଥା ରହିଛି। ଏମିତିକି ଜଟିଳ ଚକ୍ଷୁରୋଗର ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ହେଲେ ବିଦ୍ୟାଳୟରେ ଏହି ଯୋଜନାରେ କେମିତି କାର୍ଯ୍ୟକାରୀ ହେଉଛି, ତାହା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ହିଁ ଭଲ ଭାବେ ଜଣା।

ସମ୍ବନ୍ଧିତ ଖବର