ହରିଚନ୍ଦନପୁର : ମୂଷଳ ନଦୀ ପଠାରେ ହସୁୁଛି ସୂର୍ଯ୍ୟମୁଖୀ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ଗରଗଡ଼ବାହାଳ, ବ୍ରଜମୋହନପୁର, ଚଷାଟାଙ୍ଗିରି, ସତ୍ୟପାଳ, ପିଟାଟାଙ୍ଗର ଓ ଆଖୁପାଳ ଗ୍ରାମ ଦେଇ ବହିଯାଇଛି ମୂଷଳ ନଦୀ। ନଦୀକୂଳରେ ଥିବା ଗ୍ରାମର ଚାଷୀମାନେ ପଠାରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ସୂର୍ଯ୍ୟମୁଖୀ ଫୁଲ ଫୁଟି ଏବେ ନଦୀପଠା ହଳଦୀ ରଙ୍ଗରେ ରଙ୍ଗେଇ ହୋଇଛି। ଏହାଛଡ଼ା କେତେକ ଗ୍ରାମର ରାସ୍ତାକଡ଼ରେ ମଧ୍ୟ ଚାଷୀମାନେ ସୂର୍ଯ୍ୟମୁଖୀ ଚାଷ କରିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ଯାଉଥିବା ଲୋକେ ଅଟକିଯାଇ ସୂର୍ଯ୍ୟମୁଖୀ ଫୁଲ ସହ ସେଲ୍ଫି ନେଉଛନ୍ତି।

ହରିଚନ୍ଦନପୁର ବ୍ଲକ୍‌ର ବିଭିନ୍ନ ଗ୍ରାମର ଚାଷୀ ପ୍ରାୟ ୩ଶହ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। କୃଷି ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ପିଟାଟାଙ୍ଗର, ମାନପୁର, ଗରଗଡ଼ବାହାଳ, ବ୍ରଜମୋହନପୁର, ଓସ୍ତିଆପଶି, ଭୋକା, କପ୍ତିପଦା, ଗଦୁଆଁ, ଶରଦାପଶି, ନନ୍ଦରା, ଜାମଦା, ଗୌଣିଘଷା, ବଡ଼ଶିଆଡ଼ିମାଳ ଗ୍ରାମରେ ୧୨୫ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଛି। ଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ଏଥିପାଇଁ ମାଗଣାରେ ଉନ୍ନତମାନର ବିହନ, ଅଣୁସାର ଓ କୀଟନାଶକ ପ୍ରଦାନ କରାଯାଇଛି। ମଝିରେ ମଝିରେ କୃଷି ବିଭାଗ ଅଧିକାରୀମାନେ ପହଞ୍ଚି ଚାଷୀଙ୍କୁ ତାଲିମ ଦେଉଛନ୍ତି। କେବଳ ଚଷାଟାଙ୍ଗିରି ଗ୍ରାମର ଚାଷୀମାନେ ମୂଷଳ ନଦୀପଠାରେ ୫୦ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି।

‌ଗୋଟିଏ ଏକର ଜମିରୁ ୮ରୁ ୧୦ କୁଇଣ୍ଟାଲ ଅମଳ ହୋଇଥାଏ। ଏହା ୯୦ରୁ ୧୨୦ ଦିନ ମଧ୍ୟରେ ଅମଳ କରାଯାଇଥାଏ। ଏକ କୁଇଣ୍ଟାଲ ସୂର୍ଯ୍ୟମୁଖୀ ମଞ୍ଜିର ମୂଲ୍ୟ ୫ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହୋଇଥିବାବେଳେ ୩ କିଲୋ ମଞ୍ଜିରୁ ଏକ କିଲୋ ସୂର୍ଯ୍ୟମୁଖୀ ତେଲ ବାହାରିଥାଏ ବୋଲି ସହକାରୀ କୃଷି ଅଧିକାରୀ ଅମରେଶ ରାଉତରାୟ ସୂଚନା ଦେଇଛନ୍ତି। ୪ ବର୍ଷ ତଳେ ହରିଚନ୍ଦନପୁର ବ୍ଲକ୍‌ରେ ମାତ୍ର ୩୦ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ ହେଉଥିଲା। ଏବେ ୩ଶହ ଏକର ଜମିରେ ଚାଷ ହୋଇଛି। ଆଗକୁ ଅଧିକ ଚାଷୀ କିପରି ସୂର୍ଯ୍ୟମୁଖୀ ଚାଷ କରିବେ ସେଥିପାଇଁ କୃଷି ବିଭାଗ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର