ସୂର୍ଯ୍ୟମୁଖୀ ଚାଷକୁ ମିଳୁନି ପ୍ରୋତ୍ସାହନ: ଖର୍ଚ୍ଚ ତୁଳନାରେ ଆୟ ନଗଣ୍ୟ 

୨ ମାସ ପରେ ବି ମିଳିନି ମଞ୍ଜି କିଣା ପ୍ରାପ୍ୟ

ବାସୁଦେବପୁର: ଦିନ ଥିଲା ଲାଭଦାୟକ ଚାଷ ଭାବେ ସୂର୍ଯ୍ୟମୁଖୀକୁ ଗଣାଯାଉଥିଲା। ୨ ମାସରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଚାଷୀ। କିନ୍ତୁ ଅଭାବୀ ବିକ୍ରି ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ବର୍ତ୍ତମାନ ସୂର୍ଯ୍ୟମୁଖୀ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ। ଆରମ୍ଭରୁ ଅମଳ ଯାଏ ଚାଷୀ ନାନା ସମସ୍ୟାର ସମ୍ମୁଖୀନ ହେଉଛି।

୫ ବର୍ଷ ତଳେ ବାସୁଦେବପୁର ବ୍ଲକ୍‌ର ଇରମ୍‌, ନୂଆଗାଁ, ପଢୁଆଁ, କୁମାରପୁର, ଅରଣ୍ତୁଆ, ବ୍ରାହ୍ମଣଗାଁ, ଲୁଙ୍ଗା, ଆନ୍ଦୋଳା ପଞ୍ଚାୟତ ସମେତ ପୌରପାଳିକାର ବିଭିନ୍ନ ଅଞ୍ଚଳରେ ପାଖାପାଖି ୭୦୦ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଉଥିଲା। ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଓ ସହଯୋଗ ବି ମିଳୁଥିଲା। ମଞ୍ଜି କିଣିବାଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ, ସବୁଥିରେ କୃଷି ବିଭାଗ ସହାୟତା ମିଳୁଥିଲା। ମାତ୍ର ସମୟ କ୍ରମେ ସରକାର ଏହି ଚାଷକୁ ପ୍ରୋତ୍ସାହନ ଦେବାଠାରୁ ଦୂରେଇ ଯାଇଛନ୍ତି। ଚାଷୀ ନିଜେ ମଞ୍ଜି ଓ ସାର କିଣିବା ସହିତ ଉତ୍ପାଦିତ ମଞ୍ଜି ବିକ୍ରିରେ ବି ନାନା କଟକଣାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମସ୍ୟା ଭିତରେ ମଧ୍ୟ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିବାକୁ ଆଗଭର ହେଉଥିବା ବେଳେ ସରକାରୀ କଟକଣା ଚାଷୀମାନଙ୍କୁ ହତାଶ କରୁଛି।

ଏବେ ବାସୁଦେବପୁର ବ୍ଲକରେ ସୂର୍ଯ୍ୟମୁଖୀ ଚାଷ ୭୦୦ ହେକ୍ଟରରୁ ଆସି ୩୦୦ ହେକ୍ଟରରେ ପହଞ୍ଚିଲାଣି। ଅନ୍ୟପଟେ ବିଭିନ୍ନ ସମୟରେ ପ୍ରତିକୂଳ ପାଗ ମଧ୍ୟ ଚାଷ କମିବାର ଆଉ ଏକ ପ୍ରମୁଖ କାରଣ ସାଜିଛି। ପ୍ରତିବର୍ଷ ସୂର୍ଯ୍ୟମୁଖୀ ଚାଷ ଅମଳ ସମୟରେ କାଳବୈଶାଖୀ ବର୍ଷା ଅମଳରେ ବାଧକ ସାଜିଛି। ତାଛଡା ମଞ୍ଜି କିଣାବିକାଠାରୁ ଆରମ୍ଭ କରି ସାର, ସବୁଥିରେ ଦଲାଲୀ ଓ କଳାବଜାର ସୂର୍ଯ୍ୟମୁଖୀ ଚାଷୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଚଳିତ ରବି ଋତୁରେ ଇରମ୍‌, ନୂଆଗାଁ, ପଢୁଆଁ, କୁମାରପୁର ଓ ପୌରପାଳିକାର ଦେଉଳି ଗ୍ରାମର କେତେକ ହାତଗଣତି ଚାଷୀ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ସ୍ଥାନୀୟ ଅରଣ୍ତୁଆ, ବ୍ରାହ୍ମଣଗାଁ, ଲୁଙ୍ଗା, ଆନ୍ଦୋଳା ଆଦି ପଞ୍ଚାୟତରେ ସୂର୍ଯ୍ୟମୁଖୀ ଚାଷଠାରୁ ଚାଷୀମାନେ ଦୂରେଇ ଗଲେଣି। ଘରୋଇ ବ୍ୟବସାୟୀଙ୍କଠାରୁ ଚଢ଼ାଦରରେ ମଞ୍ଜି କିଣି ଚାଷ କରି କ୍ଷତି ସହିବା ଅପେକ୍ଷା ଚାଷ ନ କରିବା ଭଲ ବୋଲି ଅନେକ ଚାଷୀ ମତ ଦେଇଛନ୍ତି। କିଲୋ ୬ ଶହ ଟଙ୍କା ହିସାବରେ ହେକ୍ଟର ପିଛା ୫ କିଲୋ ବିହନ ଚାଷୀ କ୍ରୟ କରୁଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା ବାବଦରେ ମାତ୍ର ୧୨୫୦ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଅପରପକ୍ଷରେ ଚାଷୀମାନେ ୩ ମାସ ତଳେ ମଞ୍ଜି କିଣିଥିବା ବେଳେ ଏଯାଏ ସେ ବାବଦ ଅର୍ଥ ମିଳିନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଅମଳ ପରେ ଗତବର୍ଷ ମାର୍କଫେଡ୍‌ ଓ ନାଫେଡ୍‌ ମିଳିତ ଭାବେ ଚାଷୀଙ୍କଠାରୁ କ୍ୟୁଣ୍ଟାଲ ପିଛା ୬୦୦ ଟଙ୍କାରେ ମଞ୍ଜି କିଣିଥିଲା। ଚାଷୀମାନେ ଖର୍ଚ୍ଚ ତୁଳନାରେ ଆୟ କରିପାରୁନଥିବାରୁ ସୂର୍ଯ୍ୟମୁଖୀ ଚାଷରୁ ବିମୁଖ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର