ବଜାରରେ ହିନ୍ଦୁସ୍ଥାନ ୟୁନିଲିଭର ଉତ୍ପାଦ ଅଭାବ : ମିଳୁନି ସୂର୍ଯ୍ୟମୁଖୀ ତେଲ

ଭୁବ‌ନେଶ୍ବର : କରୋନା କଟକଣା ପରଠାରୁ ବଜାରରେ ସୂର୍ଯ୍ୟମୁଖୀ ତେଲର ଅଭାବ ଦେଖିବାକୁ ମିଳିଛି। ଫ୍ରିଡମ୍‌ ଓ ଫର୍ଚୁନ୍ ବ୍ରାଣ୍ଡର ସୂର୍ଯ୍ୟମୁଖୀ ତେଲ ବହୁ କମ୍ ପରିମାଣରେ ଉପଲବ୍‌ଧ ହେଉଛି। ସେହିଭଳି ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନିର ବିଭିନ୍ନ ଉତ୍ପାଦର ଦର ବୃଦ୍ଧି ହୋଇଥିବାବେଳେ ବଜାରରେ କମ୍ ଉପଲବ୍‌ଧ ହେଉଛି। ତେଣୁ ନିହାତି ଆବଶ୍ୟକ ସାବୁନ୍, ଡିଟରଜେଣ୍ଟ ଆଦି ଯଥେଷ୍ଟ ମିଳୁନାହିଁ।

ତାଲାବନ୍ଦ ପରଠାରୁ ହଠାତ୍ ବଜାରକୁ ସୂର୍ଯ୍ୟମୁଖୀ ‌ତେଲ ଉଭାନ୍ ହେବାକୁ ଲାଗିଲା। ବଜାରରେ ଅଧିକ ଚାହିଦା ଥିବା ଫ୍ରିଡମ୍‌ ଓ ଫର୍ଚୁନ୍‌ ଏହି ଦୁଇ ବ୍ରାଣ୍ଡର ତେଲ ବହୁ କମ୍ ପରିମାଣରେ ଉପଲବ୍‌ଧ ହେଲା। ଦର ମଧ୍ୟ ବଢ଼ିଗଲା। ପୂର୍ବରୁ ଖୁଚୁରା ହିସାବରେ ୧୦୦ ଟଙ୍କାରେ ମିଳୁଥିବା ଫ୍ରିଡମ୍‌ ପ୍ୟାକେଟ୍‌ ହଠାତ୍ ୧୧୦ ଟଙ୍କାକୁ ଛୁଇଁଗଲା। ସେହିଭଳି ଫର୍ଚୁନ୍ ତେଲ ପ୍ୟାକେଟ୍‌ ୧୧୫ ଟଙ୍କାକୁ ଲାଗିଗଲା। ଖାଉଟିଙ୍କୁ ଦର ବୃଦ୍ଧି ଅଧିକ ସମସ୍ୟା ନହେଲେ ମଧ୍ୟ ବଜାରରୁ ଉଭେଇ ଯିବା ମୁଣ୍ଡବିନ୍ଧାର କାରଣ ହୋଇଗଲା। ଖୁଚୁରା ଦୋକାନୀମାନେ ଏହି ଦୁଇ ବ୍ରାଣ୍ଡ ବଦଳରେ ଅନ୍ୟ ବ୍ରାଣ୍ଡ ତେଲ ଚାଲୁକଲେ। ସେହିଭଳି ତାଲାବନ୍ଦ ପରେ ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନିର ବହୁ ଉତ୍ପାଦ ମିଳିଲା ନାହିଁ। ବିଶେଷକରି ସାବୁନ୍, ଡିଟରଜେଣ୍ଟ ଭଳି କିଛି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଉପଲବ୍‌ଧ ହେଲା ନାହିଁ। ପୂର୍ବରୁ ଉକ୍ତ କମ୍ପାନିର ବିତରକମାନେ ଗାଡ଼ି ପଠାଇ ଖୁଚୁରା ଦୋକାନମାନଙ୍କରେ ମାଲ୍ ପହଞ୍ଚାଇ ଦେଉଥିଲେ। ତାଲାବନ୍ଦ ପରେ ଏହି କାରବାର ବନ୍ଦ ହୋଇଗଲା। ଖୁଚୁରା ଦୋକାନୀମାନେ ପାଇକାରୀ ବେପାରୀଙ୍କଠାରୁ ମାଲ୍ ଉଠାଇଲେ। ମାତ୍ର ସେମାନଙ୍କ ପାଖରେ ଯଥେଷ୍ଟ ମାଲ୍‌ ମହଜୁଦ୍ ନଥିବାରୁ ସମସ୍ୟା ସୃଷ୍ଟି ହେଲା। ଏମିତିରେ ଉକ୍ତ ଉତ୍ପାଦ ସବୁ ବଜାର ଚାହିଦା ଅନୁସାରେ କମ୍ ଉପଲବ୍‌ଧ ହେବାରୁ ସ୍ବତଃ ଦର ବୃଦ୍ଧିର ବାଟ ବାହାରିଗଲା। ଏ ନେଇ ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବା କଥା ଏବେ ସୂର୍ଯ୍ୟମୁଖୀ ତେଲ ପ୍ରସ୍ତୁତ କରୁଥିବା କମ୍ପାନିମାନଙ୍କରୁ ପ୍ରଚୁର ମାଲ୍ ଆସିପାରୁନାହିଁ। ବଡ଼ ସମସ୍ୟା ହେଉଛି ଶ୍ରମିକ ପ୍ରସଙ୍ଗ। ତାଲାବନ୍ଦ ପରେ ସେହି ସବୁ କମ୍ପାନିମାନଙ୍କରେ ଶ୍ରମିକ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏବେ କମ୍ପାନିମାନେ କମ୍ ପରିମାଣର ମାଲ୍ ବଜାରକୁ ଛାଡ଼ୁଛନ୍ତି। ସେହି ଅନୁସାରେ ଖୁଚୁରା ବେପାରୀମାନଙ୍କୁ କମ୍ କମ୍ ମାଲ୍ ଦିଆଯାଉଛି। ସେହିଭଳି ଏବେ ହିନ୍ଦୁସ୍ଥାନ ୟୁନିଲିଭର ଭଳି କିଛି କମ୍ପାନିର ବିତରଣ ଗାଡ଼ି ଆଉ ପାଇକାରୀ ବ୍ୟବସାୟୀମାନଙ୍କ ପାଖକୁ ଆସୁନାହିଁ। ଏମିତିକି ପାଇକାରୀ ବ୍ୟବସାୟୀମାନଙ୍କୁ ମିଳୁଥିବା ରିହାତି ମଧ୍ୟ ବନ୍ଦ ହୋଇ ଯାଇଛି। ତେଣୁ ପାଇକାରୀ ବ୍ୟବସାୟୀମାନେ ନିଜ ଖର୍ଚ୍ଚରେ ମାଲ୍ ଉଠାଇବାରୁ ଲୋଡିଂ ଅନ୍‌ଲୋଡିଂ ବାବଦ ଖର୍ଚ୍ଚ ସେମାନେ ବହନ କରୁଛନ୍ତି। ଫଳରେ ଆପେ ଆପେ ଦର ବୃଦ୍ଧି ହେଉଛି। ତେଣୁ ଦେଶର ଏଭଳି ଘଡ଼ିସନ୍ଧି ସମୟରେ ସରକାର ସେଭଳି କମ୍ପାନିମାନଙ୍କୁ ଉପଯୁକ୍ତ ବାଟରେ ନିୟନ୍ତ୍ରଣ କ‌ଲେ, ଖାଉଟିମାନେ ଉପକୃତ ହୁଅନ୍ତେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର