ଶ୍ରୀନଅରରେ ସୁନିଆଁ ପର୍ବ: ଗଜପତି ମହାରାଜଙ୍କ ନୂଆ ଅଙ୍କର ଆରମ୍ଭ

ପୁରୀ : ଆଶ୍ବିନ ଶୁକ୍ଳ ଦ୍ବାଦଶୀ ତିଥିରେ ଶ୍ରୀନଅରରେ ଶନିବାର ଦିନ ପବିତ୍ର ସୁନିଆଁ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଶନିବାରଠାରୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ବର ନୂଆ ଅଙ୍କ ଓ ନୂଆ ସାଲ(ବର୍ଷ) ଆରମ୍ଭ ହୋଇଛି। ଶନିବାରଠାରୁ ଗଜପତି ମହାରାଜଙ୍କ ରାଜତ୍ବର ୧୪୨୯ ସାଲ ଓ ୬୪ ଅଙ୍କ ପ୍ରବେଶ କରିଛି। ପ୍ରତୀକାତ୍ମକ ଭାବେ ୬୪ ଅଙ୍କ ଓ ୧୪୨୯ ସାଲ ଖୋଦିତ ସୁବର୍ଣ୍ଣ ମୁଦ୍ରା ଆଜି ପ୍ରଚଳନ କରାଯାଇଛି। ଏହି ଅବସରରେ ପାରମ୍ପରିକ ରାଜଗୁରୁମାନେ ଗଜପତି ମହାରାଜଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ସିଂହାସନରେ ବିଜେ ପରେ ରାଜ ପରିବାର ଓ ପାରିଷଦ ବର୍ଗ ଗଜପତି ମହାରାଜଙ୍କ ମଙ୍ଗଳ କାମନା କରିବା ସହ ସୁନିଆଁ ଭେଟି ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀନଅର ଉତ୍ସବମୁଖର ହୋଇଛି।

ପ୍ରଚଳନ ହେଲା ୧୯୨୯ ସାଲ ଓ ୬୪ ଅଙ୍କ ଖୋଦିତ ସୁବର୍ଣ୍ଣ ମୁଦ୍ରା

ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ମା’ କନକ ଦୁର୍ଗାଙ୍କ ସହ ଶ୍ୟାମାକାଳୀ, ରାଧାକୃଷ୍ଣ, ଶ୍ରୀନୃସିଂହ ଆଦି ଦେବଦେବୀଙ୍କଠାରେ ଗଜପତି ମହାରାଜଙ୍କ ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜ ଦେବାଦେବୀଙ୍କୁ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ ପୂର୍ବକ ବିଶ୍ବର ମଙ୍ଗଳ କାମନା କରିଥିଲେ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପନ୍ନ ହୋଇଥିଲା। ସୁବର୍ଣ୍ଣ ମୁଦ୍ରାରୁ ପୁରୁଣା ଅଙ୍କ ୬୩କୁ ଲିଭାଯାଇ ନୂଆ ଅଙ୍କ ୬୪ ଉଲ୍ଲେଖ ପୂର୍ବକ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା। ରାଜଗୁରୁଙ୍କ ଉପସ୍ଥିତିରେ ବରାହ, ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ଏହି ନୂଆ ସୁବର୍ଣ୍ଣ ମୁଦ୍ରାକୁ ଶ୍ରୀନଅର କରଣମାନେ ପ୍ରଚଳନ କରିବା ପରେ ଗଜପତି ମହାରାଜ ଏହାର ବିଧିବଦ୍ଧ ଘୋଷଣା କରିଥିଲେ। ପ୍ରତିବର୍ଷ ଗଜପତି ମହାରାଜାଙ୍କ ରାଜତ୍ୱ ତଥା ଶାସନର ନୂଆ ଅଙ୍କ ଓ ସାଲ ଘୋଷଣା ହେବାର ପରମ୍ପରା ରହିଛି।

ପରମ୍ପରା ଅନୁଯାୟୀ, ଶନିବାର ଦିନ ଗଜପତି ମହାରାଜଙ୍କ ରାମାଭିଷେକ ପୂଜା କରାଯାଇଥିଲା। ଭୋର୍‌ରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପଇତା ଲାଗି ପରେ ଶ୍ରୀନୃସିଂହ ଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ସମୃଦ୍ଧି ପାଇଁ ସୁବର୍ଣ୍ଣରେ ନିର୍ମିତ ‘ଅବିଦ୍ଧ’ (ବିଭିନ୍ନ ଦେବାଦେବୀଙ୍କ ନାମରେ ଥିବା ମୁଦ୍ରା) ଗଜପତି ମହାରାଜଙ୍କ ମସ୍ତକ ସ୍ପର୍ଶ କରାଯାଇଥିଲା। ଗଜପତି ମହାରାଜଙ୍କୁ ମହାପ୍ରସାଦ ବି ଲାଗି ହୋଇଥିଲା। ମହାପ୍ରସାଦ ସହ ଶ୍ରୀମନ୍ଦିରରୁ ଆସିଥିବା ପତନି ବି ପ୍ରଦାନ କରାଯାଇଥିଲା। ଗଜପତି ମହାରାଜାଙ୍କ ପାରମ୍ପରିକ ରାଜଗୁରୁ ଦେବୀପ୍ରସନ୍ନ ରାଜଗୁରୁ, ସୁଧାଂଶୁ ରାଜଗୁରୁ ପ୍ରମୁଖ ଏହି ପୂଜାବିଧି ସମ୍ପନ୍ନ କରିଥିଲେ। ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ମନ୍ଦିରରେ ବି ସୁନିଆଁ ପର୍ବ ପାଳିତ ହୋଇଯାଇଛି। ପ୍ରତିମଠରେ ଗାଦିପୂଜା କରାଯାଇଛି। ମଠାଧୀଶମାନେ ଗାଦିରେ ଉପବେଶନ ପରେ ଶିଷ୍ୟମାନେ ପୂଜାର୍ଚ୍ଚନା କରିଛନ୍ତି।

ସମ୍ବନ୍ଧିତ ଖବର