ପହଞ୍ଚିଲେ ବଂଶଲ, ବିଜେପି ଶିବିରରେ ଉତ୍ସାହ

ଭୁବନେଶ୍ବର : ଓଡ଼ିଶା ପ୍ରଭାରୀଭାବେ ନିଯୁକ୍ତି ପାଇବା ପରେ ସୁନୀଲ ବଂଶଲ ସୋମବାର ଦିନ ପ୍ରଥମଥର ଓଡ଼ିଶା‌ ଗସ୍ତରେ ଆସିଛନ୍ତି। ତାଙ୍କୁ ସ୍ବାଗତ କରିବା ଲାଗି ବିମାନବନ୍ଦରରେ ବିଜେପି ନେତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଦୁଇଦିନିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ବଂଶଲ ରାଜ୍ୟ ସଭାପତି ଓ ସାଧାରଣ ସଂପାଦକମାନଙ୍କ ସହ ଆଲୋଚନା କରିଛନ୍ତି। ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ପାଇଁ ସେ ଦଳୀୟ ନେତାମାନଙ୍କ ସହିତ ଆଲୋଚନା କରିବେ। ଦଳୀୟ ସଂଗଠନକୁ ମଜବୁତ କରିବା ସହ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତାକୁ ଲୋକଙ୍କ ପାଖକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି କୋର କମିଟି ସଦସ୍ୟ, ଜିଲ୍ଲା ପ୍ରଭାରୀ, ଦଳର ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା ହେବ। ଚଳିତମାସ ଶେଷ ସପ୍ତାହ ବେକଳୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବା ପରେ ରଣନୀତି ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି।

ଉଲ୍ଲେଖ ଯେ ଗତମାସରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ଫେରିଯିବା ପରେ ସୁନୀଲ ବଂଶଲଙ୍କୁ ଓଡ଼ିଶାର ପ୍ରଭାରୀଭାବେ ଦାୟିତ୍ବ ମିଳିଥିଲା। ଉତ୍ତରପ୍ରଦେଶରେ ଦ୍ବିତୀୟ ଥର ଲାଗି ବିଜେପିକୁ ବହୁମତ ମିଳିବା ପରେ ସୁନୀଲଙ୍କ ରଣନୀତି କାମ କରିଥିବା ନେଇ ଚର୍ଚା ହୋଇଥିଲା।

ସମ୍ବନ୍ଧିତ ଖବର