ଦୌଡ଼ରେ ଥିଲେ ପ୍ରଦୀପ କପୁର, ମନୋଜ ଛାବ୍ରା
‘ସେବା, ସୁରକ୍ଷା ମୋ ପାଇଁ ପ୍ରାଥମିକତା’

Advertisment

ଭୁବନେଶ୍ବର : ପୁଲିସ ମହାନିର୍ଦ୍ଦେଶକ ଅଭୟ ଆସନ୍ତା ୩୧ ତାରିଖରେ ଅବସର ନେଉଥିବା ବେଳେ ପରବର୍ତ୍ତୀ ମୁଖିଆ କିଏ ହେବ ତା’କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ୟୁପିଏସ୍‌ସି(ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ) ପକ୍ଷରୁ ରାଜ୍ୟ ସରକାରଙ୍କ ପାଖକୁ ଆସିଥିବା ତିନି ଜଣିଆ ତାଲିକା ମଧ୍ୟରୁ ୧୯୮୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୁନୀଲ କୁମାର ବଂଶଲଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟ ସରକାର। ଏ ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ବଂଶଲ ଏବେ ମୁମ୍ବାଇରେ ସ୍ବତନ୍ତ୍ର ଆଇବି ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବା ବେଳେ ନୂଆ ବର୍ଷରେ ସେ ଦାୟିତ୍ବ ନେବେ ବୋଲି ଜଣାପଡ଼ିଛି। ତେବେ ୨୭ ବର୍ଷ ହେଲା ଓଡ଼ିଶାରେ ନ ଥିବା ଶ୍ରୀ ବଂଶଲଙ୍କ ଉପରେ ରାଜ୍ୟ ସରକାର ଭରସା କରିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି।

ଶ୍ରୀ ବଂଶଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜନସାଧାରଣଙ୍କ ସୁରକ୍ଷା ଓ ସେବା ମୋ ପାଇଁ ପ୍ରାଥମିକତା ରହିବ। ମୁଖ୍ୟମନ୍ତ୍ରୀ ମୋତେ ଏତେ ବଡ଼ ଦାୟିତ୍ବ ଦେଇଥିବାରୁ ତାଙ୍କ ଭରସା ରଖିବି। ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଆସନ୍ତା ୮ରୁ ୧୦ ଦିନ ଭିତରେ ଓଡ଼ିଶା ଆସିବେ ବୋଲି ସେ କହିଛନ୍ତି। ସେହିପରି ୨୦୨୨ ଜୁନରେ ଶ୍ରୀ ବଂଶଲଙ୍କ ଚାକିରି ଶେଷ ହେଉଛି। ଆଉ ମାତ୍ର ୬ ମାସ ଥିବା ବେଳେ ଡିଜି ଅନୂନ୍ୟ ଦୁଇ ବର୍ଷ କାର୍ଯ୍ୟକାଳ ତୁଲାଇବାର ନିୟମ ରହିଛି। ସରକାର ଆଉ ଦେଢ଼ ବର୍ଷ କାର୍ଯ୍ୟକାଳ ବଢ଼ାଇବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ନୂଆ ଡିଜି ଚୟନ ଲାଗି ରାଜ୍ୟ ସରକାର ୟୁପିଏସ୍‌ସିକୁ ୧୪ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ ପଠାଇଥିଲେ। ୟୁପିଏସ୍‌ସି ବିଭିନ୍ନ ଦିଗକୁ ଯାଞ୍ଚ କରିବା ପରେ ୧୯୮୬ ବ୍ୟାଚର ଅଫିସର ପ୍ରଦୀପ କପୁର, ୧୯୮୭ ବ୍ୟାଚର ସୁନୀଲ କୁମାର ବଂଶଲ ଓ ୧୯୮୮ ବ୍ୟାଚର ମନୋଜ କୁମାର ଛାବ୍ରାଙ୍କ ନାଁ ପଠାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ବଂଶଲ ୧୯୯୪ରେ ମୟୂରଭଞ୍ଜ ଜିଲ୍ଲା ଏସ୍‌ପି, ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ଭାବେ ଦାୟିତ୍ବ ତୁଲାଇଥିଲେ। ଏହା ପୂର୍ବରୁ ସେ ଏସ୍‌ଡିପିଓ ଏବଂ ଅତିରିକ୍ତ ଏସ୍‌ପି ଭାବରେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ୧୯୯୪ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଭିନ୍ନ ପଦ ପଦବିରେ ରହିଥିଲେ। ସେବେଠାରୁ ଆଉ ଓଡ଼ିଶା ଫେରି ନ ଥିଲେ।
ଡିଜିପି ଅଭୟ ଶ୍ରୀ ବଂଶଲଙ୍କୁ ସ୍ବାଗତ କରିବା ସହ ତାଙ୍କର ସଫଳତା କାମନା କରିଛନ୍ତି।