ସୁନୀଲ ନାୟକ ମୟୂରଭଞ୍ଜ ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି

ବାରିପଦା : ମୟୂରଭଞ୍ଜ ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଭାବେ ଛାତ୍ରନେତା ସୁନୀଲ କୁମାର ନାୟକ(କାଳିଆ)ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ନୂତନ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବିଜୁ ଛାତ୍ର ଜନତା ଦଳର ପୁର୍ନଗଠନ କରାଯାଇଛି। ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟରେ ସହସାଂସ୍କୃତିକ ସମ୍ପାଦକ ଏବଂ ପରେ ସାଂସ୍କୃତିକ ସମ୍ପାଦକ ପଦରେ ବିଜୟ ଲାଭ କରି ଛାତ୍ର ରାଜନୀତି ଆରମ୍ଭ କରିଥିବା ସୁନୀଲ କୁମାର ନାୟକଙ୍କୁ ଦଳର ଜିଲ୍ଲା ଛାତ୍ର ଶାଖାର ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ମୟୂରଭଞ୍ଜ ସଦର ସଂଗଠନ ଜିଲ୍ଲାରେ ଅନିଷ ମାନ୍ନା’ଙ୍କୁ ଛାତ୍ର ସଭାପତି ଭାବେ ମନୋନୀତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବିଜୁ ଜନତା ଦଳ ପକ୍ଷରୁ ମୟୂରଭଞ୍ଜକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ପରିଣତ କରାଯାଇଛି। ଚଳିତ ଟିମ୍‌ରେ ଜିଲ୍ଲାରୁ ବିକାଶ ମହାନ୍ତ, ଦିବ୍ୟବ୍ରତ ମହାନ୍ତି ଓ ଅଭୟ ସିଂ’ଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଜିଲ୍ଲାରେ ଜଣେ ଦକ୍ଷ ଛାତ୍ର ସଂଗଠକ ଭାବେ ସୁପରିଚିତ ସୁନୀଲ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ଦଳର ଛାତ୍ର ସଂଗଠନ ଦାୟିତ୍ବ ତୁଲାଉଛନ୍ତି। ଏହି ଅବସରରେ ସୁନୀଲ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଚାନ୍ଦବାଲି ବିଧାୟକ ତଥା ଛାତ୍ର ବ୍ୟାପାର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭୂବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜସଭା ସାଂସଦ ମମତା ମହାନ୍ତ, ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୋରଡା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର