ଜୟପୁର: ଓଡିଶାର ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡିଶାର କୋରାପୁଟ ଜିଲ୍ଲା ଜୟପୁରର ବୋହୂ ଡ.ସୁନିତା ମିଶ୍ର । ରାଜସ୍ଥାନ ଉଦୟପୁରସ୍ଥିତ ମୋହନ ଲାଲ ସୁଖାଡ଼ିୟା ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଡ. ମିଶ୍ର ଯୋଗ ଦେଇ କୋରାପୁଟ ଜିଲ୍ଲାର ନାଁକୁ ବିଶ୍ବସ୍ତରରେ ପହଚାଂଇଛନ୍ତି । ଜଣେ ଓଡିଆ ମହିଳା ଅନ୍ୟ ରାଜ୍ୟର କୁଳପତି ହେବା ନିଶ୍ଚିତ ରୁପେ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ରାଜସ୍ଥାନ ରାଜ୍ୟପାଳ ତଥା ମୋହନ ଲାଲ ସୁଖାଡ଼ିୟା ବିଶ୍ୱବିଦ୍ୟାଳୟ କୁଳାଧିପତି କଲରାଜ ମିଶ୍ର ତାଙ୍କୁ ୩ବର୍ଷ ପାଇଁ ଏହି ନିଯୁକ୍ତି ଦେଇଛନ୍ତି। ଏହାରି ମଧ୍ୟରେ ଡ.ମିଶ୍ର ରାଜ୍ୟପାଳଙ୍କୁ ଭେଟିବା ପରେ ନିଜ କାର୍ଯ୍ୟ ବି ଆରମ୍ଭ କରିଛନ୍ତି।
ସ୍ଥାନୀୟ ପାଣିନଳାସାହିର ସତ୍ୟ ନାରାୟଣ ସାବତ ଉତ୍ତରପ୍ରଦେଶର ପୁଲିସ ଡିଜି (ପ୍ରିଜନ୍)ଙ୍କ ପତ୍ନୀ ତଥା ପୂର୍ବତନ ତହସିଲଦାର ରଘୁନାଥ ସାବତଙ୍କ ବୋହୂ ସୁନିତା। ସେ ଏହା ପୂର୍ବରୁ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଥିବା ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ (କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ)ର ଡିନ୍ ଭାବେ କାମ କରୁଥିଲେ। ସେ ପୁରୀର ମୂଳ ବାସିନ୍ଦା। ପୂର୍ବତନ ଆଇଏଏସ ସଚ୍ଚିଦାନନ୍ଦ ମିଶ୍ରଙ୍କ ଝିଅ। ଭୁବନେଶ୍ବର (ରମାଦେବୀ )ଆର. ଡି. ମହିଳା ମହାବିଦ୍ୟାଳୟ (ବର୍ତ୍ତମାନ ମହିଳା ବିଶ୍ୱବିଦ୍ୟାଳୟ) ଏବଂ ଏସ. ବି.(ଶୈଳବାଳା) ମହିଳା ମହାବିଦ୍ୟାଳୟ କଟକର ପୂର୍ବତନ ଛାତ୍ରୀ। ୧୯୯୧ମସିହାରୁ ୧୯୯୭ ମସିହା ମଧ୍ୟରେ ରାଜ୍ୟର ବହୁ ମହାବିଦ୍ୟାଳୟରେ ସେ ଜଣେ ଅଧ୍ୟାପିକା ଭାବେ ଶିକ୍ଷାଦାନ କରିଥିଲେ | ଉତ୍ତରପ୍ରଦେଶର ବନାରସ ଠାରେ ଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ଲକ୍ଷ୍ନୌ ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ (ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ) ରେ ୨୦୦୮ମସିହାରୁ ୨୦୨୩ମସିହା ପର୍ଯ୍ୟନ୍ତ ପ୍ରଫେସର ଏବଂ ଡିନ୍ ଭାବରେ କାର୍ଯ୍ୟ କରି ଆସିଥିଲେ।
ତାଙ୍କର ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ରହିଛି, ୩୨ ବର୍ଷର ଶିକ୍ଷକତା ଅଭିଜ୍ଞତା ସହ, ପ୍ରଫେସର ଆଣ୍ଡ ଡିନ୍ ଭାବେ ୧୫ ବର୍ଷ କାମ କରି ଆସିଛନ୍ତି। ୨୩ଟି ବହି ସେ ନିଜେ ଲେଖିଥିବା ବେଳେ ତାଙ୍କ ତତ୍ତ୍ବାବଧାନରେ ୨୦ଜଣ ପିଏଚଡି କରିଛନ୍ତି। ସେଭଳି ଫୁଡ୍ ଟେକ୍ନୋଲୋଜିରେ ଦୁଇଟି ପେଟେଣ୍ଟ ତାଙ୍କ ନାଁରେ ରହିଛି। ସେଭଳି ୨୦୦୮ମସିହାରେ ତାଙ୍କୁ ଆମେରିକାରେ ନୋବେଲ ପୁରସ୍କାର ବିଜେତାଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଗତ ୧୦ବର୍ଷ ମଧ୍ୟରେ ୪୦୦ରୁ ଅଧିକ ପ୍ରତିଷ୍ଠିତ ଗବେଷଣାପତ୍ର ପ୍ରକାଶ ପାଇଛି। ୟୁଜିସି ଏବଂ ଏନଏଏସି(ନାକ)ର ଅନେକ କମିଟିର ନେତୃତ୍ୱ ସେ ନେଇଛନ୍ତି। ଭାରତରେ ମିଳିତ ଜାତିସଂଘ ୱାଲର୍ଡ ଫୁଡ ପ୍ରୋଗ୍ରାମ ସହ ଡ. ମିଶ୍ର ଜଡ଼ିତ ରହିଛନ୍ତି। ବିଶ୍ୱବିଦ୍ୟାଳୟରେ ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ରହିଛି ଏବଂ ସେ ସିଭିଓ ଭାବେ ମଧ୍ୟ କାର୍ଯ୍ୟ କରିଥିବା କହିଛନ୍ତି ଡ. ମିଶ୍ର। ପୂର୍ବରୁ ତାଙ୍କ ସ୍ବାମୀ ସତ୍ୟ ନାରାୟଣ ସାବତ ଉତ୍ତର ପ୍ରଦେଶର ପୁଲିସ ଏଡିଜି ଭାବେ କାମକରିବା ସମୟରେ ଅଯୋଧ୍ୟା ରାମଜନ୍ମଭୂମିକର କାମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ପଦନ୍ନୋତି ଡିଜି ପୁଲିସ ଭାବେ ପାଇବା ପରେ ତାଙ୍କୁ ପ୍ରିଜନ୍ ବିଭାଗ ମିଳିଛି। ପୂର୍ବରୁ ସେ ଜିଲ୍ଲାର ନାଁକୁ ଦେଶରେ ଗୌରାବାନ୍ବୀତ କରିଥିଲେ। ଏହି ଧାରାକୁ ଜୟପୁରର ବୋଉ ଡ.ସୁନିତା ମିଶ୍ର ବଜାୟ ରଖିଛନ୍ତି। ଡ.ମିଶ୍ର ଶିକ୍ଷାକ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରି ରାଜସ୍ଥାନର ଗୋଟିଏ ବିଶ୍ବବିଦ୍ୟାଳୟର କୂଳପତି ହୋଇ ଜୟପୁର ସହର ଓ ଜିଲାର ନାଁକୁ ଗୌରାବାନ୍ବୀତ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।