ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତକାଲିଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁଣି ବହୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାକୁ ଯାତାୟାତ ବିଚ୍ଛିନ୍ନ ହୋଇଛି। କାଲିମେଳା ବ୍ଲକର କାଙ୍ଗୁରକୋଣ୍ଡା ଓ ଏମ୍‌ଭି-୯୬ ପୋଲର ଦୁଇପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଛି। ସେହିପରି ଲଗାଣ ବର୍ଷା ଯୋଗୁଁ ମୁଦୁଲିଗୁଡ଼ା ଗ୍ରାମରେ ନାଳରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ମୁଖ୍ୟରାସ୍ତାରେ ମଧ୍ୟ ପାଣି ଲହଡ଼ି ଭାଙ୍ଗିବା ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୩୫୪.୮ମିମି ବର୍ଷା ହୋଇଛି। ମାଲକାନଗିରି ବ୍ଲକ୍‌ରେ ସର୍ବାଧିକ ୮୦.୪ମିମି ବର୍ଷା ହୋଇଥିବା ବେଳେ କାଲିମେଳା ବ୍ଲକରେ ୮୦ ମିମି, ଚିତ୍ରକୋଣ୍ଡା ବ୍ଲକରେ ୫୫ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁଁ ହଠାତ୍‌ ନଦୀରେ ଜଳସ୍ତର ବୃଦ୍ଧି ପାଣିବାରୁ ବନ୍ୟାଜଳ ନିଷ୍କାସିତ ହୋଇପାରୁନି। ତେଣୁ ୩୨୬ ନମ୍ବର ଜାତୀୟ ରାଜପଥରେ ରହିଥିବା ଅନେକ ତଳୁଆ ପୋଲ ଉପର ଦେଇ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ସକାଳେ କାଙ୍ଗୁରକୋଣ୍ଡା ଓ ଏମ୍‌ଭି-୯୬ ପୋଲ ବୁଡ଼ି ଯାଇଥିଲା। ଫଳରେ ମାଲକାନଗିରି-କାଲିମେଳା ଏବଂ କାଲିମେଳା-ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉଭୟ ପୋଲରେ ପୁଲିସ ଉପସ୍ଥିତ ରହି ଗାଡ଼ି ଚଳାଚଳକୁ ବାରଣ କରିଥିଲା। ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନ ଅଭିମୁଖେ ବାହାରିଥିବା ଅନେକ ମାଲବାହୀ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେବାକୁ ଯାଇପାରି ନଥିଲେ। ଅପରାହ୍ନ ପ୍ରାୟ ୩ଟାରେ ଜଳସ୍ତର କମିବାରୁ ଯାତାୟାତ ସ୍ବାଭାବିକ ହୋଇଥିଲା।