ବାଲେଶ୍ବର: ପ୍ରଚଣ୍ଡ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡଫଟା ଖରା। ରୌଦ୍ରତାପରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ସକାଳ ୯ଟାରୁ ଘରୁ ବାହାରକୁ ବାହାରିବା ଭୟ ଲାଗୁଛି। କିଛିଦିନ ଭିତରେ ୫ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ ସାରିଲେଣି। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଂଶୁଘାତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳଯୋଗାଣ ସହ ଜିରୋ କାଜୁଆଲଟି ଉପରେ ଫୋକସ୍ କରିଛି ଜିଲ୍ଲା ପ୍ରଶାସନ। ବିଶେଷକରି ଦିନ ମଜୁରିଆ, ରିକ୍ସା ଚାଳକ, ନିର୍ମାଣ ଶ୍ରମିକଙ୍କୁ ଏ ନେଇ ସଚେତନ କରାଯିବା ସହିତ ଗ୍ରାମାଞ୍ଚଳଠୁ ସହାରାଞ୍ଚଳ ପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସଚେତନ କରାଯାଇଛି।
ବାଲେଶ୍ବରର ତାପମାତ୍ରା ୪୦ ଡିଗ୍ରି ଛୁଇଁଲାଣି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତାଘାଟ ଶୂନ୍ଶାନ୍। ଅଂଶୁଘାତଜନିତ ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କାରେ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯାଇଥିବା ବେଳେ କାଜୁଆଲଟି ସହ ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା କରାଯାଇଛି। ହେଲେ ସ୍ବତନ୍ତ୍ର ଗୃହରେ ଅଂଶୁଘାତ ପାଇଁ ଶଯ୍ୟାର ବ୍ୟବସ୍ଥା କରାନଯାଇ କାଜୁଆଲଟିରେ ଏହି ବ୍ୟବସ୍ଥା କରାଯାଇଛି। ସୂଚନା ମୁତାବକ, କାଜୁଆଲଟିରେ ମୋଟ୍ ୧୫ଟି ଶଯ୍ୟା ରହିଥିବା ବେଳେ ଏଥିରୁ ଅଂଶୁଘାତ ରୋଗୀଙ୍କ ପାଇଁ ୬ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏହାସହିତ ଗୁରୁତର ରୋଗୀଙ୍କ ପାଇଁ ଗୋଟିଏ ଆଇସିୟୁ ଶଯ୍ୟା ପ୍ରସ୍ତୁତ ହୋଇରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, କାଜୁଆଲଟିକୁ ଅଧିକ ରୋଗୀ ଆସିଲେ ପରିସ୍ଥିତି ମୁସ୍କିଲ ହୋଇପଡ଼ିବ। ତେବେ ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।