କବିସୂର୍ଯ୍ୟନଗର/ବେଗୁନିଆପଡ଼ା/ଚଣ୍ଡିଖୋଲ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି। ପ୍ରାୟ ସମସ୍ତ ଜିଲ୍ଲାରେ ତାପମାତ୍ର ୪୦ ଉପରେ ରହୁଛି। ଟାଣ ଖରା ପାଇଁ ଆଜି ଗୋଟିଏ ଦିନରେ ରାଜ୍ୟରେ ୩ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାରେ ୨ଜଣ ଓ ବଡ଼ଚଣାରେ ଜଣେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଗ୍ରୀଷ୍ଣ ପ୍ରବାହକୁ ନଜରରେ ରଖି ନିକଟରେ ସ୍ବତନ୍ତ୍ର ରିଲିଫ୍ କମିସନର ନିର୍ଦେଶାବଳୀ ଜାରି କରିଥିଲେ। ଖରା ପାଇଁ ଜିଲ୍ଲାପାଳମାନେ ସତର୍କ ରହିବା ସହିତ ଯେପରି ଅଂଶୁଘାତ ଜନିତ ଶୂନ ମୃତ୍ୟୁ ହେବ ତାହା ଉପରେ ଗୁରୁତ୍ବ ଦେବାକୁ ଏସ୍ଆରସି ଉଲ୍ଲେଖ କରିଥିଲେ। ନିର୍ଦେଶନାମା ସତ୍ତ୍ବେ ଟାଣ ଖରାରେ କାମ କରିବା କାରଣରୁ ଶ୍ରମିକଙ୍କ ଅଂଶୁଘାତ ମୃତ୍ୟୁ ନଜରକୁ ଆସିଛି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଥାନା ଇଲାକାରୁ ଦୁଇ ବୃଦ୍ଧବୃଦ୍ଧାଙ୍କ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଛି। କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳ ଗ୍ରାମରେ ବିଲରେ କାମ କରୁଥିବା ବେଳେ ଜଣେ ବୃଦ୍ଧା ଅଂଶୁଘାତରେ ଟଳି ପଡ଼ି ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି ତପସ୍ବିନୀ ନାୟକ (୬୨)। ଗତକାଲି ଅପରାହ୍ଣରେ ତପସ୍ବିନୀ ବିଲକୁ ଯାଇ ଘରକୁ ଫେରି ନଥିଲେ। ଆଜି ବିଲରେ ତାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ପହଞ୍ଚି ଶବକୁ ଜବତ କରି ଆସିକା ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଖଲ୍ଲିକୋଟ ଥାନା ଅଧୀନ ମଥୁରା ପଞ୍ଚାୟତ ନୂତନବ୍ରହ୍ମପୁର ଗ୍ରାମର ଦେବରାଜ ନାୟକ (୬୮)ଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ହୋଇଛି। ଦେବରାଜ କୌଣସି କାମରେ କୋଦଳା ଯାଇ ଫେରୁଥିବା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରି ସାଇକେଲରୁ ପଡ଼ିଯାଇଥିଲେ। ଅଚେତ ଅବସ୍ଥାରେ ତାଙ୍କୁ କୋଦଳା ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ହିଁ ଏହା ଅଂଶୁଘାତଜନିତ ମୃତ୍ୟୁ କି ନୁହେଁ, ତାହା ସ୍ପଷ୍ଟ ହେବ।
ସେହିପରି ଯାଜପୁର ଜିଲ୍ଲା ବଡ଼ଚଣାରେ ଜଣେ ବ୍ୟକ୍ତି ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ପୁରୁଷୋତ୍ତମ ସାହୁ(୫୧) କୁକୁଡ଼ା ଫାର୍ମରେ କାମ କରୁଥିବା ବେଳେ ଟଳି ପଡ଼ିଥିଲେ। ପୁରୁଷୋତ୍ତମଙ୍କ ଶବ ବଡ଼ଚଣା ଡାକ୍ତରଖାନାରେ ବ୍ୟବଚ୍ଛେଦ ହୋଇଥିବା ବେଳେ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ପୁଲିସ ସ୍ପଷ୍ଟ କରିଛି। ବୈରୀ ଥାନା ଅନ୍ତର୍ଗତ ସମିଆଁ ପଞ୍ଚାୟତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଏକ କୁକୁଡ଼ା ଫାର୍ମରେ ପୁରୁଷୋତ୍ତମ ଦୀର୍ଘଦିନ ଧରି ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ। ଗତକାଲି ଦିନ ଦୁଇଟାରେ ପୁରୁଷୋତ୍ତମ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଫାର୍ମ ମାଲିକ ତାଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଜି ମୃତ ଶ୍ରମିକଙ୍କ ପୁତ୍ର ବଳରାମ ସାହୁ ବୈରୀ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।