ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ୨ ବିଜେଡି ନେତାଙ୍କ ହତ୍ୟା ପଛରେ ସୁପାରି! ଏଥିପାଇଁ ବିଧିବଦ୍ଧ ଷଡ଼୍‌ଯନ୍ତ୍ର କରାଯାଇ ସୁପାରିକିଲର୍‌ଙ୍କୁ ନିୟୋଜିତ କରାଯାଇଥିବା ପୁଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ୧୦ଜଣ ସନ୍ଦିଗ୍ଧ ପୁଲିସ ପଞ୍ଝାରେ ରହିଛି। ସେମାନଙ୍କୁ ଅଜଣା ସ୍ଥାନରେ ମାରଥନ୍‌ ଜେରା କରାଯାଉଛି। ଖୁବ୍‌ଶୀଘ୍ର ପୁଲିସ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବ ବୋଲି ଜଣାପଡ଼ିଛି।

Advertisment

ଗତ ଶନିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଚଷାନିମଖଣ୍ଡି ପଞ୍ଚାୟତ ସଉରାପାହାଡ଼ ଗାଁ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ହତ୍ୟାକାଣ୍ଡର ଶିକାର ହୋଇଥିବା ଦୁଇ ଯୁବ ବିଜେଡି ନେତା ହେଲେ, ସୁଦର୍ଶନ ସୁଆର ଓ ସୁଧୀରକାନ୍ତ ପାତ୍ର। ହତ୍ୟାକାଣ୍ଡକୁ ନେଇ କେବଳ ସମ୍ପୃକ୍ତ ଅଞ୍ଚଳ କି ଗଞ୍ଜାମ ଜିଲ୍ଲା କାହିଁକି; ରାଜ୍ୟରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ସୁପାରିକିଲର୍‌ଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ଘଟଣାକୁ ଗମ୍ଭୀର ଭାବରେ ଗ୍ରହଣ କରିଥିବା ସୂଚନା ମିଳିଛି। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ହତ୍ୟାକାରୀଙ୍କ ଟାର୍ଗେଟରେ ସୁଦର୍ଶନ ଥିଲେ।

ସୁଦର୍ଶନଙ୍କୁ ପ୍ରଥମେ ସମସ୍ତେ ଘେରିଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। ହେଲେ, ସୁଧୀର ଘଟଣାସ୍ଥଳରୁ ଦୌଡ଼ି ଖସି ଜୀବନ ବଞ୍ଚାଇବା ବଦଳରେ ସାଙ୍ଗ ସୁଦର୍ଶନଙ୍କୁ ବଞ୍ଚାଇବାକୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଅଭିଯୁକ୍ତଙ୍କ ସହ ଲଢ଼ିଥିଲେ। ଘନିଷ୍ଠ ସାଙ୍ଗ ପାଇଁ ସେ ମଧ୍ୟ ନିଜ ଜୀବନକୁ ବାଜିରେ ଲଗାଇଦେଲେ। ଅଭିଯୁକ୍ତମାନେ ବାଧ୍ୟ ହୋଇ ସୁଧୀରଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନଙ୍କୁ ଫେରାର୍‌ କରାଇବା ଲାଗି ଏକ କାର୍ ବ୍ୟବସ୍ଥା ହୋଇଥିଲା ଏବଂ ଦିଗପହଣ୍ଡିରୁ ଭୁବନେଶ୍ବରର ଫେରାର୍ କରାଇ ଦିଆଯାଇଥିବା ପୁଲିସ ତଦନ୍ତରୁ ପ୍ରମାଣ ପାଇଛି। ପୁଲିସ ଟୋଲ୍ ଗେଟ୍‌ ଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ୍‌ କରି କାର୍‌କୁ ଠାବ କରିବା ସହ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଦୁଇ ନେତାଙ୍କ ମୃତ୍ୟୁକୁ ବର୍ତ୍ତମାନ ସୁଦ୍ଧା ପଞ୍ଚାୟତବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।